ଯୁବ କଂଗ୍ରେସ ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତି ରଞ୍ଜନ

ଭୁବନେଶ୍ବର : ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ବିବାଦ ଘେରକୁ ଆସିଛନ୍ତି। ତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଯୁବ କଂଗ୍ରେସର ଜଣେ ପୂର୍ବତନ କର୍ମକର୍ତ୍ତା। ଶ୍ରୀ ଲେଙ୍କା ପଦପଦବି ଲୋଭ ଦେଖାଇ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ଯୁବ କଂଗ୍ରେସର ମିଡିଆ ସେଲ୍‌ର ପୂର୍ବତନ ଅଧ୍ୟକ୍ଷ ନିହାର ବେହେରା ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ଶ୍ରୀ ଲେଙ୍କା ଖଣ୍ଡନ କରିଛନ୍ତି। ଆସନ୍ତା ୨୫ ତାରିଖରେ ଯୁବ କଂଗ୍ରେସର ହେବାକୁ ଥିବା ‘ଯୁବ ଆକ୍ରୋଶ ସମାବେଶ’ ପୂର୍ବରୁ ଏପରି ଅଭିଯୋଗ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିହାର ବେହେରା କହିଥିଲେ ଯେ ଆସାମ ଓ ତ୍ରିପୁରା ଦାୟିତ୍ୱରେ ଥିବା ବେଳେ ସ୍ମୃତିରଞ୍ଜନ ଲେଙ୍କା ଅନେକ ଝିଅଙ୍କ ଇଜ୍ଜତ ସହ ଖେଳ ଖେଳିଛନ୍ତି। ସେମାନଙ୍କୁ ପ୍ରଲୋଭନ ଦେଖାଇ ଶୋଷଣ କରିଛନ୍ତି। ଜଣେ ମହିଳାଙ୍କୁ ଦଳୀୟ ପଦପଦବିରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ପରେ ପ୍ରତାରଣା କରିଛନ୍ତି। ସେ ସଂକ୍ରାନ୍ତରେ କିଛି ହ୍ବାଟ୍‌ସ୍‌ ଆପ୍ ଚାଟ୍‌, ମୋବାଇଲ୍‌ ବାର୍ତ୍ତାଳପର ଅଡିଓ, ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯିଏ ଝିଅ ଓ ବୋହୂମାନଙ୍କୁ ପଦ ପଦବି ଦେବା ନାଁରେ ଶୋଷଣ କରେ, ତାହା କଂଗ୍ରେସର ଗଣତନ୍ତ୍ର ବିରୋଧୀ। ଏପରି ଜଣେ ବ୍ୟକ୍ତିଙ୍କ ନେତୃତ୍ବକୁ ରାଜ୍ୟ ଯୁବ କଂଗ୍ରେସ କର୍ମୀ ଓ କଂଗ୍ରେସ କର୍ମୀ ଗ୍ରହଣ କରିପାରୁ ନାହାନ୍ତି। ଏଥି ପାଇଁ ଯୁବ କଂଗ୍ରେସ ଏକ ଅଥର୍ବ ସଂଗଠନରେ ପରିଣତ ହୋଇଛି। ଆସନ୍ତା ୨୫ରେ ହେବାକୁ ଥିବା ଯୁବ କଂଗ୍ରେସର ସମାବେଶରେ ଶ୍ରୀ ଲେଙ୍କାଙ୍କୁ ବିରୋଧ ପ୍ରଦର୍ଶନ କରାଯିବ। ସମାବେଶରେ ଯୋଗ ଦେବା ପାଇଁ ଆସୁଥିବା ଯୁବ କଂଗ୍ରେସର ଜାତୀୟ ସଭାପତିଙ୍କ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରାଯିବ। କେଉଁ ଆଧାରରେ ଶ୍ରୀ ଲେଙ୍କାଙ୍କୁ ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତି କରାଗଲା ତାହା ଜାଣିବାର ଅଧିକାର ସବୁ କଂଗ୍ରେସ କର୍ମୀଙ୍କର ଅଛି ବୋଲି ନିହାର କରିଛନ୍ତି।

ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀ ଲେଙ୍କା। ସେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅସହିଷ୍ଣୁ ଭାବ ରଖି ଏପରି କରାଯାଉଛି। ମୋ ଛବିକୁ କଳଙ୍କିତ କରିବାକୁ ହେଉଥିବା ଚେଷ୍ଟା ସଫଳ ହେବ ନାହିଁ। ନିହାର ବେହେରା କଂଗ୍ରେସର କାର୍ଯ୍ୟକର୍ତ୍ତା ନୁହନ୍ତି। ଯଦି କୌଣସି ଯୁବତୀଙ୍କୁ ଯଦି ସେ ଯୌନ ନିର୍ଯାତନା ଦେଇଥିଲେ, ତେବେ ସେ ସାମ୍ନାକୁ ନ ଆସି ନିହାର ବେହେରା କାହିଁକି ଅଭିଯୋଗ କରୁଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀ ଲେଙ୍କା।

ସମ୍ବନ୍ଧିତ ଖବର