ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋପୀଚାନ୍ଦ, ଡାଲମିଆ ସିମେଣ୍ଟ ଦେବ ୩୦ କୋଟି, ଡିସେମ୍ବରରୁ ନିର୍ମାଣ ଆରମ୍ଭ ହେବ

ଭୁବନେଶ୍ବର : ହକି ପରେ ଭୁବନେଶ୍ବରରେ ହେବ ବିଶ୍ବସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି। ବ୍ୟାଡ୍‌ମିଣ୍ଟନ୍‌ ଖେଳାଳିଙ୍କୁ ବିଶ୍ବସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଏହି ଏକାଡେମି ପ୍ରତିଷ୍ଠା କରାଯିବ। ଏଥିପାଇଁ ପୁଲେଲା ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ୍‌ ଫାଉଣ୍ଡେସନକୁ ସରକାର ୩ ଏକର ଜମି ପ୍ରଦାନ କରିଛନ୍ତି। ଆଜି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ବ୍ୟାଡ୍‌ମିଣ୍ଟନ୍‌ ତାରକା ପୁଲେଲା ଗୋପୀଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକାଡେମିର ଡିଜାଇନ୍ ଓ ଢାଞ୍ଚା ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି। ପିଜିବିଏଫ୍‌ ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ଏହି ଏକାଡେମି ପାଇଁ ଡାଲମିଆ ସିମେଣ୍ଟ ଭାରତ ଲମିଟେଡ ପକ୍ଷରୁ ୩୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ଡାଲମିଆ କମ୍ପାନି ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପୁନିତ ଡାଲମିଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଚଳିତ ବର୍ଷ ଡିସେମ୍ବରରୁ ଏକାଡେମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ବର୍ଷ ଡିସେମ୍ବର ମଧ୍ୟରେ ସମ୍ପୂର୍ଣ୍ଣ ହେବ। ପ୍ରସିଦ୍ଧ ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ପ୍ରଶିକ୍ଷକ ଶ୍ରୀ ଗୋପୀଚାନ୍ଦ ନିଜେ ପ୍ରଶିକ୍ଷଣ ପ୍ରଦାନ କରିବେ। ପିଜିବିଏଫ୍‌ର ଏହି ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଥିବା ଏହି ଏକାଡେମି ପାଇଁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼୍ କମ୍ପାନିର ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ୩୦ କୋଟି ଟଙ୍କା ଦେବାକୁ ସହମତି ପ୍ରକାଶ କରିଛି। ଏହି ଏକାଡେମି ଦେଶର ସବୁଠୁ ଉନ୍ନତମାନର ଏକାଡେମି ଭାବେ ପରିଗଣିତ ହେବ। କଳିଙ୍ଗ ଷ୍ଟାଡିୟମରେ ଗୋଟିଏ ବହୁମୁଖୀ ଇଣ୍ଡୋର ହଲ ନିର୍ମାଣ କରାଯାଉଛି। ୨୦୨୦ ଫେବ୍ରୁଆରି ସୁଦ୍ଧା ଏହି ଇଣ୍ଡୋର ହଲ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ମୁଖ୍ୟମନ୍ତ୍ରୀ ଆହୁରି ଦର୍ଶାଇ କହିଥିଲେ, ଗତକିଛି ବର୍ଷ ଭିତରେ ତାଙ୍କ ସରକାର ବିଭିନ୍ନ କ୍ରୀଡ଼ା ପାଇଁ ଉଚ୍ଚମାନର ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି। ବ୍ୟାଡ୍‌ମିଣ୍ଟନ୍‌ ପାଇଁ ହେବାକୁ ଥିବା ଏପରି ଏକାଡେମି ରାଜ୍ୟର କ୍ରୀଡ଼ା ବିକାଶ କ୍ଷେତ୍ରରେ ଆଉ ଗୋଟିଏ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହ ଉଦୀୟମାନ ବ୍ୟାଡ୍‌ମିଣ୍ଟନ୍‌ ତାରକାଙ୍କ ପାଇଁ ବରଦାନ ଭଳି କାମ କରିବ। ଏହି ଆଲୋଚନାବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, କ୍ରୀଡ଼ା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର