ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଫେରାର୍‌ ଘଟଣା: ଝାଡ଼ୁଦାରଙ୍କ ଉପରେ ପଡ଼ୁଥିଲା ଚାପ, ଥାନା ଭିତରେ ମାଡ଼ ଅଭିଯୋଗ

ସମ୍ବଲପୁର: ସୋମବାର ସକାଳେ ଧନୁପାଲି ଥାନା ଭିତରୁ ୩ ଜଣ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣ ପୁଲିସ କର୍ମଚାରୀ ଏଏସ୍‌ଆଇ ନିରଞ୍ଜନ ପ୍ରଧାନ ଓ କନ୍‌ଷ୍ଟେବଳ ଏସ୍‌ଏନ୍‌ ପ୍ରଧାନଙ୍କୁ ନିଲମ୍ବନ କରାସରିଲାଣି। କିନ୍ତୁ ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏବେ ଥାନା ଭିତରେ ଝାଡ଼ୁଦାର ପଙ୍କଜିନୀ ସେନ୍ଦ୍ରିଆଙ୍କୁ ଥାନା ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ପଙ୍କଜିନୀ ଏ ନେଇ ଅଭିଯୋଗ କରିବାକୁ ମଙ୍ଗଳବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ କହିବା ଅନୁଯାୟୀ, ସେ ଜଣେ ଅଭିଯୁକ୍ତଙ୍କ ମା’ ଦେଇଥିବା ବିସ୍କୁଟ୍‌ ଓ ଚା’ ୩ ଅଭିଯୁକ୍ତଙ୍କୁ ଦେଇଥିଲେ ଏବଂ ଥାନା ଭିତରକୁ ଝାଡ଼ୁ କରିବା ପାଇଁ ଯାଇଥିଲେ। ସେହି ସମୟରେ ଥାନାରେ ଏଏସ୍‌ଆଇ ନିରଞ୍ଜନ ପ୍ରଧାନ ଓ କନ୍‌ଷ୍ଟେବଳ ଏସ୍‌ଏନ୍‌ ପ୍ରଧାନ ଡ୍ୟୁଟିରେ ଥିଲେ।

ତେବେ ୩ ଅଭିଯୁକ୍ତ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏଥିରେ ପଙ୍କଜିନୀଙ୍କ ହାତ ଥିବା ସନ୍ଦେହ କରି ଥାନା ଅଧିକାରୀ ତାଙ୍କୁ ଧମକ ଚମକ ଦେଇଥିଲେ। ମାଡ଼ ମାରିବା ସହ ତୁ ଟଙ୍କା ଖାଇ ଜାଣିଶୁଣି ଅଭିଯୁକ୍ତଙ୍କୁ ଫେରାର୍‌ କରିଦେଇଛୁ ବୋଲି କହିଥିଲେ। ଥାନାରେ ଥିବା ଠାକୁର ଘରକୁ ପଙ୍କଜିନୀଙ୍କୁ ନେଇଯାଇ ଏକାଧିକ ଥର ଚାପୁଡ଼ା ମାରିଥିଲେ। ଏକଥା କହିବା ବେଳେ କୋହଭରା କଣ୍ଠରେ ପଙ୍କଜିନୀ କାମ ଛାଡ଼ିଦେବା କଥା କହିଛନ୍ତି। ଏବେ ସେ ଥାନା ଭିତରକୁ ଆଉ ପଶୁ ନାହାନ୍ତି। କେବଳ ହାଜରି ଦେଇ ଚାଲି ଆସୁଛନ୍ତି। ଯେଉଁ ଦିନ ଫେରାର୍‌ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଧରିବ ସେଦିନ ମୁଁ କାମ ଛାଡ଼ି ଦେବି ବୋଲି ସେ କହିଛନ୍ତି। ୨୦ ଟଙ୍କା ଦରମାରୁ ଧନୁପାଲି ଥାନାରେ ପଙ୍କଜିନୀ କାମ କରି ଆସୁଛନ୍ତି। ଧନୁପାଲିରୁ ଅଭିଯୁକ୍ତ ଫେରାର୍‌ ହେବା ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେକ୍‌ ହାଇଦର୍‌ ଫେରାର୍‌ ହେବା ପରେ ଏହି ଘଟଣା ଏବେ ପୁଣିଥରେ ସମ୍ବଲପୁର ପୁଲିସକୁ ବଦନାମ କରିଛି। ଅନ୍ୟପଟେ ଫେରାର୍‌ ଥିବା ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ପୁଲିସର ୩ଟି ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର