‘ପାଣ୍ଡିଆନ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ଅରୁଣ ବାଚାଳାମି କରୁଛନ୍ତି’: ପ୍ରତି ନିର୍ବାଚନ ପୂର୍ବରୁ ମନ୍ତ୍ରୀପଦରୁ କାହିଁକି ତଡ଼ା ଖାଆନ୍ତି?

ନୟାଗଡ଼: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଗଣମାଧ୍ୟମରେ ବାଇଟ୍‌ ଦେଇ ଟାର୍ଗେଟ୍‌ କରିବା ପରେ, ଆଜି ଅରୁଣଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାର୍ଗେଟ୍‌ କରାଯାଇଛି। ପୁଣି ମନ୍ତ୍ରୀ ହେବା ଲୋଭରେ ସୌମ୍ୟଙ୍କୁ ଅରୁଣ ଆକ୍ଷେପ କରୁଥିବା କଂଗ୍ରେସ କହିଛି। ଖଣ୍ଡପଡ଼ା ବିଧାୟକ ‘ସମ୍ବାଦ’ରେ ‘ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା’ ଶୀର୍ଷକ ସମ୍ପାଦକୀୟ ଓଡ଼ିଶାରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ଲେଖା ପ୍ରକାଶ ପାଇବାର ୨ ସପ୍ତାହ ପରେ ନୟାଗଡ ବିଧାୟକ ଶ୍ରୀ ସାହୁ ସୌମ୍ୟରଞ୍ଜନଙ୍କୁ ସମାଲୋଚନା କରିବା ସମ୍ପୂର୍ଣ୍ଣ ପ୍ରାୟୋଜିତ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ପ୍ରେସ୍‌ରିଲିଜ୍‌ ଜରିଆରେ କହିଛନ୍ତି।

ଶ୍ରୀ ଦାଶ କହିଛନ୍ତି, ଅରୁଣଙ୍କ ଭାଷାରେ ସୌମ୍ୟରଞ୍ଜନ ଯଦି ମନ୍ତ୍ରୀ ହେବା ଲୋଭରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ଫାଇଭ୍‌-ଟି ସଚିବଙ୍କୁ ଟାର୍ଗେଟ କରୁଛନ୍ତି, ତେବେ ଅରୁଣ ଫାଇଭ୍‌-ଟି ସଚିବଙ୍କ ବିଶ୍ୱାସଭାଜନ ହୋଇ ପୁଣି ମନ୍ତ୍ରୀ ହେବା ଲୋଭରେ ସୌମ୍ୟଙ୍କ ପ୍ରତି କଟୁ ମନ୍ତବ୍ୟ ଦେଉଥିବା ସ୍ପଷ୍ଟ ହେଉଛି। ପ୍ରତି ନିର୍ବାଚନ ପୂର୍ବରୁ ଅରୁଣ ମନ୍ତ୍ରୀ ପଦରୁ କାହିଁକି ତଡ଼ା ଖାଆନ୍ତି ବୋଲି ନୟାଗଡ଼ କଂଗ୍ରେସ ପ୍ରଶ୍ନ କରିଛି। ମନ୍ତ୍ରୀପଦରୁ ତଡ଼ା ଖାଇବା ପରେ ନିଜର ଗୁରୁତ୍ବ ବଢ଼ାଇ ୨୦୨୪ ରେ ନୟାଗଡ଼ ଟିକେଟ୍‌ ଆଉ ମନ୍ତ୍ରୀପଦ ଆଶା କରି ସୌମ୍ୟଙ୍କ ବିରୋଧରେ ତମ୍ବିତୋଫାନ କରି ନୂଆ ଚାଲ୍‌ ଖେଳୁଛନ୍ତି ଅରୁଣ। ସୌମ୍ୟରଞ୍ଜନ ନୁହେଁ, ଅରୁଣ ମନ୍ତ୍ରୀପଦ ବିନା ଅସହାୟ ବୋଲି କଂଗ୍ରେସ କହିଛି।

ନୟାଗଡ଼ ବିଧାୟକ ଖଣ୍ଡପଡ଼ାର ବିକାଶକୁ ନେଇ ପ୍ରଶ୍ନ କରୁଥିବା ବେଳେ, ଗୋଦରୀ ନିଜ ଗୋଡ଼କୁ ଅନା ନ୍ୟାୟରେ ଅରୁଣ ସାହୁ ଶକ୍ତିମନ୍ତ୍ରୀ ଥିବାବେଳେ ଭାପୁରଠାରେ ପ୍ରସ୍ତାବିତ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପାଇଁ ଏମଓୟୁ ହୋଇ ଇଡ୍‌କୋ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲା। କାହିଁକି ସେହି ତାପଜ ବିଦ୍ୟୁତ ପ୍ରକଳ୍ପ ବନ୍ଦ କରାଗଲା ଅରୁଣ ଜବାବ ରଖନ୍ତୁ ବୋଲି କଂଗ୍ରେସ କହିଛି। ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ, ନୟାଗଡ଼ରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଫେଲ୍‌, ଦୀର୍ଘ ୨୪ ବର୍ଷ ବିଜେଡି ଶାସନରେ ନୟାଗଡ଼-ଓଡ଼ଗାଁ ଲୋକେ ପିଇବା ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି। ୨୪ ବର୍ଷରେ ନୟାଗଡ଼-ଓଡ଼ଗାଁରେ ଇଞ୍ଚେ ଜମି ଜଳସେଚନ କରାଇବାରେ ବିଫଳ। ଅରୁଣ କୃଷିମନ୍ତ୍ରୀ ଥିଲେ, ନୟାଗଡ଼ରେ ଗୋଟେ ଶୀତଳଭଣ୍ଡାର ହେଇପାରିଲାନି। ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ହେଲେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରାଇପାରିଲେନି ବା ପିଜି ଶ୍ରେଣୀ ଖୋଲି ପାରିଲେନି। ୨୦୧୯ ନିର୍ବାଚନରେ ଜିତିବାର ୭ ଦିନ ମଧ୍ୟରେ ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇ ଅରୁଣ ନୟାଗଡ଼ବାସୀଙ୍କୁ ଭଣ୍ଡାଇଛନ୍ତି। ନୟାଗଡ଼ ବିକାଶକୁ ନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ନୟାଗଡ଼ ବିଧାୟକ ଖଣ୍ଡପଡ଼ାର ବିକାଶର ପ୍ରଶ୍ନ ପଚାରି ସୌମ୍ୟଙ୍କୁ ଘେରିବା ହାସ୍ୟାସ୍ପଦ ବୋଲି କଂଗେସ କହିଛି। ଅରୁଣ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରୁ ସେ ଚାପରେ ଥିବା, ପାଣ୍ଡିଆନ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ବାଚାଳାମି କରୁଥିବା ବାରି ହୋଇପଡ଼ୁଥିବା ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର