ରାଉରକେଲା ବଜାରରେ କଳା ଟମାଟୋ

ମଧୁମେହ, କ୍ୟାନ୍‌ସର ରୋଗ ପାଇଁ ବେଶ୍‌ ଉପକାରୀ

ରାଉରକେଲା: ଖାଦ୍ୟର ସ୍ବାଦ ବଢ଼ାଇବାକୁ ଆମେ ବ୍ୟବହାର କରୁ ଟମାଟୋ। ସାଧାରଣତଃ ଟମାଟୋର ରଙ୍ଗ ଲାଲ୍‌। ଏବେ ରାଉରକେଲା ବଜାରରେ ଉପଲବ୍ଧ ହେଉଛି କଳା ରଙ୍ଗର ଟମାଟୋ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଏହି ରଙ୍ଗର ଟମାଟୋ ବିଶେଷ କରି ଅଷ୍ଟ୍ରେଲିଆ, ୟୁରୋପରେ ଉତ୍ପାଦନ ହୋଇଥାଏ। ବିଦେଶୀମାନେ ଏହି ରଙ୍ଗର ଟମାଟୋ ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି। ଏଥିପାଇଁ ଦୁଇଟି ଦେଶରେ ହଜାର ହଜାର କ୍ବିଣ୍ଟାଲ କଳାରଙ୍ଗର ଟମାଟୋ ଚାଷ ହୋଇଥାଏ।

ଏବେ ସୀମାନ୍ତ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାରେ ଆରମ୍ଭ ‌ଏହି ପ୍ରଜାତିର ଟମାଟୋର ଚାଷ। ଟମାଟୋର ବେଶ୍‌ ଚାହିଦା ଥିବାରୁ ଶତାଧିକ ଚାଷୀ ଏହାକୁ ବେଉସାରେ ପରିଣତ କରି ସାରିଲେଣି। ବେଶ୍‌ ଦି’ ପଇସା ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏହି ପ୍ରଜାତିର ଟମାଟୋର ମଞ୍ଜି ଭାରତ ନୁହେଁ ଅଷ୍ଟ୍ରେଲିଆ, ୟୁରୋପ ମିଳେ। ଚାଷୀମାନେ ଅନ୍‌ ଲାଇନ୍‌ରେ ମଗାଉଛନ୍ତି। ସେପଟେ ସହରବାସୀ ବେଶ୍‌ ଆଗ୍ରହ ସହ କିଣୁଥିବାରୁ ବ୍ୟବସାୟୀମାନେ ଅଧିକରୁ ଅଧିକ ମଗାଇବାକୁ ଚାଷୀମାନଙ୍କୁ ବରାଦ ଦେଇ ସାରିଛନ୍ତି। ଟମାଟୋର ବାହାର ରଙ୍ଗ କଳା ହୋଇଥିବାବେଳେ ଭିତର ସମ୍ପୂର୍ଣ୍ଣ ଲାଲ୍‌। ସ୍ବାଦ ମିଠା ଓ ଲୁଆଣି। ତେଣୁ କଞ୍ଚା ଖାଇବାକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରନ୍ତି।

ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ଏହି ପ୍ରଜାତିର ଚାରା ଲଗାଯାଏ। ସାଧାରଣତଃ ଳାଲ୍‌ ଜାତିର ଟମାଟୋ ତିନି ମାସରେ ଉତ୍ପାଦନ ହୁଏ। କଳା ରଙ୍ଗର ଟମାଟୋ ଉତ୍ପାଦନ ହେବାକୁ ୪ ମାସ ସମୟ ଲାଗେ। ଲାଲ୍‌ ରଙ୍ଗର ଟମାଟୋ ପରି ଚାଷ କରାଯାଇଥାଏ। କଳା ରଙ୍ଗର ଟମାଟୋ ବହୁ ରୋଗ ପାଇଁ ଉପକାରୀ। ବିଶେଷ କରି ମଧୁମେହ, କ୍ୟାନସର ଆଦି ରୋଗ ପାଇଁ ବେଶ୍ ସହାୟକ। କେବଳ କ୍ୟାନ୍‌ସର, ମଧୁମେହ ନୁହେଁ ଆଖି ପାଇଁ ମଧ୍ୟ ବହୁତ ଭଲ୍‌। ଶରୀରର ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ। ଉଚ୍ଚରକ୍ତଚାପ ରୋଗର ପାଇଁ ବହୁ ଉପକାରୀ। ଏସବୁ ଗୁଣ ଥିବାରୁ ଏହି ରଙ୍ଗର ଟମାଟୋ ଝାଡ଼ଖଣ୍ଡ, ରାଉରକେଲା ନୁହେଁ ଆଗାମି ଦିନରେ ଅନ୍ୟ ସହରକୁ ପଠାଯିବ ବୋଲି କିଛି ବ୍ୟବସାୟୀ କହିଛନ୍ତି।

ସମ୍ବନ୍ଧିତ ଖବର