ଚିଲିକା ମାଛ ମାର୍କେଟ ୭ ଦିନ ଲାଗି ସଟଡାଉନ, ୧୨ ହଜାର ମତ୍ସ୍ୟଜୀବୀ ପ୍ରଭାବିତ

କରୋନା ଭାଇରସ ପାଇଁ ସଟଡାଉନ ଘୋଷଣା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଲୁଗାଁ: ଚିଲିକା କୂଳ ମାଛ ମାର୍କେଟକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ରାଉତ ନିଜେ ଚିଲିକା କୂଳ ମାଛ ମାର୍କେଟକୁ ପହଂଚି ଏଠାରେ କଟକଣା ଲାଗୁ କରିଥିବା ଜଣାଯାଇଛି । ଚିଳିକା କୂଳ ମାଛ ମାର୍କେଟ ସଟଡାଉନ ଘୋଷଣା ହେବା ପରେ ଏହି ଅଂଚଳରେ ଥିବା ପ୍ରାୟ ୧୨ ହଜାର ମତ୍ସ୍ୟଜୀବୀଙ୍କ ଜୀବନ ପ୍ରଭାବିତ ହୋଇଛି । ଅନ୍ୟପଟରେ ଚିଲିକାରୁ ମାଛ ରପ୍ତାନୀ ବନ୍ଦ ହୋଇଯିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ମାଛ ଦର ବୃଦ୍ଧି ହେବାର ଆଶଙ୍କା ରହିଛି ।

ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ବାଲୁଗାଁ ଅଂଚଳରେ ଜଣେ ୫୫ ବର୍ଷିଅ ମାଛ ବ୍ୟବସାୟୀଙ୍କ ଦେହରେ କରୋନା ପଜିଟିଭ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିବା ଫଳରେ ତାଙ୍କୁ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ବାଲୁଗାଁ ଅଂଚଳରେ ପ୍ରଘଟ ହେବା ମାତ୍ରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସଂପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତିଙ୍କ ସହ ମିଳାମିଶା କରିବା ସହିତ ବ୍ୟବସାୟ ମଧ୍ୟ କରିଆସିଥିଲେ ।

ଗଂଜାମରୁ ଆସିଥିବା ମାଛ ବ୍ୟବସାୟୀମାନେ ଚିଳିକା ଅଂଚଳର ସଂପୃକ୍ତ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ଦେହରେ କରୋନା ଭାଇସର ମିଳିଥିଲା । ଶନିବାର ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ରାଉତ, ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେଉରା, ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ, ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତୀ ଗୋଏଙ୍କା ଓ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଲିକ ଏକ ଆଲୋଚନା ମାଧ୍ୟମରେ ଚିଲିକା କୂଳ ମାଛ ବଜାରକୁ ଯାଇ ସଂପୃକ୍ତ ବ୍ୟବସାୟୀଙ୍କ ମାଛ ଗୋଦାମ, ବରଫ କଳକୁ ସିଲ କରିଛନ୍ତି । ଏଥି ସହିତ ଅନ୍ୟ ସମସ୍ତ ଗୋଦାମ ଅଂଚଳକୁ ସଟଡାଉନ କରିଥିବା ଘୋଷଣା କରିଛନ୍ତି ।

ସଟଡାଉନ ଘୋଷଣା ହେବା ପରେ ବାଲୁଗାଁ ଦମକଳ ବିଭାଗ ପକ୍ଷରୁ ଏହି ଅଂଚଳକୁ ସାଇନାଇଜ କରିବା ସହ ଚଳାଚଳରେ କଟକଣା କରିଥିବା ଲେଖାଯାଇଛି । ଏହା ଫଳରେ ବାଲୁଗାଁ ପୁଲିସ ପକ୍ଷରୁ ଏହି ସଟଡାଉନ ଅଂଚଳରେ ପୋର୍ସ ମୁତୟନ କରାଯାଇଥିବା ପରିଲକ୍ଷିତ ହୋଇଛି ।ଏହି ସମୟ ମଧ୍ୟରେ ବାହାରୁ ଆସୁଥିବା ସମସ୍ତ ମାଛ ବୋପାରୀଙ୍କୁ ଓ ଆନ୍ଧ୍ର ଓ କୋଲକାତାରୁ ଆସୁଥିବା ମାଛଗାଡ଼ିଗୁଡ଼ିକୁ ନଆସିବା ପାଇଁ ବାରଣ କରାଯାଇଛି ।

୧୨ ହଜାର ମତ୍ସଜୀବୀଙ୍କ ପାଇଁ ଚିଲିକା ହେଉଛି ଭାତହାଣ୍ଡି

୧୨୫ଟି ମତ୍ସଜୀବୀ ଗାଁର ପ୍ରାୟ ୧୨ ହଜାର ମତ୍ସ୍ୟଜୀବୀ ଚିଲିକା ନିଜ ଭାତହାଣ୍ଡି ରୂପେ ମାନିଛନ୍ତି । ଏଠାରେ ମାଛ ମାର୍କେଟ ସଟଡାଉନ ହୋଇଯିବା ପରେ ମତ୍ସଜୀବୀ ପରିବାର ବଡ଼ ଦୁଃଖକଷ୍ଟରେ ଚଳିବେ । ଆନ୍ଧ୍ର ପ୍ରଦେଶରୁ ବେନାମୀ ଚିଙ୍ଗୁଡ଼ି ଓ କୋଲକାତାରୁ ମଧୁର ମାଛ ଆଣି ଚିଲିକା ମାଛ ଦର୍ଶାଇ ବ୍ୟବସାୟୀମାନେ ବିକୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସମ୍ବନ୍ଧିତ ଖବର