କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ମା’ ବିରଜାଙ୍କ ରଥଯାତ୍ରା; ସେବାୟତ, ପୁଲିସ ଓ କର୍ମଚାରୀଙ୍କର ହେବ ୩ ଥର କରୋନା ପରୀକ୍ଷା

ଯାଜପୁର: ମା’ ବିରଜାଙ୍କ ରଥଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି  ଯାଜପୁର ଜିଲ୍ଲା ପ୍ରଶାସନ । କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ବିରଜାଙ୍କ ରଥଯାତ୍ରା।  ରଥପାତ୍ରା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୖଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପାଇଁ କଟକଣା ଲାଗୁ କରିଛି ପ୍ରଶାସନ, ଜାରି ହୋଇଛି ୧୪୪ ଧାରା । ଆସନ୍ତା ୧୭ ରୁ ୨୪ ତ‍ାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଏହି ରଥଯାତ୍ରା ପାଇଁ ଅନେକ କଟକଣା ଜାରି କରାଯାଇଛି।

ଆସନ୍ତାକାଲି ଦିନ ୧୨ ଟା ସୁଦ୍ଧା ସେବାୟତଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ୯ ଦିନର ଏହି ରଥଯାତ୍ରା ପାଇଁ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଥିବା ସମସ୍ତ, ପୁଲିସ,ସେବାୟତମାନଙ୍କର ସମୟ ବ୍ୟବଧାନରେ ୩ ଥର କରୋନା ପରୀକ୍ଷା କରାଯିବ। ଅପରାହ୍ନ ୩.୩୦ ରୁ ୬.୩୦ ମଧ୍ୟରେ ରଥ ଟଣା କାର୍ଯ୍ୟ ଶେଷ ହେବ। ପ୍ରଶାସନ, ପୁଲିସ ଓ ସେବାୟତଙ୍କ ଦ୍ବାରା ଏହି ରଥଟଣା କାର୍ଯ୍ୟ ସଂପନ୍ନ  କରାଯିବ। ରଥଟଣା କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ବ୍ୟବସ୍ଥା କରାଯାଇଛି। ଏପରିକି ମନ୍ଦିର ପରିସରରେ ୯ ଦିନ ବ୍ୟାପୀ ୧୪୪ ଧାରା ଜାରି ଲାଗୁ କରାଯିବ। ମନ୍ଦିର ଚାରିପାଖରେ ଥିବା ଦୋକାନ ବନ୍ଦ ରହିବ। ମା’ ବିରଜାଙ୍କ ପାଦ ଦର୍ଶନ ଚଳିତ ବର୍ଷ ବନ୍ଦ ରହିବା ସହ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ ।

ଏ ନେଇ ହୋଇଥିବା ମାମଲାର  ଶୁଣାଣି କରି ରଥଯାତ୍ରା ଲାଗି ଅନୁମତି ଦେଇଥିଲେ ହାଇକୋର୍ଟ । କୋଭିଡ କଟକଣା ପାଳନ ସହ ରଥଯାତ୍ରା କରିବାକୁ ହାଇକୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବାକୁ ଜିଲ୍ଲାପ୍ରଶାସନ ରଥଯାତ୍ରା କମିଟିକୁ କହିଥିଲେ । ଏହାପରେ ମନ୍ଦିର କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହି ଅପିଲର ଶୁଣାଣି କରି କୋର୍ଟ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ ।

ସମ୍ବନ୍ଧିତ ଖବର