ଚିତ୍ରକୋଣ୍ଡା ବ୍ଲକରେ ୩୭ଟି ବୁଥ ସମ୍ବେଦନଶୀଳ: ପ୍ରଥମ ଥର ନିଜ ଅଂଚଳର ମତଦାନ କରିବେ ମତଦାତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପତିଆରା ଧୀରେଧୀରେ କମିବାରେ ଲାଗିଛି। କାଁ ଭାଁ ସୀମାନ୍ତ ଅଂଚଳରେ ନକ୍ସଲ ନିଜର ଗତିବିଧି ବଢାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଟାର୍ଗେଟର ଶିକାର ହେଉଛନ୍ତି। ଦିନେ ଚିତ୍ରକୋଣ୍ଡା ବ୍ଲକ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କ ଗଡ଼ ଭାବେ ପରିଚିତ ଥିଲା। ଏବେ କିନ୍ତୁ ତାହା ନୁହେଁ।ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ନିଜର କାର୍ଯ୍ୟାଳୟ ସହ କେନ୍ଦ୍ରୀୟ କମିଟିର ସମସ୍ତ ବୈଠକ ସ୍ବାଭିମାନ ଅଂଚଳରେ ହିଁ କରୁଥିଲା। ଗୁରୁପ୍ରିୟା ସେତୁ ହେବା ପରେ ଧୀରେଧୀରେ ବିକାଶ ସ୍ବାଭିମାନ ଅଂଚଳକୁ ଛୁଇଁବା ଏବଂ ବିଏସଏଫ କ୍ୟାମ୍ପ ସମସ୍ତ ନକ୍ସଲ ପ୍ରବଣ ଅଂଚଳରେ ସ୍ଥାପନ କରାଯିବା ଦ୍ବାରା ନକ୍ସଲ ହଟିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ।

୨୦୧୭ ପଞ୍ଚାୟତ ନିର୍ବାଚନକୁ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ନକ୍ସଲ ଭୋଟଦାନ କରାଇନଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ କାଁ ଭାଁ ଜାଗାରେ ନିର୍ବାଚନ ହୋଇପାରିନଥିଲା। ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଲୋକେ ନିଜ ଗାଁ ଠାରୁ ପାଖ ଭୋଟଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିଲେ। ଏବେ କିନ୍ତୁ ସ୍ଥିତି ବଦଳିଛି। ଲୋକେ ନିଜ ଗ୍ରାମରେ ହିଁ ଭୋଟ ଦେବେ। ପୁଲିସ ଏବଂ ପ୍ରଶାସନ ଭୋଟଦାନ କେନ୍ଦ୍ରଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବ୍ଲକରେ ଥିବା ୫୦ଟି ଭୋଟ ଦାନ କେନ୍ଦ୍ରରେ ଯେପରି ଶାନ୍ତିଶୃଙ୍ଖଳାରେ ଭୋଟ ଦାନ ହେବ ସେନେଇ ସମସ୍ତ ପ୍ରସ୍ତୁତି କରିଛି। ଏପିରିକି ସୋମବାର ପୁଲିସ ଡିଜି ସ୍ବାଭିମାନ ଅଂଚଳ ବୁଲି କିପରି ସ୍ଥିତି ରହିଛି ସମୀକ୍ଷା କରିଥିଲେ। ଦରକାର ପଡିଲେ ସମସ୍ତ ପୁଲିସ ଫୋର୍ସକୁ ସ୍ବାଭିମାନ ଅଂଚଳରେ ଲଗାଯିବ ବୋଲି କହିଥିଲେ। କିନ୍ତୁ ଆଜି ବି ୩୭ଟି ବୁଥ ସମ୍ବେଦନଶୀଳ ରହିଥିବା ବିଭାଗ କହିଛି। ଏହି ବୁଥଗୁଡିକକୁ ବିଶେଷ ଧ୍ୟାନ ଦିଆଯାଉଥିବା କୁହାଯାଇଛି।

ଅଂଚଳରେ ନକ୍ସଲ ଗତିବିଧି ନଥିଲେ ମଧ୍ୟ ଲୋକେ ଭୟଭୀତ ରହିଥିବା ବେଳେ ପ୍ରଶାସନ ଓ ପୁଲିସ ଲୋକଙ୍କୁ ସୁରକ୍ଷା ବଢାଇ ଦେଇଛି। ଆଜି ପର୍ଯ୍ୟନ୍ତ ସ୍ବାଭିମାନ ଅଂଚଳରେ ନକ୍ସଲଙ୍କର କୌଣସି ପୋଷ୍ଟର କିମ୍ବା ବ୍ୟାନର ମରାଯାଇପାରି ନାହିଁ। ପୂର୍ବରୁ ଯେତେ ନିର୍ବାଚନ ହୋଇଛି ସବୁ ନିର୍ବାଚନରେ ନକ୍ସଲ ପ୍ରଥମରୁ ହିଁ ଭୋଟ ବର୍ଜନ ନେଇ ବ୍ୟାନର ଓ ପୋଷ୍ଟର ମାରି ଲୋକଙ୍କୁ ଭୟଭିତ କରାନ୍ତି।ଲୋକେ ମଧ୍ୟ ଏବେ ସଜାଗ ହୋଇଗଲେ। ନକ୍ସଲକୁ ମୁକାବିଲା କରିବା ପାଇଁ ଗାଁ ଗାଁରେ ଲୋକେ ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ରହିଛନ୍ତି। ନିଜ ଅଂଚଳରେ ଭୋଟଦାନ କେନ୍ଦ୍ର ପ୍ରଥମ କରି ହେଉଥିବାରୁ ଲୋକଙ୍କ ଖୁସି କହିଲେ ନସରେ।

ସମ୍ବନ୍ଧିତ ଖବର