ସାଂସଦ, ୨ ବିଧାୟକ ପ୍ରାର୍ଥୀକୁ ନେଇ ମାଲକାନଗିରିରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କଂଗ୍ରେସ ମଙ୍ଗଳବାର ନିଜର ଶକ୍ତି ପ୍ରଦର୍ଶନ କରିଛି। ନବରଂଗପୁର ସାଂସଦ ପ୍ରାର୍ଥୀ ଭୁଜବଳ ମାଝି ମାଲକାନଗିରି ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି। ସେ ସୀମାନ୍ତ ଗୋବିନ୍ଦପାଲ୍ଲୀରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କର୍ମୀ ତାଂକୁ ଭବ୍ୟ ସ୍ବାଗତ କରିଥିଲେ। ଗୋବିନ୍ଦପାଲ୍ଲୀରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ।

ସାଂସଦ ପ୍ରାର୍ଥୀ ଶ୍ରୀ ମାଝିଙ୍କ ସହ ଚିତ୍ରକୋଣ୍ଡା ପ୍ରାର୍ଥୀ ମଙ୍ଗୁ ଖିଲ ଏବଂ ମାଲକାନଗିରି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାଲା ମାଢି ଉପସ୍ଥିତ ଥିଲେ। ଦିନ ଥିଲା ମାଲକାନଗିରି ଜିଲ୍ଲାର ଦୁଇଟି ଯାକ ଆସନକୁ ନିଜ ଅକ୍ତିଆରରେ ରଖିଥିଲେ। ଧୀରେଧୀରେ କଂଗ୍ରେସ ନିଜର ଗଡ଼ ହରାଇଥିଲା। ତେବେ ଏବେ ପୁଣି ନିଜ ଗଡକୁ ହାତେଇବାକୁ ନିଜର ପାରିବା ପଣିଆ ଦେଖାଇଥିଲା।

କଂଗ୍ରେସର ୯ ଗ୍ୟାରେଣ୍ଟି କାର୍ଡକୁ ନେଇ ଖେଳିଛି। କଂଗ୍ରେସ ଶାସନକୁ ଆସିଲେ କଂଗ୍ରେସ କରଥିବା ୯ଟି ପ୍ରତିଶ୍ରୁତିକୁ ପ୍ରଥମେ ପୂରଣ କରିବ ବୋଲି କହିଛି। ଗୋବିନ୍ଦପାଲ୍ଲୀ ପରେ ମାଥିଲି, ପାଙ୍ଗାମ, କୋତାମେଟା,ପାଣ୍ଡ୍ରିପାଣି, କାଲିମେଳା ଏବଂ ମାଲକାନଗିରିରେ ପ୍ରଚାରକୁ ଜୋରଦାର କରିଥିଲା କଂଗ୍ରେସ। ଦୁଇଟି ନିର୍ବାଚନ ମଣ୍ଡଳୀରେ ଗତ କିଛି ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ତାହା ବିଜୟରେ ପରିଣତ କରିପାରୁ ନାହିଁ। ଏଥର ଦଳ ସାଂସଦ ଏବଂ ଦୁଇ ବିଧାୟ ପ୍ରାର୍ଥୀକୁ ଜିତାଇବାକୁ ସମସ୍ତ ବଳ ଖର୍ଚ୍ଚ କରୁଛି। ନିଜର ପାରଂପାରିକ ଭୋଟ ରହିଥିବା ବେଳେ ନୂତନ ଭୋଟରଙ୍କ ଉପରେ ଆଖି ପକାଇଛି। କିନ୍ତୁ କଂଗ୍ରେସ ବଂଗୀୟ ଭୋଟରକୁ ମନାଇବାକୁ ସମସ୍ତ ଉଦ୍ୟମ ଜାରି ରଖିଛି। ଏହି ଭୋଟ ଏକ ତରଫା ଭାବେ ଗୋଟିଏ ଦଳକୁ ଯାଉଥିବାରୁ ଏହାକୁ କିପରି ନିଜ ଆଡକୁ କରିବ କଂଗ୍ରେସ ସେନେଇ ସମସ୍ତ ପ୍ରସ୍ତୁତି କରିଛି। ଏହି ଶକ୍ତି ପ୍ରଦର୍ଶନ ଆଗକୁ କଂଗ୍ରେସକୁ ଜିତାଉଛି କି ହରାଉଛି ତାହା ଜଣାପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର