ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ଜେଲ୍ ଗଲା ଅଭିଯୁକ୍ତ ଶିବ

କଟକ: ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ସାଲେପୁର ଉପକାରାଗରକୁ ପଠାଇଦିଆଯାଇଛି। ଅଭିଯୁକ୍ତ ଶିବକୁ ପୁଣି ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ ନ କରିବା ହେତୁ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଶିବକୁ ପୁଲିସ ଗତ ଗୁରୁବାର ଦିନ ରିମାଣ୍ଡରେ ଆଣିଥିଲା। କିନ୍ତୁ ସେଦିନ ଶିବ ଚାଲି ନପାରିବାରୁ ରିମାଣ୍ଡର ପ୍ରଥମ ଦିନ ବେକାର ଯାଇଥିଲା। ଗତକାଲି କୁସୁପୁର ଗାଁ ତଥା ହତ୍ୟାକାଣ୍ଡ ଘଟାଇଥିବା ସ୍ଥଳ ଓ ଭଡ଼ାଘରେ ପହଞ୍ଚି ପୁଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା। କିନ୍ତୁ ଏଯାଏ କେବଳ ଶିବକୁ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଉଛି। ପୁଲିସ ଏଯାଏ ବ୍ୟବଚ୍ଛେଦ ରିପୋର୍ଟ ପାଇ ନଥିବାରୁ ତଦନ୍ତ ବିଶେଷ ଆଗେଇ ପାରୁନଥିବା କୁହାଯାଉଛି। କେବଳ ଶିବର ବୟାନ ଉପରେ ପୁଲିସ ବିଶ୍ବାସ କରି ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି।
ଭିତର ପଟୁ କବାଟ ଦେଇ ଶିବ ସମସ୍ତଙ୍କୁ ଜଣକ ପରେ ଜଣକୁ ହାଣି ଥିବା କହୁଛି। ଘରର ଲାଇଟ ବନ୍ଦ ଥିବା ବେଳେ ମୋବାଇଲ ଟର୍ଚ ଆଲୁଅରେ ୫ ଜଣଙ୍କୁ ହତ୍ୟା କରିଥିଲା। ପ୍ରଥମେ ଭାଉଜକୁ ପରେ ବଡ଼ଭାଇ ଅଲେଖକୁ, ପରେ ଦୁଇ ପୁତୁରାଙ୍କୁ ଓ ଶେଷରେ ଝିଆରୀକୁ ଶିବ ହାଣି ଥିବା କହୁଛି। ସମସ୍ତଙ୍କୁ ହାଣିବା ଏବଂ ସମସ୍ତେ ମରି ଯାଇଥିବା ନିଶ୍ଚିତ ହେବା ପରେ ଛାତ ଉପରକୁ ଯାଇ ଶିବ ଘଣ୍ଟାଏ ପବନ ଖାଇ ଘରର ମୁଖ୍ୟ ଫାଟକରେ ତାଲା ପକାଇ ନିଜ ଭଡ଼ା ଘରକୁ ଫେରିଯାଇଥିଲା ଏବଂ ପରେ ଭିଡିଓ ପ୍ରସ୍ତୁତ କରି ଛାଡ଼ିବା ସହିତ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା କହୁଛି। ଏ ସବୁର ସତ୍ୟାସତ୍ୟକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ରହୁଥିଲେ ବି ପୁଲିସ ଶିବକୁ ଧରି ଏଯାଏ ତଦନ୍ତ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଶିବ ତାର ବଡ଼ ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରୀଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର