ବାରବାଟୀ ଟିକେଟ୍‌ କେଳେଙ୍କାରୀ : ପୁଲିସକୁ ନଜଣାଇ ଟିକେଟ୍‌ ଛାପିଛି ଓସିଏ

ଓସିଏ ମିଡିଆ ମ୍ୟାନେଜର ଅ˚ଜନ ଖୁଣ୍ଟିଆଙ୍କୁ ଜେରା, ଟିକେଟ୍‌ ବ୍ଲାକ୍ ଅଭିଯୋଗରେ ଦୁଇ ଯୁବକ ଗିରଫ

କଟକ : ବାରବାଟୀରେ ଟିକେଟ୍ କେଳେଙ୍କାରୀକୁ ପରୋକ୍ଷରେ ସ୍ବୀକାର କରିଛି ପୁଲିସ। ପୁଲିସର ବିନା ଜ୍ଞାତସାରରେ ଓସିଏ ଟିକେଟ ଛାପି ତାହାକୁ ବାଣ୍ଟିଛି। ବିନା ହଲୋଗ୍ରାମରେ ପ୍ରେସ୍‌ ବକ୍ସ ପାସ ପ୍ରସ୍ତୁତ କରି ବଣ୍ଟା ଯାଇଥିବା ଘଟଣା ଧରାପଡ଼ିବା ପରେ ଆଜି ଏଭଳି ତଥ୍ୟ ସାମ୍‌ନାକୁ ଆସିଛି। ୨୦୧୭ ଟି-୨୦ ମ୍ୟାଚ୍‌ରେ ଟିକେଟ୍‌ କେଳେଙ୍କାରୀ ପରି ଏଥର ମଧ୍ୟ ବଡ଼ ଧରଣର କେଳେଙ୍କାରୀ ହୋଇଥିବା ଆଶଙ୍କା କରାଯାଉଛି। ପ୍ରେସ୍‌ ବକ୍ସ ସହିତ ଅନ୍ୟ ଗ୍ୟାଲେରି ପାଇଁ ଏଭଳି ଟିକେଟ୍‌ ଯେ ଛପା ଯାଇ ନଥିବ, ସେ ଆଶଙ୍କାକୁ ଏଡାଇ ଦେଇ ହେଉ ନାହିଁ। ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଥିବା ବେଳେ ସାମାନ୍ୟ ଭୁଲରୁ ଏଭଳି ହୋଇଛି ବୋଲି ଡିସିପି ଅଖିଳେଶ୍ବର ସିଂହ ମତ ଦେଇଛନ୍ତି। କିନ୍ତୁ ଗୋଟିଏ ପଟେ ଏଭଳି ଟିକେଟ କେଳେଙ୍କାରୀ ସାମନାକୁ ଆସିଥିବା ବେଳେ ଅନ୍ୟପଟେ ବିଭିନ୍ନ ଅଞ୍ଚଳରୁ ଅନଲାଇନରେ ଟିକେଟ କିଣି ଖେଳ ଦେଖିବାକୁ ଆସିଥିବା କ୍ରିକେଟ ପ୍ରେମୀ ଗ୍ୟାଲେରି ଭିତରକୁ ପ୍ରବେଶର ସୁଯୋଗ ନ ପାଇ ଫେରି ଯାଇଥିବା ଅଭିଯୋଗ ହୋଇଛି। ଜାଲ୍ ଟିକେଟରେ ଦର୍ଶକ ଗ୍ୟାଲେରି ଭିତରେ ପଶି ଥିବାରୁ ପ୍ରକୃତ ଟିକେଟ ରଖିଥିବା ଦର୍ଶକ ଖେଳ ଦେଖିବାକୁ ବଂଚିତ ହୋଇଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ଏହି ଘଟଣାରେ ଫସି ଯାଇଛନ୍ତି ମିଡିଆ ମ୍ୟାନେଜର ଅ˚ଜନ ଖୁଣ୍ଟିଆ। ଡିସିପିଙ୍କ ଅଫିସରେ ଆଜି ପାଖାପାଖି ୩ ଘଣ୍ଟା କାଳ ତାଙ୍କୁ ଜେରା କରାଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ ସାମ୍ବାଦିକଙ୍କୁ ପାସ୍‌ ବଣ୍ଟାରେ ବଡ଼ ଧରଣର କେଳେଙ୍କାରୀ ହୋଇଥିବାରୁ କେଉଁ ଅନୁଷ୍ଠାନର ସାମ୍ବାଦିକଙ୍କୁ କେତେ ସ˚ଖ୍ୟାରେ ପାସ୍‌ ବଣ୍ଟାଯାଇଛି, ସେ ସମ୍ପର୍କରେ ଓସିଏ ନିକଟରେ କି ପ୍ରକାର ରେକର୍ଡ ରହିଛି, ପୁଲିସ ତାଙ୍କୁ ପଚାରିଥିଲା। କିନ୍ତୁ ଅ˚ଜନ ପୁଲିସକୁ ସେଭଳି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା କୁହାଯାଉଛି। ଅନ୍ୟପଟେ ଟିକେଟ୍‌ କେଳେଙ୍କାରୀ ଘଟଣାରେ ପୁଲିସ ଆଜି ବିଡାନାସୀର ଦିଲ୍ଲୀପ କୁମାର ବେହେରା ଏବ˚ ସିଡିଏର ସାମ୍‌ ଝାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇ ଜଣଙ୍କ ନିକଟରୁ ୭ଟି ଟିକେଟ୍‌ ଜବତ କରାଯାଇଛି। ଏମାନେ ୪ରୁ ୫ ହଜାର ଟଙ୍କା ମୂଲ୍ୟରେ ଟିକେଟ୍‌ ବିକ୍ରି କରିଥିବା ପୁଲିସ ପ୍ରମାଣ ପାଇଛି।

ଏଥର ମୋଟ ଟିକେଟ୍‌ରୁ ଦର୍ଶକଙ୍କ ପାଇଁ ପାଖାପାଖି ୨୨ ହଜାର ଟିକେଟ ବିକ୍ରି ହୋଇଥିବା ବେଳେ ପାସ୍‌ ଆକାରରେ ୨୧ ହଜାର ଟିକେଟ ବଣ୍ଟା ଯାଇଥିଲା। ସେଥିରେ ପ୍ରେସ୍‌ ବକ୍ସ ପାଇଁ ଥିବା ୧୨୦ ଟି ପାସ ମଧ୍ୟ ରହିଥିଲା। କିନ୍ତୁ ପ୍ରେସ୍‌ ବକ୍ସ ପାଇଁ ଥିବା ଟିକେଟ୍‌ରେ ହଲୋଗ୍ରାମ ନଥିବାରୁ କେଳେଙ୍କାରୀ ଧରାପଡ଼ିଥିଲା। ଆଜି ଏ ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓସିଏ କର୍ତ୍ତୃପକ୍ଷ କମିସନରେଟ୍‌ ପୁଲିସକୁ ଅବଗତ ନକରି କିଛି ଟିକେଟ୍‌ ଛାପି ଦେଇଥିବା ଡିସିପି ଅଖିଳେଶ୍ବର ସି˚ହ ହ୍ବାଟସ୍‌ଆପ୍‌ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଓସିଏ ସାମାନ୍ୟ ତ୍ରୁଟି କରିଛି। କିନ୍ତୁ ପ୍ରେସ୍‌ ପାସ୍‌ ପ୍ରଦାନ ଘଟଣାରେ କୌଣସି ପ୍ରକାର ତଦନ୍ତ ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।

ଚଳିତ ବର୍ଷ ଦୁର୍ନୀତକୁ ରୋକିବା ପାଇଁ ଟିକେଟ୍‌ ଛାପିବା କ୍ଷେତ୍ରରେ ଓସିଏ କର୍ତ୍ତୃପକ୍ଷ ବେଶ ସତର୍କ ଥିବା କୁହାଯାଉଥିଲା। ଟିକେଟ୍‌ ଗୋଟିଏ ସ˚ସ୍ଥା ଛାପିଥିବା ବେଳେ ଅନ୍ୟ ଏକ ସ˚ସ୍ଥାକୁ ଟିକେଟର ଭ୍ୟାଲିଡେସନ୍‌ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ଯଦ୍ବାରା ଦୁର୍ନୀତି ହେବାର ଆଶଙ୍କା କମ୍‌ ଥିଲା। କିନ୍ତୁ ସବୁଠୁ କମ ସିଟ ଥିବା ପ୍ରେସ ବକ୍ସ ଟିକେଟ ଛପା‌ରେ ଯଦି ଏଭଳି ଘଟଣା ଘଟିଛି ତେବେ ଅନ୍ୟ ଗ୍ୟାଲେରିରେ କାହିଁକି ସେଭଳି ଘଟି ନଥିବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର