କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣା: ଜେଲ୍‌ରେ ଭାଗ୍ୟଧର ଓ ବିବେକଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

ଭଦ୍ରକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ  ହତ୍ୟା ଘଟଣା‌ରେ ସଂପୃକ୍ତ ୮ ଅଭିଯୁକ୍ତ ଭଦ୍ରକ ଜେଲ୍‌ରେ ରହିଥିବା ବେଳେ ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜେଲ୍‌ରେ ପହଞ୍ଚି ଅଭିଯୁକ୍ତ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଜେରା କରିଛନ୍ତି। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କ୍ରାଇମ୍‌ବ୍ରାଞ୍ଚ  ଡିଏସ୍‌ପି କଳ୍ପନା  ସାହୁଙ୍କ ନେତୃତ୍ବରେ ଅନ୍ୟ ଦୁଇ ଅଧିକାରୀ ଶରତ ସାହୁ ଓ ନରେନ୍ଦ୍ର ବେହେରା ଭଦ୍ରକ ଜେଲ୍‌ରେ ପହଞ୍ଚିଥିଲେ। ମାନସଙ୍କୁ ଅପହରଣଠୁ ଆରମ୍ଭ କରି ହତ୍ୟା ଓ ଶବ ପୋତିବା ପର୍ଯ୍ୟନ୍ତ କେଉଁ କେଉଁମାନେ ସାମିଲ ଥିଲେ, ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାଗ୍ୟଧର ଓ ବିବେକଙ୍କର କି ଭୂମିକା ଥିଲା, ସେ ସଂପର୍କରେ ଉଭୟଙ୍କୁ ମୁହାଁମୁହିଁ ଜେରା କରି ବୟାନ୍‌ ରେକର୍ଡ କରିଥିଲେ। ମାନସ ହତ୍ୟାକାଣ୍ଡ ସଂପର୍କରେ ଭାଗ୍ୟଧର ଓ ବିବେକ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ଜଣାପଡ଼ିଛି।

ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ ଓ ଝୁନାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଜେରା କରିଥିଲେ ମଧ୍ୟ ଭାଗ୍ୟଧର ଓ ବିବେକଙ୍କୁ ପଚରାଉଚରା କରି ନଥିଲା। ମାନସ ହତ୍ୟାକାଣ୍ଡରେ ଏହି ଦୁଇ ଅଭିଯୁକ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଡ଼ିତ ବୋଲି ଜାଣିବା ପରେ ଦୁହିଁଙ୍କୁ ଜେରା କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଗତ ୧୩ ତାରିଖରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଥିଲା। କୋର୍ଟ ୧୬ ତାରିଖକୁ ଦିନ ଧାର୍ଯ୍ୟ କରିଥିବାବେଳେ କ୍ରାଇମ୍‌ବ୍ରା‌ଞ୍ଚ ଟିମ୍ ଆଜି ଭଦ୍ରକ ସ୍ବତନ୍ତ୍ର ଉପକାରାଗାରରେ ଦୁଇ ଅଭିଯୁକ୍ତଙ୍କୁ ଜେରା କରି କଟକ ଫେରି ଯାଇଛନ୍ତି।

ସମ୍ବନ୍ଧିତ ଖବର