କରୋନା ପ୍ରଭାବ: ରାଜଧାନୀ ଭୁବନେଶ୍ବରରେ ବି ସବୁ ଖାଁ ଖାଁ

ଭୁବନେଶ୍ବର: କରୋନା ସଂକ୍ରମଣର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ବି ସବୁ ଖାଁ ଖାଁ ଲାଗୁଛି।ଆଜି ସକାଳୁ ଭୁବନେଶ୍ବରରେ କମସଂଖ୍ୟକ ବସ୍ ଚଳାଚଳ କରୁଥିବାର ପରିଲକ୍ଷିତ ହୋଇଛି। ଠିକ୍ ସେହିପରି ରାସ୍ତାରେ ବିଶେଷ ଲୋକଙ୍କୁ ଦେଖିବାକୁ ମିଳୁନାହିଁ। ଏଣେ ଶ୍ରୀଲିଙ୍ଗରାଜ ମନ୍ଦିରରେ କଟକଣା।  ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଛି। କେବଳ ନୀତିକାନ୍ତି ହେଉଛି।

ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ମନ୍ଦିର ପ୍ରଶାସନ ଏହି ନିୟମ ଲାଗୁ କରିଛନ୍ତି । ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି ନିୟମ ପାଳନ ପାଇଁ ନିର୍ଦେଶ ଜାରି କରାଯାଇଛି । ରାଜ୍ୟର ସମସ୍ତ ଘରୋଇ ସ୍କୁଲ ବନ୍ଦ ରଖିବାକୁ ପୁଣିଥରେ ନିର୍ଦ୍ଦେଶ ଦିଆଯାଇଛି। ୧୬ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ସ୍କୁଲ ବନ୍ଦ ରହିବ । ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ କେହି ବି ବିଦ୍ୟାଳୟକୁ ଆସୁ ନଥିବା ଜଣାଯାଇଛି।

କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ ଉପରେ ରୋକ୍ ଲାଗିଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ରାଜଧାନୀର କୌଣସି ମନ୍ଦିର, ଚର୍ଚ୍ଚ, ମସଜିଦ୍, ଗୁରୁଦ୍ବାରକୁ ଶ୍ରଦ୍ଧାଳୁମାନେ ଯାଇ ପାରିବେନି। ଧର୍ମାନୁଷ୍ଠାନଗୁଡ଼ିକରେ ସାମାଜିକ ଦୂରତା ରଖିବା ସମ୍ଭବ ନ ଥିବାରୁ ବିଏମ୍‌ସି ପକ୍ଷରୁ ଏହି ନିର୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ ରୋକ୍ ଲାଗିଥିଲେ ବି ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନା ଯଥାରୀତି ହେବ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର