ସ୍ୱାଧୀନତା ଦିବସ ପାଇଁ ଭଦ୍ରକ ଜିଲ୍ଲାରେ ଦିନ ୧୧ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା କୋହଳ

ଭଦ୍ରକ: ସ୍ୱାଧୀନତା ଦିବସ ପାଇଁ ଭଦ୍ରକ ଜିଲ୍ଲାରେ ସଟ୍‌ଡାଉନରେ କିଛି ଘଣ୍ଟା କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା କୋହଳ ରହିବ ବୋଲି ଜଣାଯାଇଛି। ଭଦ୍ରକ ଜିଲ୍ଲାରେ ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଭଳି କୋଭିଡ କଟକଣା ଲାଗୁ ରହିବ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ଜିଲ୍ଲାରୁ ୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଇ ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୧୮ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୫୦ ଜଣଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ମାତ୍ର ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ କୋଭିଡ୍‌ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ, କରୋନା ପାଇଁ ରାଜ୍ୟ ସରକାର ଖୋର୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ସହରରେ ଶନିବାର ଓ ରବିବାରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ପତାକା ଉତ୍ତୋଳନ କରିବା ଲାଗି ଅନମୁତି ପ୍ରଦାନ କରାଯାଇଛି। ତେବେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସର୍ବାଧିକ ୧୦ଜଣ ସାମିଲ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ସେହିପରି ସାମାଜିକ ଦୂରତ୍ବ ମାନିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର