ଗୁଣ୍ଟୁରରୁ ଉଦ୍ଧାର ହେଲେ ୫ ଦାଦନ ଶ୍ରମିକ

ଏବେ ବି ବନ୍ଧା ପଡିଛନ୍ତି ଖଇରପୁଟର ୪ ଯୁବତୀ ଓ ଜଣେ ଯୁବକ

ଜୟପୁର : ସକାଳୁ ରାତି ଯାଏ ଖଟାଉଥିଲେ। ଖାଦ୍ୟ କହିଲେ ବାସୀ ତୋରାଣୀ ଓ ଚାରୁପାଣି ମିଳୁଥିଲା। ଏପଟେ ପାରିଶ୍ରମିକ ମାଗିଲେ ମିଳୁଥିଲା ମିଳୁଥିଲା ଅକଥନୀୟ ନିର୍ଯାତନା। ସବୁବେଳେ ନଜରବନ୍ଦୀ କରି ରଖୁଥିଲେ। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ୫ଜଣ ଶ୍ରମିକ ଫେରିବା ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ ଉପରେ ହୋଇଥିବା ନିର୍ଯାତନାର କାହାଣୀ ବଖାଣିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ବୋରିଗୁମ୍ମା ବ୍ଲକର ପଣ୍ଡସଗୁଡା ଗାଁର ଗିରିଧାରୀ ଜାନୀ (୫୫), ବୀରେନ୍ଦ୍ର ହରିଜନ (୪୨), ନରେନ୍ଦ୍ର ହରିଜନ (୩୨), ଦାମ ଜାନି (୪୦) ଓ ପବିତ୍ର ପୂଜାରୀ (୩୦)।

ଏହି ଦାଦନ ଶ୍ରମିକଙ୍କ ମଧ୍ୟରୁ ୩ଜଣ ଏକ ମୋବାଇଲ୍‌ ଫୋନ୍‌କୁ ବିକ୍ରି କରି ସେଠାରୁ ଲୁଚି ବସ୍‌ରେ କିଛି ଦିନ ପୂର୍ବେ ଫେରିଥିଲେ। ଏହାପରେ ଗିରିଧାରୀ ଓ ବୀରେନ୍ଦ୍ରଙ୍କୁ ଶ୍ରମ ବିଭାଗ ଉଦ୍ଧାର କରିଥିଲା। ୩ଜଣ ଦାଦନ ଲୁଚି ଚାଲି ଆସିବା ପରେ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ। ଏହାପରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରି ଅନ୍ୟ ୨ଜଣଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳର ୪ ଯୁବତୀ ଓ ଜଣେ ଯୁବକ ଏବେ ମଧ୍ୟ ସେଠାରେ ବନ୍ଧା ପଡିଛନ୍ତି। ଶ୍ରମିକ ଦଲାଲ ଜଣକ ଠିକା ସଂସ୍ଥା ଠାରୁ ଲକ୍ଷାଧିକ ଟଙ୍କା ନେଇ ଆସିଥିବାରୁ ଏହି ଦାଦନ ଶ୍ରମିକମାନଙ୍କୁ ଛଡ଼ାଯାଉନି। ବନ୍ଧକ ଯୁବତୀଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଗୁରୁତର ରହିଛି। ସେମାନେ ଯେତେ ନେହୁରା ହେଲେ ମଧ୍ୟ ଠିକାଦାର ଛାଡୁ ନ ଥିବା ସୂଚନା ମିଳିଛି।। ଏନେଇ ମାଲକାନଗିରି ଜିଲ୍ଲା ଏମ୍‌.ଭି-୭୯ର ଜୀବନ ବିଶ୍ୱାସୀ ଏହି ଦାଦନ ଶ୍ରମିକଙ୍କୁ ଗୁଣ୍ଟୁର ନେଇଥିଲା। ଗିରିଧାରୀ କହିଛନ୍ତି ଯେ ଗତ ଜୁନ ମାସରେ ଜୀବନ ଆସିଥିଲା। ଗୁଣ୍ଟୁରରେ ନିର୍ମାଣ କାମ ଥିବା କହିବା ପରେ ଆମେ ସବୁ ସେଠାକୁ ଯାଇଥିଲୁ। ସେଠାରେ ଜୀବନ ଆମ ସହ ଗୋଟିଏ ଦିନ ରହିବା ପରେ ଫୋନ ନମ୍ବର ଦେଇ ସାହୁକାରଠାରୁ ଲକ୍ଷେ ଟଙ୍କା ଧରି ପଳାଇ ଆସିଥିଲା। ପାରିିଶ୍ରମିକ ମାଗିଲେ ଠିକାଦାର ଜଣକ ଜୀବନ ନେଇ ଯାଇଥିବା କହିଥିଲେ।

ନରେନ୍ଦ୍ର ହରିଜନ କହିଛନ୍ତି ଯେ ୩ମାସ କାଳ କାମ କରିବା ପରେ ସାହୁକାର ପଇସା ନ ଦେବାରୁ ସେଠାରୁ ଆମେ ପଲାଇ ଆସିଥିଲୁ। ଗୁଣ୍ଟୁର ଏକ ଦୋକାନରେ କିଛି ଦିନ ତଳେ କିଣିଥିବା ନୂଆ ମୋବାଇଲକୁ ମାତ୍ର ୧୩ଟଙ୍କାରେ ବିକ୍ରି ଘରକୁ ଆସିଥିଲୁ। ଏଠାରେ ଆସି ଥାନାରେ ମାମଲା ଦେବା ପରେ ଶ୍ରମ ବିଭାଗ ଅନ୍ୟ ସାଥୀଙ୍କୁ ଉଦ୍ଧାର କରିଛି ବୋଲି ସେ କହିଛନ୍ତି। ଆମ ପରି ଖଇରପୁଟ ଅଞ୍ଚଳର ୪ ଯୁବତୀ ଓ ଜଣେ ଯୁବକ ସେଠାରେ ଫସି ରହିଛନ୍ତି। ସେମାନେ ମଧ୍ୟ ଆମ ପରି ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି।

ଏନେଇ ଆଜି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ କହିଛନ୍ତି ଯେ ଥାନାରୁ ଏନେଇ ଖବର ମିଳିବାପରେ ତଦନ୍ତ କରାଯାଇଥିଲା। ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ର ଜୀବନ ବିଶ୍ୱାସୀ ନାମକ ଜଣେ ଦଲାଲ ନେଇଥିବା ଜଣାପଡିବା ପରେ ଫୋନ ନମ୍ବରକୁ ଟ୍ରାକ ବହୁତ କଷ୍ଟରେ ଉଦ୍ଧାର କରିଛୁ ବୋଲି ସେ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗ୍ରାମୀଣ ଶ୍ରମ ନିରୀକ୍ଷକ ବି.ହୃଷିକେଶ ରାଓ ଓ ପୂର୍ଣ୍ଣିମା ଡୁରୁକା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର