ପର ଗାଁରେ ରାତିଅଧିଆ ଗୁପ୍ତଧନ ଖୋଳା ମହଙ୍ଗା ପଡ଼ିଲା, ଡକାୟତି ପ୍ରସ୍ତୁତି ମାମଲା ରୁଜ୍ଜୁ କଲା ପୁଲିସ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗ୍ରାମରେ ଗୁପ୍ତଧନ ପାଇବା ଆଶାରେ କିଛି ଅଜଣା ଲୋକ ନିଛାଟିଆ ସ୍ଥାନରେ ଗତରାତି ପୂଜାର୍ଚ୍ଚନା କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଧରି ବଳିପାଇଁ ପିଲାଚୋର ଆସିଥିବା ସନ୍ଦେହରେ ନିର୍ଧୁମ ମାଡମାରି ପୁଲିସର ଜିମା ଦେଇଥିବା ଭଳି ଅଭାବନୀୟ ଘଟଣା ପଦାକୁ ଆସିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମର ୨ଜଣ ବ୍ୟକ୍ତିଙ୍କ ସମେତ ୭ଜଣଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇ ପଚରା ଉଚରା କରୁଥିବା ଜଣାପଡ଼ିଛି।

ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ମତେ କରଞ୍ଜକଟା ଗାଁର ଈଶ୍ୱର ବେହେରା(୨୭) ସୁନା ହଣ୍ଡା ପାଇବା ଲାଳସାରେ ଭଞ୍ଜନଗର ଅଞ୍ଚଳରୁ ଆସି ରାଇକିଆରେ ରହୁଥିବା ଗୁଣିଆ ଶିବରାମ ମହାପାତ୍ର(୫୦)ଓ ତାଙ୍କ ପତ୍ନୀ ପ୍ରିୟମ୍ବଦା ମଲ୍ଲିକ(୪୫)ଙ୍କୁ ଯୋଗାଯୋଗ କରିଥିଲେ।ଏନେଇ ଈଶ୍ୱର ଅନୁଗୁଳ ଜିଲ୍ଲାରେ ରହୁଥିବା ନିଜ ମାମୁଁ ଶ୍ୱଶୁର ନେହେରୁ ବେହେରା(୫୨)ଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ। ଏମାନଙ୍କ ସହିତ ଗୁପ୍ତଧନ ଖୋଲିବା ଯୋଜନାରେ ରମ୍ଭା ଅଞ୍ଚଳର ଗୋକୁଳ ଚନ୍ଦ୍ର ପଟ୍ଟନାୟକ (୪୫) ଓ ଢ଼େଙ୍କାନାଳ ଜିଲ୍ଲାର ପ୍ରଦୀପ ମହାପାତ୍ର (୪୮)ଓ ଈଶ୍ୱରଙ୍କର ବାପା ଅଲେଖ ବେହେରା(୫୫)ମଧ୍ୟ ସାମିଲ ହୋଇଥିଲେ।

ଯୋଜନା ମୁତାବକ ସେମାନେ ସମସ୍ତେ ମିଶି ଗତକାଲି ବିଳମ୍ବିତ ରାତିରେ ଗାଁ ମୁଣ୍ଡର ଏକ ନିର୍ଜନ ସ୍ଥାନରେ ଗୁପ୍ତ ପୂଜା ଆରମ୍ଭ କରିଥିଲେ। ଗାଁର କିଛି ଯୁବକ ଏହା ଜାଣିପାରି ଘଟଣାସ୍ଥଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନାରେ ନିୟୋଜିତ ବ୍ୟକ୍ତିମାନେ ମାରଣାସ୍ତ୍ର ଦେଖାଇ ଯୁବକମାନଙ୍କୁ ଭୟଭୀତ କରିଥିଲେ। ଏହି ଖବର ମିଳିବା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ମହିଳାଙ୍କ ସହ ସମସ୍ତ ପୂଜକଙ୍କୁ କାବୁ କରି ନିର୍ଧୁମ ଛେଚା ଦେଇଥିଲେ। ପୁରୁଣା କଟକ ପୁଲିସକୁ ଖବର ଦେବାପରେ ପୁଲିସ ଆସି ଈଶ୍ୱର ବେହେରାଙ୍କ ସହ ସମସ୍ତ ୭ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରିବା ସମୟରେ ଏମାନେ ଡକାୟତି ଉଦେଶ୍ୟରେ ଏଠାକୁ ଆସୁଥିବା ଜଣାପଡ଼ିଛି ବୋଲି ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଉତ୍ୟକ୍ତ ଗ୍ରାମବାସୀ ସେମାନେ ଆସିଥିବା କାର(ଓଡି୦୨-ଏଆର-୫୭୭୨)କୁ ମଧ୍ୟ ଭାଙ୍ଗିରୁଜି ଦେଇଥିବା ଦେଖାଯାଇଛି। ତେବେ ଘଟଣା ସ୍ଥଳରୁ ଅନ୍ୟଏକ କାର ଫେରାର ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ ।
ଲୋକେ ଆଜି ମଧ୍ୟ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ରାତାରାତି କିପରି ଧନୀ ହେବାକୁ ଯାଇ ହଟହଟାର ସମ୍ମୁଖୀନ ହୋଇଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର