ଘାଟିରେ ଓଲଟିଲା ଟ୍ରକ୍‌ ୩ ମୃତ, ୪ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଜନ୍ତାରୀ ଘାଟିରେ ଟ୍ରକ୍‌ ଓଲଟି ୩ ଜଣ ଶ୍ରମିକଙ୍କର ‌େଶାଚନୀୟ ମୃତ୍ୟୁ ହୋଇଛି। ଆଉ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍‌ଣରେ କେନ୍ଦୁଝର ସହର ପଟୁ ଗୋନାସିକା ଅଭିମୁଖେ ଏକ ଟ୍ରକରେ ପାଇଖାନା ତିଆରି ସାମଗ୍ରୀ ନେଇ ଶ୍ରମିକମାନେ ଯାଉଥିଲେ। ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଜନ୍ତାରୀ ଘାଟିରେ ଟ୍ରକଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ଫଳରେ ଶ୍ରମିକମାନେ ଗାଡ଼ିରେ ଥିବା ସିମେଣ୍ଟ ପ୍ଲେଟ ଓ ନନ୍ଦ ଆଦିରେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଶ୍ରମିକମାନେ ହେଲେ ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗ୍ରାମର ଦିବସ ନାଏକ(୩୫), ମାନସ ନାଏକ(୩୦) ଓ ଭବ ନାଏକ(୩୨)। ଗୁରୁତର ଆହତମାନେ ହେଲେ ସୁଶାନ୍ତ ନାଏକ, ରାଜୁ ନାଏକ, ଟିପୁ ଦେହୁରୀ ଓ କାଳିଆ ନାଏକ। ଏମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ କାଞ୍ଜିପାଣି ଥାନା ଅଧିକାରୀ ଅମିତ୍‌ କୁମାର ଭୂୟାଁ ପହଞ୍ଚି ଅଗ୍ନିଶମ ବାହିନୀ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରିଛନ୍ତି। ପାହାଡ଼ ଘାଟି ହୋଇଥିବାରୁ ରାତି ୮ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ସରି ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର