ମ୍ୟାନ୍‌ହୋଲ୍‌ରେ ଖସି ପଡ଼ିଲା ଶିଶୁ, ଶହେ ଫୁଟ ଦୂର ମୁଖ୍ୟଡ୍ରେନ୍‌ରୁ ଉଦ୍ଧାର

କଟକ : ରଖେ ହରି ମାରେ କିଏ? ଲୋକକଥାର ଏହି ଉକ୍ତି ପୁଣିଥରେ ସତ୍ୟ ପ୍ରମାଣିତ ହୋଇଛି ପାଞ୍ଚ ବର୍ଷର ଶିଶୁ ଦିବ୍ୟାଂଶୁଙ୍କ କ୍ଷେତ୍ରରେ। ମ୍ୟାନହୋଲରେ ସେ ଖସିପଡିବା ଏବଂ କିଟିମିଟି ଅନ୍ଧାରରେ କୋଡିଏ ମିନିଟ ପରେ ‌ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଅନେକଙ୍କୁ ଚକିତ କରିଛି।

ନୂଆଦିଲ୍ଲୀରେ ଅଧ୍ୟାପନା କରନ୍ତି କଟକ ଗଙ୍ଗାମନ୍ଦିରର ଦିପ୍ତୀଙ୍କର ବେହେରା। ଗତ କିଛିଦିନ ତଳେ େସ ଘରକୁ ଆସିଥିଲେ। ଶ୍ରୀ ବେହେରାଙ୍କର ‌ଜଣେ ଦୂର ସଂପର୍କୀୟ ବଜ୍ରକବାଟିସ୍ଥିତ ଏକ ଘରୋଇନର୍ସିଂହୋମରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଦେଖିବା ପାଇଁ ସେ ପରିବାର ସହିତ ଉକ୍ତ ନର୍ସିଂହୋମକୁ ଆସିଥିଲେ। ସାଙ୍ଗରେ ପାଞ୍ଚ ବର୍ଷର ଶିଶୁପୁତ୍ର ଦିବ୍ୟାଂଶୁ ମଧ୍ୟ ଆସିଥିଲେ। ତେବେ ସଂପର୍କୀୟାଙ୍କୁ ଦେଖି ରାତି ଦଶଟା ବେଳକୁ ଫେରିବା ସମୟରେ ହଠାତ୍‌ ବିଦ୍ୟୁତ ଚାଲିଯାଇଥିଲା। ଏହି ସମୟରେ ପରିବାର ଲୋକେ ନର୍ସିଂହୋମ୍‌ ଫାଟକ ପାଖରେ ଥିବାବେଳେ ଦିବ୍ୟାଂଶୁ ବାହାରକୁ ଚାଲିଆସିଥିଲେ। ମାତ୍ର ଅନ୍ଧାର ହେତୁ ସେ ରାସ୍ତା ନ ଜାଣି ପାରି ନର୍ସିଂହୋମ ସମ୍ମୁଖରେ ଥିବା ମ୍ୟ‌ାନହୋଲରେ ଖସିପଡିଥିଲେ। ଏହି ଘଟଣା ପରେ ସେଠାରେ ‌ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ଧକାର ସତ୍ତ୍ବେ ନର୍ସିଂହୋମର କିଛି କର୍ମଚାରୀ କାଳବିଳମ୍ବ ନ କରି ପାଖରେ ଥିବା ବଜ୍ରକବାଟୀ ମୁଖ୍ୟ ଡ୍ରେନକୁ ଡେଇଁପଡିଥିଲେ। ଲାଇଟ୍‌ ନ ଥିବାରୁ ମୋବାଇଲ ଲାଇଟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଡ୍ରେନ୍‌ର ଶହେ ଫୁଟ ଦୂରରୁ ଶିଶୁଟିକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ମୁଖ୍ୟ ଡ୍ରେନ ଉପରେ କିଛି ଅଂଶରେ କଂକ୍ରିଟ ଛାତ ରହିଥିବା ବେଳେ ଶିଶୁଟି ଛାତ ତଳୁ ପାର ହୋଇ ଖୋଲା ଡ୍ରେନ୍‌କୁ ଚାଲିଯାଇଥିଲା। ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଶିଶୁଟିକୁ ଉକ୍ତ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। ଏବେ ଶିଶୁପୁତ୍ରଟିର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର