୧୧ ଘଣ୍ଟା ଅଟକିଲା ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍

କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ପଞ୍ଚାୟତ ବୁଢ଼ାମରା ରେଳ ଷ୍ଟେସନରେ ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍‌ ରହଣି ଓ ସ୍ଥାୟୀ ଟିକେଟ୍‌ କାଉଣ୍ଟର ପ୍ରତିଷ୍ଠା ଦାବିରେ ରେଳରୋକ କରିଛି ବୁଢ଼ାମରା ରେଳ ବିକାଶ ମଞ୍ଚ। ବୁଧବାର ଭୋର୍‌ ୪.୩୦ରେ ୧ ହଜାରରୁ ଅଧିକ ଲୋକ ଷ୍ଟେସନ୍‌ରେ ପହଞ୍ଚି ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍‌କୁ ଷ୍ଟେସନରେ ଅଟକ ରଖିବା ସହ ରେଳଧାରଣା ଉପରେ ବସି ରହିଥିଲେ। ଫଳରେ ୧୧ ଘଣ୍ଟା କାଳ ଟ୍ରେନ୍‌ଟି ଅଟକି ରହିବା ପରେ ଆଉ ଭୁବନେଶ୍ବର ନଯାଇ ବାଙ୍ଗିରିପୋଷି ଷ୍ଟେସନ୍‌କୁ ଫେରି ଯାଇଥିଲା।

ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍‌ ଜାତୀୟ ରାଜପଥ ଦେଇ ଯାଇଥିବା ରେଳକ୍ରସିଂ ପାର୍‌ ହେବାପାଇଁ ବୁଢ଼ାମରା ଷ୍ଟେସନ୍‌ରେ ଅଘୋଷିତ ଭାବେ କିଛି ସମୟ ଅଟକୁଥିଲା। ହେଲେ ରାଜପଥର ଦିଗ ପରିବର୍ତ୍ତନ ପରେ ଗତ ମାସରୁ ଏଠାରେ ଆଉ ଟ୍ରେନ୍ ରହୁନି। ଫଳରେ ଆଖପାଖ ଅଞ୍ଚଳର ଶହଶହ ଯାତ୍ରୀ ଟ୍ରେନ୍‌ ଧରିବାକୁ ହଇରାଣ ହେଉଛନ୍ତି। ଏ ସଂକ୍ରାନ୍ତରେ ରେଳବାଇ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ବେ ବୁଢ଼ାମରା ଷ୍ଟେସନରେ ଟ୍ରେନ୍‌ ଅଟକିବା ବାବଦରେ‌ କୌଣସି ନିଷ୍ପତ୍ତି ନିଆନଯିବାରୁ ବୁଧବାର ଦିନ ରେଳ ବିକାଶ ମଞ୍ଚର ଆହ୍ବାନକ୍ରମେ ରେଳରୋକ କରାଯାଇଥିଲା।

ସମ୍ବନ୍ଧିତ ଖବର