ରାଜ୍ୟ ବାହାରୁ ଆସିଥିବା ୭୮ ହଜାର ୨୩୩ ଜଣ ସଂକ୍ରମଣ ଆଶଙ୍କାରୁ ମୁକ୍ତ ନୁହନ୍ତି, ସେମାନଙ୍କୁ ୧୪ଦିନ ସଙ୍ଗରୋଧରେ ରଖାଯିବ : ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ନେଇ ଖବର ପ୍ରସାରିତ ହେବା ପରେ ରାଜ୍ୟ ବାହାରେ କାମ କରୁଥିବା ୭୮ ହଜାର ୨୩୩ ଜଣ ଓଡ଼ିଆ ଏବେ ନିଜ ଘରକୁ ଫେରି ଆସିଛନ୍ତି । ଏମାନେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରୁଥିଲେ । ସଂକ୍ରମଣ ଭୟରେ ଏମାନେ ଏବେ ଓଡ଼ିଶାରେ ଥିବା ନିଜ ଘରକୁ ଫେରି ଆସିଛନ୍ତି  ସତ କିନ୍ତୁ ଏମାନଙ୍କ ଭିତରେ ସଂକ୍ରମଣ ଆଶଙ୍କାକୁ ଟାଳିହେବ ନାହିଁ । ଏହି ସମସ୍ତଙ୍କୁ ୧୪ ଦିନ ଲାଗି ସଙ୍ଗରୋଧରେ ରହିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,  ତିନିଟି ଜିଲ୍ଲାରେ ୧ ହଜାରରୁ ୧୧ ହଜାର ପର୍ଯ୍ୟନ୍ତ ଲୋକ ଫେରି ଆସିଥିବା ସୂଚନା ମିଳିଛି । ବାକି ୨୭ଟି ଜିଲ୍ଲାକୁ ମଧ୍ୟ ଲୋକେ ଫେରି ଆସିଛନ୍ତି । ଯେଉଁ ଲୋକମାନେ ଫେରିଆସିଛନ୍ତି, ସେମାନେ ଥିବା ରାଜ୍ୟଗୁଡ଼ିକରେ କରୋନା ଭାଇରସ ସଂକ୍ରମଣ ଦେଖାଯାଇଛି । ତେଣୁ ରାଜ୍ୟକୁ ଫେରି ଆସିଥିବା ଲୋକଙ୍କୁ ୧୪ ଦିନ ଯାଏଁ ଘରେ ରହିବାକୁ ପଡ଼ିବ ।

ଶ୍ରୀ ବାଗଚୀ କହିଛନ୍ତି ଯେ, ବାହାରୁ ଆସିଥିବା ଲୋକଙ୍କ ପାଖରେ କରୋନ ସଂକ୍ରମଣ ଥିବାର ଆଶଙ୍କା କରାଯାଉଛି । ତେଣୁ ୧୪ ଦିନ ପର୍ଯ୍ୟନ୍ତ ଏମାନଙ୍କୁ ସଂଗରୋଧରେ ରହିବାକୁ କୁହାଯାଇଛି । କାରଣ କରୋନା ସଂକ୍ରମଣ ୧୪ ଦିନରେ ଜଣାପଡ଼ିଥାଏ । କିଛି ଲୋକଙ୍କ ଠାରେ ୫ ଦିନ ମଧ୍ୟରେ ଏହା ଜଣାପଡ଼ିଥାଏ । ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ନିଜ ଘରେ ୧୪ ଦିନ ରହିବାକୁ ପଡ଼ିବ । ନିଜ ନିରାତ୍ତା ପାଇଁ ଓ ଅନ୍ୟମାନଙ୍କୁ ନିରାପଦ ରଖିବା ପାଇଁ ଏହି କାମ କରିବାକୁ ପଡ଼ିବ । ସରକାର ଗ୍ରାମପଞ୍ଚୟତ ଓ ଜିଲ୍ଲା ପ୍ରଶାସନକୁ  ଏହା କହିଛନ୍ତି ।

ସମଗ୍ର ବିଶ୍ୱରେ ଆଜି  ଅପରାହ୍ଣ ୩ଟା ସୁଦ୍ଧା ୪ ଲକ୍ଷ ୨୨ ହଜାର ୮୨୯ ଜଣ ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସ ସଂକ୍ରମିତ ସଂଖ୍ୟା ନିଆଁ ଲାଗିଲା ଭଳି ବଢୁଛି । ଗତକାଲି ମୃତ୍ୟୁ ସଂଖ୍ୟା ୧୬ ହଜାର ୫୫୮ ଥିଲା ବେଳେ ଏହା ଆଜି ୧୮ ହଜାର ୯୦୭ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୯୪ ହଜାର ୮୨୦ଜଣଙ୍କୁ ଚିକିତ୍ସା କରାଯାଉଛି । ସେହିପରି ୧ ଲକ୍ଷ ୯ ହଜାର ୧୦୨ଜଣ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଆଜି ୫୬୨ରେ ପହଞ୍ଚିଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ଓଡ଼ିଶାରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ଅବସ୍ଥା ଭଲ ଅଛି । ସେମାନେ ସୁସ୍ଥ ହେଉଛନ୍ତି । ବିଦେଶରୁ ଆସିଥିବା ୪୦୧୫ ଜଣ ଲୋକ ୧୦୪ ହେଲ୍ପଲାଇନ ନମ୍ବରକୁ ଫୋନ କରି ସେମାନଙ୍କର ନାମ ପଂଜୀକରଣ କରିଛନ୍ତି ।

ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ୩୬ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ସେହିଭଳି ଏପର୍ଯ୍ୟନ୍ତ ୧୩୩ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୨ଟି ପଜିଟିଭ ଥିବା ବେଳେ ୧୨୯ଟି ନେଗେଟିଭ ବୋଲି ଜଣାପଡ଼ିଛି । ୫୭ ଜଣ ଲୋକ ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ସହ ଯୋଗାଯୋଗ କରାଯାଇଛି । ୩ ଜଣଙ୍କ ପରିଚୟ ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର