ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ ନବମ ଶ୍ରେଣୀ ଛାତ୍ର, କେନାଲରେ ବୁଡ଼ିଗଲେ

୩ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ବାରଙ୍ଗ: ସାଙ୍ଗମାନଙ୍କ ସହିତ କେନାଲରେ ଗାଧୋଇବା ସମୟରେ ରିଲ୍ସ କରୁଥିବା ବେଳେ ନିଖୋଜ ଛାତ୍ରଙ୍କ ମୃତଦେହ ୩ଘଣ୍ଟା ପରେ ଉଦ୍ଧାର ହୋଇଛି। କଟକ ଜିଲ୍ଲା ବାରଙ୍ଗ ଅଗ୍ନିଶମ ବାହିନୀ ନବମ ଶ୍ରେଣୀର ଛାତ୍ର ରାଜେଶ ସେଠୀର ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ କାନପୁର-ପୁରୀ ମୂଖ୍ୟ କେନାଲରୁ ଉଦ୍ଧାର କରିଛି।

ସୂଚନା ଅନୁସାରେ ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଧୀନ ଚାନ୍ଦ୍ରଶେଖରପୁର ଅଞ୍ଚଳର ନବମ ଶ୍ରେଣୀ ଛାତ୍ର ରାଜେଶ ସେଠୀ ଓ ତାଙ୍କର ସାଙ୍ଗମାନେ ଆଜି ହୋଲି ଖେଳି ସାରି ବାରଙ୍ଗ ନିକଟ କାନପୁର-ପୁରୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ସେମାନେ ରିଲ୍ସ କରୁଥିଲେ। ତେବେ ଅସାବଧାନତା ଯୋଗୁଁ ରେଜେଶଙ୍କ ଗୋଡ଼ ଖସି ଯାଇଥିଲା। ସାଙ୍ଗମାନେ ରାଜେଶଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାଜେଶକୁ ଉଦ୍ଧାର କରିବା ପାଇଁ ଅପରେସନ କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ସେମାନେ ରାଜେଶର ମୃତଦେହ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ ରାଜେଶର ବାପା ହାଡିଆ ସେଠୀ ଜଣେ ଲଣ୍ଡ୍ରା ଦୋକାନୀ। ଏକମାତ୍ର ପୁଅକୁ ପାଠ ପଢ଼ାଇ ମଣିଷ କରିବେ ବୋଲି କାହିଁକେତେ ସପ୍ନ ଦେଖିଥିଲେ। ରଂଗ ଓ ଖୁସିର ପର୍ବ ହୋଲିରେ ପୁତ୍ରକୁ ହରାଇ ସେ ଭାଙ୍ଗିପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର