ଦୁର୍ଘଟଣା ପରେ ବସ୍‌ଯାତ୍ରୀଙ୍କ ଉପରେ ଚଢ଼ିଗଲା ଡମ୍ପର: ୩ ମୃତ

ବାହାନଗା/ଗୋପାଳପୁର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ବଜାର ଓ ଦାଣ୍ଡକାଳୀ ମନ୍ଦିର ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ପଥର ବୋଝେଇ ଡମ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ଗୋଟିଏ ଡମ୍ପର ‌ଛିଡ଼ା ହୋଇଥିବା ଏକ ବସ୍‌ର ଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଜଣେ ମହିଳା ଯାତ୍ରୀଙ୍କ ସହ ତିନିଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ରାତି ପ୍ରାୟ ୧ଟା ବେଳେ ଖନ୍ତାପଡ଼ା ବଜାର ନିକଟରେ ପଥର ବୋଝେଇ ଡମ୍ପର (ଓଆର୍‌-୦୧-ଜେ-୬୯୬୪) ଛିଡ଼ା ହୋଇଥିଲା। ସେହି ସମୟରେ ରୋହିତ ନାମକ ଏକ ଯାତ୍ରୀବାହୀ ବସ୍‌ (ଓଡି-୦୧-ଏ-୮୮୮୮) ଉଦଳାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ସେଠାରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ଅନ୍ୟ ଏକ ପଥର ବୋଝେଇ ଡମ୍ପର (ଓଡି-୦୧-କେ-୯୨୬୯) ଛିଡ଼ା ହୋଇଥିବା ଡମ୍ପରର ପଛକୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଛିଡ଼ା ହୋଇଥିବା ଡମ୍ପର ଆଗକୁ ଗଡ଼ିଯାଇ ବାହାରେ ଛିଡ଼ା ହୋଇଥିବା ବସ୍‌ଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ମୟୂରଭଂଜ ଜିଲ୍ଲା ଖୁଣ୍ଟା ଅଂଚଳର ଛବିନ୍ଦ୍ର ପୃଷ୍ଟିଙ୍କ ପତ୍ନୀ ବିଷ୍ଣୁପ୍ରିୟା (୩୯) ଏବଂ ବସ୍‌ର ହେଲ୍‌ପର ମୟୂରଭଂଜ ଜିଲ୍ଲା ଖୁଣ୍ଟା ବେଲଦାଗିରି ଅଞ୍ଚଳର ପ୍ରଦୀପ ପଟ୍ଟନାୟକଙ୍କ ପୁଅ ସତ୍ୟଜିତ ପ୍ରାଣ ହରାଇଥିଲେ। ଖନ୍ତାପଡ଼ା ପୁଲିସ ପହଂଚି ମୃତଦେହ ଜବତ ସହ ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ସଦର ହସ୍ପିଟାଲ୍‌କୁ ନେଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତରପ୍ରଦେଶ ଲାଲଗଡ଼ ଥାନା ବସ୍ତି ଗ୍ରାମର ସାଗର ନିସାଦ ପୁଅ ବିଜେନ୍ଦ୍ର (୪୫)ଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର