ଟିଟୋ ଲିଙ୍କ: ବିଜେପି ନେତାଙ୍କୁ ଏସ୍‌ଟିଏଫ୍‌ର ଜେରା

ଭୁବନେଶ୍ବର : ଠିକ୍‌ ନିର୍ବାଚନ ପୂର୍ବରୁ ଗ୍ୟାଙ୍ଗଷ୍ଟର ସୟଦ ଉସମାନ୍‌ ଅଲ୍ଲୀ ଓରଫ ଟିଟୋ ଲିଙ୍କ ନେଇ ପୁଣି ଖୋଳତାଡ଼ ଆରମ୍ଭ ହୋଇଛି। ଟିଟୋର କେତେକ ରାଜନୈତିକ ଦଳ ସହ ସମ୍ପୃକ୍ତି ଓ ରାଜନେତାଙ୍କ ସହ ବ୍ୟାବସାୟିକ କାରବାର ଥିବା ନେଇ ଅରମ୍ଭ ହୋଇଛି ଖୋଳତାଡ଼। ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ଏସ୍‌ଟିଏଫ୍‌ରେ ହାଜର ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଶ୍ରୀ ଜେନା ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏସ୍‌ଟିଏଫ୍‌ରେ ହାଜର ହେବା ପରେ ତାଙ୍କୁ ଅଧ ଘଣ୍ଟାଏ କାଳ ଜେରା କରାଯାଇଥି‌ଲା। ଟିଟୋ ସହ ତାଙ୍କର ଆର୍ଥିକ ଓ ବ୍ୟାବସାୟିକ କାରବାର ନେଇ ପଚରାଉଚରା କରାଯାଇଥିଲା। ବିଶେଷ କରି ଟିଟୋରା କେନ୍ଦ୍ରାପଡ଼ା ସ୍ଥିତ ପମ୍ପ ହାଉସ୍‌ , ପାରାଦୀପରେ ଥିବା ଅନ୍ୟ ଏକ ପେଟ୍ରୋଲ୍‌ ପମ୍ପକୁ ନେଇ ପଚରା ଉଚରା କରାଯାଇଥିବା ବିଶେଷସୂତ୍ରରୁ ଖବର ମିଳିଛି।

ପ୍ରକାଶ ଥାଉ କି, ଟିଟୋ ଗିରଫ ପରେ ଏସ୍‌ଟିଏଫ୍‌ ପକ୍ଷରୁ କେନ୍ଦ୍ରାପଡ଼ା ପେଟ୍ରୋଲ ପମ୍ପ ସିଲ୍‌ କରାଯାଇଥିଲା। ପେଟ୍ରୋଲ ପମ୍ପକୁ ନେଇ ଗତ ୧୦ ଜୁଲାଇ ୨୦୧୮ରେ କେସ୍‌ ନଂ- ୮/୧୮ରେ ଦଫା ୩୮୬,୪୧୧, ୪୧୪, ୪୨୦, ୪୬୭, ୪୬୮, ୪୭୧ ଓ ୧୨୦(ଖ)ରେ ମାମଲା କରାଯାଇଥିଲା। ଏବେ ସିବିଆଇ ୩ଟି ପର୍ଯ୍ୟାୟରେ ଏହାର ତଦନ୍ତ ଜାରି କରିଛି। ତେବେ ଏହି ଘଟଣାରେ ଭୁବନଙ୍କଠାରୁ କେତେକ ତଥ୍ୟ ଜାଣିବା ନିମନ୍ତେ ତାଙ୍କୁ ଗତ ୧ ତାରିଖରେ ଏସ୍‌ଟିଏଫ୍‌ରେ ହାଜର ହେବା ପାଇଁ ଡିଏସ୍‌ପି ତପନ ମହାନ୍ତି ‌ନିର୍ଦେଶ ଦେଇଥିଲେ। ହେଲେ ସେ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ହାଜର ହୋଇପାରି ନଥିଲେ। ଗୁରୁବାର ଅର୍ଥାତ ୭ ତାରିଖରେ ହାଜର ହେବା ପାଇଁ ତାଙ୍କୁ ନିର୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର