ତୁଳସୀ ପାହାଡ଼ରେ ରହିଛି ନକ୍ସଲ ଗତିବିଧି, ଜାରି ରହିବ କମ୍ବିଂ ଅପରସେନ୍‌

ବିଏସଏଫ ଡିଜି ଓ ଏଡିଜିଙ୍କ ମାଲକାନଗିରି ଗସ୍ତ: ସ୍ବାଭିମାନ ଅଂଚଳରେ ପୁଲିସ ସହ ମାଓ ଦମନ ନେଇ ରୁଦ୍ଧଦ୍ବାର ବୈଠକ

ମାଲକାନଗିରି/କୋରାପୁଟ: ବିଏସ୍ଏ‌ଫ୍‌ ଡିଜି ପଙ୍କଜ କୁମାର ସିଂ ଏବଂ ଏଡିଜି ରାଜଵିନ୍ଦର ସିଂ ଭଟ୍ଟି ଆଜି ମାଲକାନଗିରି ଓ କେରାପୁଟ ଗସ୍ତରେ ଆସି ସ୍ବାଭିମାନ ଅଂଚଳ ଏବଂ ତୁଳସୀ ପାହାଡ ଅଂଚଳ ପରିଦର୍ଶନ କରି ଯବାନଙ୍କ ମନବଳ ବଢାଇଥିଲେ। ଆଜି ସକାଳେ ଡିଜି ଶ୍ରୀ ସିଂ ପ୍ରଥମେ ସ୍ବାଭିମାନ ଅଂଚଳ ଗସ୍ତ କରି ଯବାନଙ୍କ ସହ ସିଧା କଥା ହୋଇଥିଲେ। ଆନ୍ଧ୍ର-ଓଡିଶା  ସୀମା ଏବଂ ଓଡ଼ିଶା-ଛତିଶଗଡ ସୀମାରେ ଅବସ୍ଥାପିତ ବିଏସ୍ଏ‌ଫ୍‌ କ୍ୟାମ୍ପରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ପ୍ରାୟ ୩୦ ବିଏସଏଫ କ୍ୟାମ୍ପରେ ଯେପରି ଯବାନଙ୍କ କୌଣସି ଅସୁବିଧା ନହୁଏ ସେନେଇ ସମସ୍ତ ସୁବିଧା କରାଯାଇଥିବା ଆଲୋଚନା ହୋଇଥିଲା। ପରେ ଏକ ରୁଦ୍ଧଦ୍ବାର ବୈଠକରେ ପୁଲିସ ସହ ମାଓ ଗତିବିଧି ସଂପର୍କରେ ଆଲୋଚନା କରିଥିଲେ।

ମାଲକାନଗିରି ଜିଲ୍ଲାରେ ବିଏସ୍ଏ‌ଫ୍‌ ଅବସ୍ଥାପିତ ହେବା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ଆଗାମୀ ଦିନରେ ସ୍ବାଭିମାନ ଅଂଚଳରେ ଯନ୍ତ୍ରୀ ଠାରେ ଆଉ ଏକ ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା ହେଲେ ମାଓବାଦୀ ସ୍ବାଭିମାନ ଅଂଚଳରୁ ସଂପୂର୍ଣ୍ଣ ହଟିବେ ବୋଲି କୁହାଯାଇଛି। ସେହିପରି ତୁଳସୀ ପାହାଡ ଅଂଚଳରେ ଏବେ ବି ନକ୍ସଲଙ୍କ ଗତିବିଧି ରହିଥବାରୁ ଏଠାରେ କିପରି କୁମ୍ବିଂ ଜୋରଦାର କରାଯିବା ସେନେଇ ମଧ୍ୟ ବିଏସ୍ଏ‌ଫ୍‌ ଯବାନ ଏବଂ ପୁଲିସ ସହ ଆଲୋଚନା କରିଥିଲେ।

ବିଏସଏଫ ଡିଜିଙ୍କ ସହ ଏହି ଗସ୍ତରେ ଡିଆଇଜି ଅର୍ଜୁନ ସିଂ ରାଠୋର, ଡିଆଇଜି ବିପୁଲ ବୀର ଗୁସାଇଁ, ଡିଆଜି ସଂଜୟ କୁମାର ସିଂ, ଡିଆଇଜି ରାଜେଶ ପଣ୍ଡିତ ଉପସ୍ଥିତ ଥିଲେ। ତେବେ ଏମାନଙ୍କ ସହ ଆଲୋଚନା କରିବା ପାଇଁ ମାଲକାନଗିରି ଏସପି ପ୍ରହ୍ଲାଦ ସହାୟ ମୀନା, କମାଣ୍ଡାଣ୍ଟ ସଂଜୟ ଦାସ, କମାଣ୍ଡାଣ୍ଟ ବିନୋଦ ସାରିନ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ରାକେଶ କୁମାର, ଡିସି ଏସ.ମହାପାତ୍ର, ଡିସି ଅଜୈବ ସିଂ, ଡିସି ରୋହିତ ଶର୍ମା, ଶୁଭେନ୍ଦୁ ପାତ୍ର ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର