ବାରିପଦାରେ ନିର୍ମାଣ ହୋଇପାରୁନି ମିନି ଷ୍ଟାଡିୟମ୍‌

ଅନୁମତି ଦେଉନି ବନ ବିଭାଗ, ଫେରିଯିବ ୨୦ ଲକ୍ଷ

ବାରିପଦା: ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ରାଜ୍ୟ ସରକାର ୨୦୧୬-୧୭ ମସିହାରେ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଗୋଟିଏ ଲେଖାଏ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରିଥିଲେ। ପ୍ରତି ଷ୍ଟାଡିୟମ ପାଇଁ ୨୦ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ ସରକାର। ତେବେ ଯୋଜନାର ୫ ବର୍ଷ ପରେ ବି ଜିଲ୍ଲା ସଦର ମହକୁମା ବାରିପଦା ବ୍ଲକ୍‌ରେ ମାତ୍ର ୨ଟି ଗଛ ପାଇଁ ମିନି ଷ୍ଟାଡିୟମ ନିର୍ମାଣ ହୋଇ ପାରୁନାହିଁ। ଭିତ୍ତିଭୂମି ବିକାଶ ପାଇଁ ଚିହ୍ନଟ ହୋଇଥିବା ପଡ଼ିଆରେ ଦୁଇଟି ଗଛ ରହିଛି। ସେହି ଦୁଇ ଗଛକୁ ବନ ବିଭାଗ କାଟୁ, ନଚେତ କାଟିବାକୁ ଅନୁମତି ଦେଉ। ଏଭଳି ବାରମ୍ବାର ଅନୁରୋଧପତ୍ର ପଠାଯାଉଛି। ହେଲେ କୌଣସି ଉତ୍ତର ଆସୁନାହିଁ। ବନ ବିଭାଗର ଅନୁମତି ମିଳୁନଥିବାରୁ ଗଛ କଟା ଯାଇପାରୁନି କି ଷ୍ଟାଡିୟମ ନିର୍ମାଣ ହୋଇ ପାରୁନାହିଁ।

ଏହାକୁ ନେଇ କ୍ରୀଡାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାର ୨୬ ବ୍ଲକ୍‌ ମଧ୍ୟରୁ ୨୪ଟି ବ୍ଲକ୍‌ରେ ମିନି ଷ୍ଟାଡିୟମ ନିର୍ମାଣ ହୋଇଛି। ତେବେ ବିଭିନ୍ନ କାରଣରୁ ଅଧିକାଂଶ ଷ୍ଟାଡିୟମ ଏବେ ବୁଲା ଗୋରୁଗାଈଙ୍କ ଚରାଭୂଇଁ ପାଲଟିଛି। କୁଳିଅଣା ବ୍ଲକ୍‌ରେ ଜାଗା ବିବାଦ ଯୋଗୁ ଷ୍ଟାଡିୟମ ନିର୍ମାଣ ହୋଇ ପାରୁନାହିଁ। ହେଲେ ବାରିପଦା ବ୍ଲକ୍‌ ଶଙ୍ଖାଭଙ୍ଗାରେ ଚିହ୍ନଟ ପଡ଼ିଆରେ ବନ ବିଭାଗ ଅନୁମତି ଦେଉନଥିବାରୁ ସେଠାରେ ମିନି ଷ୍ଟାଡିୟମ ନିର୍ମାଣ ହୋଇ ପାରୁନାହିଁ। ଏହି ପଡ଼ିଆଟି ବନ ବିଭାଗର ହୋଇଥିଲେ ବି ଏଠାରେ ବହୁଦିନରୁ ପିଲାମାନେ ଖେଳାଖେଳି କରୁଛନ୍ତି। ପଡ଼ିଆର ବିକାଶ ହେଲେ ଖେଳାଳିମାନେ ଉପକୃତ ହୁଅନ୍ତେ। ତେବେ ଷ୍ଟାଡିୟମ ନିର୍ମାଣ ବାଟରେ କଣ୍ଟା ସାଜିଛି ଦୁଇଟି ଗଛ। ଗଛ ଦୁଇଟି କଟାଯାଇପାରିଲେ ଆଉ କୌଣସି ସମସ୍ୟା ରହନ୍ତା ନାହିଁ ବୋଲି କ୍ରୀଡାବିତ୍ ଦେବାଶିଷ ଦାସ ଓ ପଙ୍କଜ ଲୋଚନ ମହାନ୍ତି କହିଛନ୍ତି। ଏ ନେଇ ସରକାର ଓ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ୫ ବର୍ଷ ହେଲା ୨୦ ଲକ୍ଷ ଟଙ୍କା ଆସି ପଡ଼ିରହିଛି। କାମ ନହେବା ଯୋଗୁ ଏହି ଟଙ୍କା ଫେରିଯିବାର ଆଶଙ୍କା ଉପୁଜିଛି। ଏ ନେଇ ବାରିପଦା ବିଡିଓ ଆକୁଳ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ବନ ବିଭାଗକୁ ଅନୁମତି ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯେବେ ଅନୁମତି ଆସିବ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କ କହିବା କଥା ହେଲା, ଗଛକଟା ଅନୁମତି ପାଇଁ ଉପରମହଲକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର