ରାଜଧାନୀବାସୀଙ୍କ ଗାଁ ବାହୁଡ଼ା! ବେଡିଂବିସ୍ତରା ଧରି ଜନ୍ମମାଟିକୁ ଫେରୁଛନ୍ତି ଭୁବନେଶ୍ୱର ବାସିନ୍ଦା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ମାତ୍ର ଗୋଟିଏ ଦିନ ପାଇଁ ଆସି ସାରା ଓଡ଼ିଶାର ରୂପଚିତ୍ର ବଦଳାଇ ଦେଇଛି। ୨୦୧୯ ମସିହା ମେ ୩ ତାରିଖ ଲୋକଙ୍କୁ ୧୯୯୯ ମସିହା ମହାବାତ୍ୟାକୁ ମନେପକାଇ ଦେଇଛି। ଏହି ବାତ୍ୟାର ପ୍ରଭାବ କେନ୍ଦ୍ରପଡ଼ା, ଜଗତ୍‌ସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ ଆଦିରେ ହୋଇଥିଲେ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି ରାଜଧାନୀ ଭୁବନେଶ୍ୱର ଓ ଶ୍ରୀକ୍ଷେତ୍ର ପୁରୀ। ଘଣ୍ଟାକୁ ୨୦୦ କିଲୋମିଟରରୁ ଊର୍ଧ୍ୱ ବେଗରେ ପବନ ବହି ଛାରଖାର କରି ଦେଇଛି ଏହି ଦୁଇ ସହରକୁ।

ରାଜଧାନୀବାସୀଙ୍କ ପାଇଁ ‘ଫନି’ ପରେ ଭୁବନେଶ୍ୱରରେ ରହିବା ଅସହ୍ୟ ହୋଇପଡ଼ିିଛି। ବିଜୁଳି, ପାଣି, ଗମନାଗମନ, ଏଟିଏମ୍‌, ବ୍ୟାଙ୍କ୍‌ ଆଦି ସବୁ ସେବାରୁ ବଞ୍ଚିତ ହୋଇପଡ଼ିଛନ୍ତି ଭୁବନେଶ୍ୱରର ଲୋକେ। ଏଥିମଧ୍ୟରୁ ମୁଖ୍ୟ ସମସ୍ୟା ପାଲଟିଛି ପାଣି । ଗାଧୁଆ, ଶୌଚ, ରୋଷେଇବାସ ଦୂରର କଥା, ପିଇବାକୁ ବି ପାଣି ମୁନ୍ଦେ ମିଳୁନି। ହସ୍ତସନ୍ତ ହେଉଛନ୍ତି ଲୋକେ। ଦୁଇ ଦିନ ମଧ୍ୟରେ ଜଳ ଯୋଗାଣ ସ୍ୱାଭାବିକ ହେବ ଘୋଷଣା ହୋଇଥିଲେ ବି ଏବେ ମଧ ଅନେକ ସ୍ଥାନକୁ ଜଳ ଯୋଗାଣ ହୋଇ ପାରିନାହିଁ।

ଏଣେ ଜେନେରେଟର ବେପାରୀଙ୍କ ଭାଉ ସାଜିଛି ଆକାଶଛୁଆଁ। ଘଣ୍ଟାଏ ପାଣି ଟେକିବାକୁ ୩ ହଜାର ଟଙ୍କା ଦାବି କରୁଛନ୍ତି ଜେନେରେଟର ବ୍ୟବସାୟୀ। ତାହା ପୁଣି ଟାଙ୍କି ପୂରା ନ ହେଲେ ବି ତାଙ୍କର ଯାଏଆସ ନାହିଁ। ଏହି ପରିସ୍ଥିତିରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌ରେ ଦେଖିବାକୁ ମିଳିଛି ଅସଂଖ୍ୟ ଲୋକଭିଡ଼। ବସ୍‌ ଭଡ଼ା ପୁଣି ନାହିଁନଥିବା ଦର। ଅଦର ଭଡ଼ା ଦେଇ, ବସ୍‌ ଟିକେଟ କାଟି ନିଜ ସ୍ତ୍ରୀ, ପିଲାଙ୍କୁ ଧରି ଗାଁକୁ ବାହୁଡ଼ିବାକୁ ବାଧ୍ୟ ହୋଇପଡ଼ିଛନ୍ତି ରାଜଧାନୀ ବାସିନ୍ଦା।

ପାଣି ରାଜଧାନୀବାସୀଙ୍କର ଏକମାତ୍ର ସମସ୍ୟା ନୁହେଁ। ଏହା ବ୍ୟତୀତ ଆଉ ଏକ ପ୍ରମୁଖ ସମସ୍ୟା ପାଲଟିଛି ମୋବାଇଲ୍‌ ନେଟ୍‌ଓ୍ଵର୍କ ଓ ଇଣ୍ଟରନେଟ୍‌ ସେବା। ଏହି ଦୁଇଟି ସେବା କାମ କରୁନଥିବା ହେତୁ ବହୁ ଗୁରୁତ୍ୱପୂର୍ଣ୍ଣ କାମ ସେମିିତି ପଡ଼ି ରହୁଛି। ଆକାଉଣ୍ଟରେ ଟଙ୍କା ଥିଲେ ବି ତାହା ହାତକୁ ଆସିପାରୁନାହିଁ। ଭୁବନେଶ୍ୱର ପରି ମହଙ୍ଗା ସହରରେ ବିନା ଟଙ୍କାରେ ଚଳିବା ଅସମ୍ଭବ ମଣି ସହର ଛାଡ଼ିବା ଯେପରି ଲୋକଙ୍କ ପାଇଁ ବାଧ୍ୟତାମୂଳକ ହୋଇପଡ଼ିଛି।

ସମ୍ବନ୍ଧିତ ଖବର