ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିସିଟିଭି ସୁରକ୍ଷା ଫେଲ୍: ଜଗିବା ବଦଳରେ ମୁଣ୍ଡ ମୋଡ଼ି ପଡ଼ିଛି, ଜିନିଷ ଚୋରି ହେଲେ ରାତ୍ର ଜଗୁଆଳ ମୁଣ୍ଡରେ ଅଠା

ଯାଜପୁର: ଅପରାଧ ରୋକିବାରେ ମୁଖ୍ୟ ଅସ୍ତ୍ର ସାଜିଛି ସିସିଟିଭି। ଦିନ ହେଉ ଅବା ରାତି ସବୁ ସମୟରେ ସୁରକ୍ଷା ଯୋଗାଉଛି। କିନ୍ତୁ ଆଜିର ଏହି ସମୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସିସି ଟିଭି ସୁରକ୍ଷା ଠାରୁ ଦୂରରେ। ଯଦି ଏପରି ପରିସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ବି ଅଘଟଣ ଘଟେ ତାକୁ ପ୍ରମାଣିତ କରିବା ପାଇଁ କୌଣସି ଉପାୟ ନାହିଁ, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ ବର୍ତମାନ ଏକ ଚାରି ମହଲା କୋଠାରେ ଚାଲିଛି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଏହାରି ଭିତରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ସହିତ ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟାଳୟ ଇତ୍ୟାଦି ରହିଛି। ଦୈନିକ ଶହଶହ ଲୋକ ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି। ଅନେକ ସମୟରେ ବିଭିନ୍ନ ଦାବି ନେଇ ଅନେକ ସଂଗଠନର ଶହଶହ ଲୋକ ଏହାର ସମ୍ମୁଖରେ ଧାରଣା ଦେଉଛନ୍ତି। ହେଲେ ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ କିଏ ଆସୁଛି କିଏ ଯାଉଛି ତାକୁ ଦେଖିବା ପାଇଁ ସିସି ଟିଭି ଲାଗିଛି। ହେଲେ ଜଗିବା ବଦଳରେ ମୁଣ୍ଡ ଭାଙ୍ଗି ପଡ଼ିଛି ସିସି ଟିଭି। ପୁରା କାର୍ଯ୍ୟାଳୟରେ ୨୦ରୁ ଉର୍ଦ୍ଧ ସିଟି ଟିଭି ଲାଗି ଥିବା ବେଳେ ଦୀର୍ଘ ଦିନରୁ ସବୁ ଅଚଳ ହୋଇ ପଡିଛି। ତେବେ ଏହାର ସୁଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ଅଧିକାରୀ , କର୍ମଚାରୀ ଓ ସାଧାରଣ ଲୋକଙ୍କ ଗାଡ଼ି ହେଲମେଟ୍ ଚୋରି ବୃଦ୍ଧି ପାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ସିଟି ଟିଭି ଲାଗିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ତାହା ସେବାରୁ ଦୂରେଇ ଯାଇଛି। ଯାହାକି ନିକଟରେ ଏକ ଚୋରି ଘଟଣା ପ୍ରମାଣ ନଥିବାରୁ ରାତ୍ରି ଜଗୁଆଳ ମୁଣ୍ଡରେ ଅଠା ବୋଲିବାକୁ ଉଦ୍ୟମ କରିଛନ୍ତି କିଛି କର୍ମଚାରୀ।

ଜାନୁଆରୀ ୨୬ ଅବସରରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବ୍ୟାଙ୍ଗମାନଙ୍କୁ କିଛି ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ବର୍ଷା ହେବାରୁ ସେଠାରେ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଏଥିପାଇଁ ଟେଣ୍ଟ ହାଉସ ପକ୍ଷରୁ ଆସିଥିବା ଏକ ନୂତନ ମ୍ୟାଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାର୍କିରୁ ଚୋରି ହୋଇଗଲା। କିନ୍ତୁ ଦୋଷ ଲୁଚାଇବାକୁ ଯାଇ ୨୭ ବର୍ଷ ହେଲା ରାତ୍ରି ଜଗୁଆଳ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳିବାର ଉଦ୍ୟମ କରାଯାଇଥିଲା। ଯାହାକି ତାହା ଜାଣିପାରି ରାତ୍ର ଜଗୁଆଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଥିଲେ। ତେବେ ପ୍ରଶ୍ନ ଉଠୁଛି ସୁରକ୍ଷା ପାଇଁ ଥିବା ସିସିଟିଭି ଅଚଳ ହୋଇ ପଡିଥିବା ବେଳେ କିଛି ଦୁର୍ଘଟଣା କି ଅଘଟଣ ଘଟିଲେ ଏଥିପାଇଁ କିଏ ରହିବ ଦାୟୀ। କଣ ପାଇଁ ପ୍ରଶାସନ କିମ୍ବା ସଂପୃକ୍ତ ଦାୟିତ୍ବରେ ଥିବା ଅଧିକାରୀ ସିଟି ଟିଭି ମରାମତି ପାଇଁ ଉଦ୍ୟମ କରୁନାହାନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଜ କାର୍ଯ୍ୟାଳୟର ସୁରକ୍ଷା ପାଇଁ ସିସି ଟିଭି ଗୁଡ଼ିକର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର