ରଣକୌଶଳ ଦେଖାଇଲା ତଟରକ୍ଷୀ ବାହିନୀ

ପାରାଦୀପ : ସମୁଦ୍ରର ଗଭୀର ଜଳରାଶିରେ ଆଜି ଭାରତୀୟ ତଟରକ୍ଷୀ ବାହିନୀର ନିଜର ରଣକୌଶଳ ପ୍ରଦର୍ଶନ କରିଛି। ତଟରକ୍ଷୀ ବାହିନୀର ରାଜିଆ ସୁଲତାନ, ଅମୋଘ ଓ ସୁଜୟ ଜାହାଜ ପଛକୁ ପଛ ଚାଲିଥିବା ବେଳେ ମଝି ଦରିଆରେ ଆରମ୍ଭ ହୋଇଥିଲା ଯୁଦ୍ଧ କୌଶଳ ପ୍ରଦର୍ଶନ। ଗୁଳି ଗୋଳା ଶଦ୍ଦରେ କମ୍ପି ଉଠିଥିଲା ସମୁଦ୍ର। ଆଜି ଦିନତମାମ ରଣ କୌଶଳ ପ୍ରଦର୍ଶନ ଜରିଆରେ ତଟରକ୍ଷୀ ବାହିନୀ ନିଜ କ୍ଷମତା ଓ ସଜାଗ ସ୍ଥିତିକୁ ପ୍ରମାଣିତ କରିଛି।

ଆଜି ସକାଳ ୭ଟାରେ ବନ୍ଦର ନିଷିଦ୍ଧାଞ୍ଚଳର ଜେଠିରେ ସାଧାରଣ ଜନତା ଅପେକ୍ଷା କରିଥିଲେ। କିଛି ସମୟ ପରେ ତଟରକ୍ଷୀ ବାହିନୀରେ ସାମିଲ ହୋଇଥିବା ସୁଜୟ ଆସି ପହଞ୍ଚିଥିଲା। ସାଧାରଣ ଜନତାକୁ ସାଥୀରେ ଧରି ସୁଜୟ ସମୁଦ୍ର ମଧ୍ୟକୁ ଯାତ୍ରା ଆରମ୍ଭ କରିଥିଲା। ଏହାର ପଛେ ପଛେ ଚାଲିଥିଲେ ଅମୋଘ ଓ ରାଜିଆ ସୁଲତାନ ଭଳି ଶକ୍ତିଶାଳୀ ଯୁଦ୍ଧ ଜାହାଜ। ତିନୋଟି ଜାହାଜରେ ତଟରକ୍ଷୀ ବାହିନୀ କର୍ମଚାରୀମାନଙ୍କ ସହ ସାଧାରଣ ଜନତା ଥିଲେ। ଏହା ସହ ପୁଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କିଭଳି ସମୁଦ୍ର ମଧ୍ୟରେ ଶତ୍ରୁକୁ ସାମ୍ନା କରାଯାଏ ତାହାର ଝଲକ୍‌ ସମସ୍ତେ ଦେଖିଥିଲେ। ତଟରକ୍ଷୀ ବାହିନୀର ଏହି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର