୨ ଦିନ ପରେ ଚାଲିଲା କାଗଜ କଳ

ଜୟପୁର : ଜୟପୁର ସେବା କାଗଜ କଳର ଗୋଟିଏ ୟୁନିଟ କଂଚାମାଲ୍‌ ଅଭାବରୁ ଗତ ଦୁଇଦିନ ବନ୍ଦ ରହିବା ପରେ ଗୁରୁବାର ଦିନ ‘ବି’ ସିଫ୍ଟରୁ ପୁଣି ଆରମ୍ଭ ହୋଇଛି। ଏଠାରେ ଥିବା ୨ଟି ୟୁନିଟରୁ ଗୋଟିଏ ଚାଳୁଥିବା ବେଳେ ଗୋଟିଏ ଯୁନିଟ୍ ଦୀର୍ଘ ୫ମାସ ହେବ ହେବ ବନ୍ଦ ରହିଛି। ପର୍ଯ୍ୟାପ୍ତ ପରିମାଣର କାଠ, କୋଇଲା ଓ କେମିକାଲ ଆଦି କଂପାନି ଜମା କରି ନ ରଖି ଅଳ୍ପ ଅଳ୍ପ ରଖୁଥିବାରୁ ଗୋଟିଏ ୟୁନିଟ ବି ଠିକ୍‌ରେ ଚାଲି ପାରୁନି।

ସୂଚନା ଯୋଗ୍ୟ, ଏପ୍ରିଲ୍ -୨୦୨୦ ରୁ ନଭେମ୍ବର -୨୦୨୧ ପର୍ଯ୍ୟନ୍ତ ପ୍ରାୟ ୧୯ ମାସ ଯନ୍ତ୍ରାଂଶ ମରାମତି ଏବଂ ପରେ କୋରୋନା ମହାମାରୀରେ କଂପାନି ବନ୍ଦ ରହିଥିଲା। ପରେ ଏହାକୁ ବିଜିପିପିଏଲ୍ –ବିଲ୍ଟଠାରୁ ନୂଆ କଂପାନି ମଦର ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ ପରିଚାଳନା ଭାର ନେଇଥିଲା। ୨୦୨୨ ମେ’ ମାସରୁ ଉତ୍ପାଦନ ଆରମ୍ଭ ହେଲା ପରେ ପ୍ରତି ମାସରେ କଞ୍ଚାମାଲ କାଠ, କୋଇଲା ଓ କେମିକାଲ ଅଭାବ ଯୋଗୁଁ ଅଧାରୁ ଅଧିକ ଦିନ କଗଜକଳ ବନ୍ଦ ରହୁଛି। ମେ’ ମାସରୁ ପରୀକ୍ଷାମୂଳକ ଉତ୍ପାଦନ ପାଇଁ ଗୋଟିଏ ମେସିନରେ କାମ ଆରମ୍ଭ ହେବା ସହ ଧୀରେଧୀରେ ଦ୍ବିତୀୟ ମେସିନରେ ବି ଉତ୍ପାଦନ କରାଯାଇଥିଲା। ଗତ ନ‌ଭେମ୍ବର ୯ରୁ ୨୩ତାରିଖ ଓ ୨୭ତାରିଖରୁ ପୁଣି ଡିସେମ୍ବର ୨୫ ପର୍ଯ୍ୟନ୍ତ ପୁଣି କଂଚାମାଲ ଅଭାବରୁ କଂପାନି ବନ୍ଦ ରହିଥିଲା। କଂପାନି ବହୁ କଷ୍ଟରେ ୫୦ପ୍ରତିଶ୍ରତ ବକେୟା ଟଙ୍କା ଦେବା ପରେ ଏବେ ସପ୍ତାହରେ ଥରେ ଦେବାକୁ ପ୍ରତିଶ୍ରୁତି ଦେଇ ପାଳନ କରୁନି। ଗତ ୨୦ଦିନ ହେବ ନ ଦେବା ଫଳରେ ପୁଣି ପୂର୍ବର ସେହି ୯କୋଟି ଟଙ୍କା ବାକି ରହିଥିବା କାଠ ଭେଣ୍ଡରମାନେ କହିଛନ୍ତି। କର୍ମଚାରୀମାନଙ୍କୁ ନିୟମିତ ସଂପୂର୍ଣ୍ଣ ଦରମା ନ ଦେଇ ଅଗ୍ରୀମ ଆକାରରେ ଦିଆଯାଉଛି। ଅଗ୍ରୀମରେ ପୁଣି ଅଧା ଟଙ୍କା, ତାହା ପୁଣି ଦୁଇରୁ ତିନି ମାସକୁ ଥରେ ଏବଂ ଠିକ୍‌ ସମମୟରେ ଦେଉ ନଥିବା କର୍ମଚାରୀ କହିଛନ୍ତି।

କଂପାନି ପକ୍ଷରୁ ଶ୍ରମିକମାନଙ୍କ ଇଏସଆଇ, ଫିଏଫ୍‌ ଆଦି ଟଙ୍କା ବି ଜମା ନିୟମିତ କରାଯାଉ ନଥିବା କହିଛନ୍ତି ଶ୍ରମିକ। ଅବସରପ୍ରାପ୍ତ ଶ୍ରମିକଙ୍କ ବକେୟା ପାଉଣା, ପିଏଫ୍ ପେନସନ୍ , ଗ୍ରାଚ୍ୟୁଇଟି ଆଦି ମିଳି ନଥିବା ଅଭିଯୋଗରେ ଅବସରପ୍ରାପ୍ତ ଶ୍ରମିକମାନେ ପଂଚବଟୀ ଅଧିକାରୀ ମାନଙ୍କ ବାସଭବନ ସମ୍ମୁଖରେ ଦଣ୍ଡାୟମାନ ଧାରଣା‌ ଦେବା ଜାରି ରଖିଛନ୍ତି। ଅପରପକ୍ଷରେ ଏହି ମାସର ୨୬ତାରିଖରେ ଏଠାରେ ଉତ୍ପାଦିତ କାଗଜକୁ ବଜାରରେ ବିକ୍ରିବଟା କରିବା ପାଇଁ ବିଲଟ୍ କଂପାନିର ମାର୍କେଟିଂ ଚୁକ୍ତି ସରିବାକୁ ଯାଉଛି। ପୁଣି ଚୁକ୍ତିର ନୂଆ ନବୀକରଣ କରାଯାଇ ନାହିଁ। ଅଳ୍ପ ଅଳ୍ପ କଂଚାମାଲ ମଗାଇ ଦୁଇଟି ୟୁନିଟ ବଦଳରେ ଗୋଟିଏ ୟୁନିଟକୁ ଚଳାଯାଉଛି। ପ୍ରତିଦିନ ଉତ୍ପାଦିତ ହେଉଥିବା ଶହେ ଟନ୍ ପେପର ମିଲ୍‌ରେ ଜମା ରଖିବା ବଦଳରେ ଯେଉଁ ଦିନ ବାହାରୁଛି ସେ ଦିନ ହିଁ ତାହାକୁ ବଜାରରେ ବିକ୍ରି କରାହେଉଛି। ଗତ ୨ମାସ ହେବ କର୍ମଚାରୀଙ୍କୁ ଦେଉଥିବା ଦରମା ଅଗ୍ରୀମ ଟଙ୍କା ନଦେଇ ଗୋଟିଏ ୟୁନିଟରେ ଅଳ୍ପ ଅଳ୍ପ କଂଚାମାଲରେ ମିଲ୍‌ ଚଳାଉଥିବାରୁ ଆଗାମୀ ଦିନରେ ମିଲ୍‌କୁ ନେଇ କର୍ମଚାରୀ, ଶ୍ରମିକ ମାନେ ସଂଦେହରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର