ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ, ହୃଦଘାତରେ ମୃତ୍ୟୁ

ଝାରସୁଗୁଡ଼ା: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଯାଇଛି। ହୃଦଘାତରେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତ ପରେ ସେ ଚିକିତ୍ସାଧିନ ଥିଲେ । ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।

ସୂଚନା ଅନୁସାରେ କିଶୋର ମହାନ୍ତି ଆଜି ସକାଳୁ ନିଜ ନିର୍ବାଚନ ମଣ୍ଡଳିରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ। ବିଧାୟକ ଶ୍ରୀ ମହାନ୍ତି ଝାରସୁଗୁଡାସ୍ଥିତ ପାଟି କାର୍ଯ୍ୟାଳୟରେ ସ୍ବର୍ଗତ ନଟବର ଲାଲ ଶର୍ମାଙ୍କ ବିୟୋଗରେ ଆୟୋଜିତ ଶୋକ ସଭାରେ ଯୋଗ ଦେଇଥିଲେ। ସେହି ସଭାରେ ଛାତିରେ କଷ୍ଟ ଅନୁଭବ କଲେ। ତାଙ୍କୁ ଚିକିତ୍ସା ପାଇଁ ନିକଟରେ ଥିବା ପ୍ରଭାତ ଜୈନ ନର୍ସିଂ ହୋମକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, କିଶୋର ମହାନ୍ତି ଥିଲେ ପଶ୍ଚିମ ଓଡ଼ିଶାରେ ଜଣେ ଟାଣୁଆ ଓ ଅଭିଜ୍ଞ ରାଜନୀତିଜ୍ଞ। ସେ ଝାରସୁଗୁଡ଼ାରୁ ୩  ଥର ବିଧାୟକ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିରୁ ଲଢ଼ିଥିଲେ। ଏଥି ସହିତ କିଶୋର ମହାନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି (୨୦୦୮ ଅଗଷ୍ଟ ୧୯ରୁ ୨୦୦୯ ମେ’ ୨୫) ମଧ୍ୟ ହୋଇଥିଲେ। ସେହିପରି ସ୍ବର୍ଗତଃ କିଶୋର ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର)ର ଅଧ୍ୟକ୍ଷ (୨୦୧୪ ଜୁନ୍‌ ୧୯ରୁ ୨୦୧୯ ଜୁନ୍‌ ୧୮) ଦାୟିତ୍ବ ମଧ୍ୟ ତୁଲାଇଥିଲେ।

କିଶୋର ମହାନ୍ତିଙ୍କ ରାଜନୈକିକ କ୍ୟାରିୟର

୧୯୯୦-୧୯୯୫ ଝାରସୁଗୁଡ଼ା ବିଧାୟକ
୨୦୦୦ରୁ ୨୦୦୪ଝାରସୁଗୁଡ଼ା ବିଧାୟକ
୨୦୦୪ରୁ ୨୦୦୯ ଝାରସୁଗୁଡ଼ା ବିଧାୟକ
୨୦୧୯ ରୁ ଏଯାଏଁ ବ୍ରଜରାଜନଗର ବିଧାୟକ
୨୦୦୮ – ବାଚସ୍ପତି
୨୦୦୯ ନିର୍ବାଚନ ହାରିବା ପରେ ରାଜ୍ୟସଭାକୁ ଯାଇଥିଲେ
୨୦୧୪ ନିର୍ବାଚନ ହାରିବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ

 

ସମ୍ବନ୍ଧିତ ଖବର