ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବାଚସ୍ପତିଙ୍କ ପ୍ରତିକ୍ରିୟା: ବିଧାୟକ କ୍ଷମା ମାଗିବା ଠିକ୍ ହେବ

ଭୁବନେଶ୍ବର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ବେଆଇନ୍। ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି।
ବିଜେପି ବିଧାୟକ ଦଳ ଏନେଇ ବୈଠକ କରନ୍ତୁ ଏବଂ ଏଥିପାଇଁ ଦଳ ଦୁଃଖ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି। ସରକାରୀ ଦଳ ବି ତାଙ୍କ କ୍ଷମା ଦାବି କରିଛନ୍ତି। ଗୃହ ଠିକ୍ ଭାବେ ଚାଲିବା ପାଇଁ କ୍ଷମା ମାଗିଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ସୂଚନାଯୋଗ୍ୟ, ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ରୋକି ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡି ବିଧାୟକ ଦଳ ମଧ୍ୟ ଗତକାଲି ଏନେଇ ବିଧାନସଭାରେ ହଙ୍ଗାମା କରିବା ସହିତ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଆଜି ବାଚସ୍ପତି ମଧ୍ୟ ବିଜେପି ବିଧାୟକଙ୍କୁ କ୍ଷମା ମାଗିନେବା ଠିକ୍ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର