କରୋନା ପାଇଁ ସତର୍କତା : ୨୯ ଯାଏ ବନ୍ଦ ହେଲା ବିଧାନସଭା

ବିଜେପିର କଡ଼ା ବିରୋଧ, କଂଗ୍ରେସ ଦେଲା ସମର୍ଥନ

ଭୁବନେଶ୍ବର : କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ବିଧାନସଭାର ବଜେଟ୍‌ ଅଧିବେଶନକୁ ୨୯ ତାରିଖ ଯାଏ ବନ୍ଦ ରଖାଯାଇଛି। ଫଳରେ ଆଉ କୌଣସି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରିବ ନାହିଁ। ୩୦ ତାରିଖରେ ଗିଲୋଟିନ୍ ମାଧ୍ୟମରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ପାରିତ ହେବ। ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ବି। ବିଜେପି ସଭ୍ୟମାନଙ୍କ କଡ଼ା ବିରୋଧ ମଧ୍ୟରେ ସରକାରୀ ଦଳ ଆଣିଥିବା ଏ ସଂକ୍ରାନ୍ତ ପ୍ରସ୍ତାବକୁ ଗୃହ ବାଚନିକ ଭୋଟରେ ଅନୁମୋଦନ କରିଥିଲା। ତେବେ କଂଗ୍ରେସ ପ୍ରସ୍ତାବକୁ ସମର୍ଥନ ଦେଇଥିଲା।

ଆଜି ପୂର୍ବାହ୍ନ ୧୧ଟା ୪୦ରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତି ଓ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଥିଲେ। ତାହା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କରୋନା ପାଇଁ ବିଧାନସଭା ଅଧିବେଶନ ୨୯ ତାରିଖ ଯାଏ ବନ୍ଦ ରଖିବାକୁ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହାର ତୀବ୍ର ସମାଲୋଚନା କରି କହିଲେ, କରୋନା ପାଇଁ ପ୍ରତିକାରମୂଳକ ପଦ‌େକ୍ଷପ ନେବା ଭଲ। କିନ୍ତୁ ଓଡ଼ିଶାରେ ଏହି ରୋଗ ଆକ୍ରାନ୍ତ କରିପାରିବ ନାହିଁ। ଏଠାରେ ଖରାର ପ୍ରକୋପ ରହୁଥିବାରୁ ରୋଗ ହେବାର ଆଶଙ୍କା ନାହିଁ। ଦିଲ୍ଲୀରେ ଥଣ୍ଡା ପଡ଼ିଛି। ସେଠାରେ ସଂସଦ ଚାଲିଛି। କିନ୍ତୁ ଏଠାରେ ବିଧାନସଭା ବନ୍ଦ କରିବାକୁ ସରକାର ତତ୍ପର କାହିଁକି ? ଏ ପ୍ରକାର ପରମ୍ପରା ଗଣତନ୍ତ୍ରରେ ଠିକ୍ ନୁହେଁ। ଜଗନ୍ନ‌ାଥଙ୍କ ଟଙ୍କା ବିଷୟରେ ଆଲୋଚନା ହେଉଥିବାରୁ ସରକାର ଭୟ କରୁଛନ୍ତି କି ? ଜବାବ ଦେବା ବଦଳରେ ସରକାର ଭୟରେ ପଳାୟନପନ୍ଥୀ ସାଜିଛନ୍ତି। ଜଗନ୍ନାଥଙ୍କ ଜମାକୁ ନେଇ ଶାସକ ଦଳ ରାଜନୀତି କରୁଛି। ଦେଶର ବ୍ୟାଙ୍କକୁ ଆର୍‌ବିଆଇ ନିୟନ୍ତ୍ରଣ କରୁଛି। କିନ୍ତୁ ବିଜେଡି ସାଂସଦମାନେ ଆର୍‌ବିଆଇ ପାଖକୁ ନ ଯାଇ ଅର୍ଥମନ୍ତ୍ରୀଙ୍କ ପାଖକୁ କାହିଁକି ଯାଉଛନ୍ତି? ଯଦି ଟଙ୍କା ନ ମିଳିଲା, କେନ୍ଦ୍ର ସରକାରଙ୍କୁ ବଦନାମ କରିବା ଏମାନଙ୍କର ଉଦ୍ଦେଶ୍ୟ। ନଈ ନ ଦେଖୁଣୁ ସରକାର କପଡ଼ା ଖୋଲି ଦେଉଛନ୍ତି। ସଂଖ୍ୟା ବଳରେ ସରକାରୀ ଦଳ ଆଜି ବିଧାନସଭାକୁ ବନ୍ଦ କରି ଦେଇପାରେ। କିନ୍ତୁ ଲୋକ ଦେଖୁଛନ୍ତି। ସେମାନଙ୍କୁ ଭୂତେଇ ପାରିବନି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ, ବାଚସ୍ପତି ଗୃହ ଚଳାଇବା ବେଳେ ବିରୋଧୀ ଦଳକୁ ବିଶ୍ବାସକୁ ନେଇ ନାହାନ୍ତି। ଗୃହ ବନ୍ଦ ରଖିବା ଏକପାଖିଆ ନିଷ୍ପତ୍ତି ହେବ। ଏପରି ନିଷ୍ପତ୍ତି ନେବା ପୂର୍ବରୁ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ କାହିଁକି ଡକାଗଲା ନାହିଁ? ବିଧାନସଭା ଅଧାରୁ ବନ୍ଦ ହେଲେ ଲୋକଙ୍କୁ ଆମେ କି ଉତ୍ତର ଦେବୁ ? ସରକାର ଅଯଥାରେ ଆତଙ୍କ ସୃଷ୍ଟି କରୁଛନ୍ତି। ସରକାର ୟେସ୍‌ ବ୍ୟାଙ୍କ କରୋନାକୁ ଡରୁଛନ୍ତି ନା କରୋନା ରୋଗକୁ ଡରୁଛନ୍ତି ? ବିଧାନସଭା ଚାଲିଲେ କ’ଣ କରୋନା ବ୍ୟାପିଯିବ ? ବାଚସ୍ପତି ନିରପେକ୍ଷ ଭାବେ ନିଷ୍ପତ୍ତି ନେବାକୁ ସେ ଦାବି କରିଥିଲେ। ବିଜେପିର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର କହିଥିଲେ, ବିଭିନ୍ନ ଆଳରେ ବିଧାନସଭା ବନ୍ଦ କରିବା ସରକାରଙ୍କ ପୁରୁଣା ଅଭ୍ୟାସ। କରୋନା ପ୍ରସଙ୍ଗରେ ଲୋକଙ୍କ ମନରେ ଆମକୁ ସାହସ ଦେବାର ଅଛି। କିନ୍ତୁ ଆମେ ପଳାୟନପନ୍ଥୀ ସାଜୁଛୁ। ଅଯଥାରେ ସରକାର ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ୧୭ ଦିନ ଆଗରୁ ଶୀତ ଅଧିବେଶନ ସାରିଥିଲେ। ଏବେ ପୁଣି ବଜେଟ୍‌ ଅଧିବେଶନରେ ସେହି ଦଶା। ଏହା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ।

ବିଧାନସଭା ବନ୍ଦ ପ୍ରସ୍ତାବକୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ବିଧାନସଭା ବନ୍ଦ କରିବା ସରକାରଙ୍କ ପୁରୁଣା ଅଭ୍ୟାସ ଅଛି। ବିଜେପି ସହ ମେଣ୍ଟ ସରକାର ଥିଲା ବେଳେ ବି ଏମିତି ବନ୍ଦ ହୋଇଛି। କିନ୍ତୁ ସବୁ ନିଷ୍ପତ୍ତି ଯେ ଭୁ୍ଲ୍‌ ତାହା କହିହେବନି। ଗୁଜୁରାଟରେ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ଦାଣ୍ଡି ଯାତ୍ରାକୁ କରୋନା ପାଇଁ ସ୍ଥଗିତ ରଖାଯାଇଛି। ‌କରୋନା ଏପରି ଏକ ସାଂଘାତିକ ରୋଗ, ଯାହା କି ହଠାତ ଆସେ। ସେଥି ପାଇଁ କେନ୍ଦ୍ର ସରକାର ମଧ୍ୟ ଭିସା ବାତିଲ୍‌ କରିଛନ୍ତି। ତେଣୁ ସବୁପ୍ରକାର ପ୍ରତିକାରମୂଳକ ପଦ‌େକ୍ଷପ ନିଆଯିବା ଉଚିତ। ଦେଶର ବିଭିନ୍ନ ସ୍ଥାନରେ ଏମିତି ପଦକ୍ଷେପ ନିଆଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ନେଇ ସତର୍କ କରାଇଛି। ତେଣୁ ଏହାକୁ ଆମେ ଏଡ଼ାଇ ଦେଇପାରିବାନି। କରୋନା ରାଜ୍ୟରେ ନ ହେଉ। କିନ୍ତୁ ହଠାତ ହେଲେ ଆମେ କାହାକୁ ଦୋଷ ଦେବା ? ତେଣୁ ବିରୋଧୀ ଦଳ ଭାବେ ସବୁ କଥାକୁ ବିରୋଧ କରିବା ଠିକ୍ ନୁହେଁ। ବିଧାନସଭା ବନ୍ଦ ରଖାଯିବା ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରୁଛି। କଂଗ୍ରେସର ବରିଷ୍ଠ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଓ ତାରା ପ୍ରସାଦ ବାହିନୀପତି ଏହାକୁ ସମର୍ଥନ କରିଥିଲେ।

ପ୍ରସ୍ତାବକୁ ସମର୍ଥନ କରି ଶାସକ ଦଳ ପକ୍ଷରୁ ‌ବରିଷ୍ଠ ସଭ୍ୟ ଦେବୀ ପ୍ରସାଦ ମିଶ୍ର କହିଲେ, ସରକାର ପଳାୟନପନ୍ଥୀ ନୁ‌ହନ୍ତି। କରୋନା ଆହ୍ବାନକୁ ମୁକାବିଲା କରିବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେଣୁ ଏହି ପ୍ରସ୍ତାବକୁ ଗୃହୀତ କରାଯାଉ। ବରିଷ୍ଠ ସଭ୍ୟ ଅମର ଶତପଥୀ କହିଲେ, କରୋନାକୁ ନେଇ ଆମେ ଆତଙ୍କିତ ହେବାନି। କିନ୍ତୁ ପ୍ରସ୍ତୁତ ରହିବାକୁ ପଡ଼ିବ। ବରିଷ୍ଠ ସଭ୍ୟ ଭୂପିନ୍ଦର ସିଂହ ଓ ପ୍ରଦୀପ ମହାରଥୀ ପ୍ରସ୍ତାବକୁ ସମର୍ଥନ କରିଥିଲେ। ‌େଶଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତାବକୁ ପାରିତ କରିବା ପାଇଁ ଅନୁରୋଧ କରିଥିଲେ।

ଧ୍ବନି ମତରେ ପ୍ରସ୍ତାବଟି ପାରିତ ହୋଇଥିଲା। ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ନିଷ୍ପତ୍ତିର ପ୍ରତିବାଦ କରିଥିଲେ। ବିଜେଡି ଗଣତନ୍ତ୍ରର ହତ୍ୟାକାରୀ ବୋଲି ନାରା ଲଗାଇଥିଲେ। ଏମିତି ହୋହଲ୍ଲା ଭିତରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର