ସମବାୟ ଋଣ ଦୁର୍ନୀତି ତଦନ୍ତ ହେବ ବାଟବଣା! ନିଜ ଦୁଇ ବର୍ଷ ତଳର ଚିଠିକୁ ବାତିଲ୍‌ କଲେ ରେଜିଷ୍ଟ୍ରାର

କଟକ : ନିଜ ଚିଠିକୁ ଦୁଇ ବର୍ଷ ପରେ ନିଜେ ସ୍ଥଗିତ ରଖିଛନ୍ତି କୋଅପରେଟିଭ୍‌ ସୋସାଇଟିର ରେଜିଷ୍ଟ୍ରାର। ପ୍ରଥମ ଚିଠିରେ ତାଙ୍କ ଅନୁମୋଦନ ବିନା ପରିଚାଳନା କମିଟି କାହାକୁ ବହିଷ୍କାର କରିପାରିବନାହିଁ ବୋଲି ନିର୍ଦ୍ଦେଶ ଥିବାବେଳେ ୪ ଦିନ ତ‌ଳେ ଜାରି କରିଥିବା ଚିଠିରେ ପୂର୍ବ ନିର୍ଦ୍ଦେଶକୁ ସାମୟିକଭାବେ ସ୍ଥଗିତ ରଖିଛନ୍ତି ରେଜିଷ୍ଟ୍ରାର। ଏଭଳି ଚିଠିର ଉଦ୍ଦେଶ୍ୟକୁ ନେଇ ଏବେ ଆରମ୍ଭ ଚର୍ଚ୍ଚା ହୋଇଛି । ଏହି ଚିଠି ଆଠଗଡ଼ ସମବ‌ାୟ କୃଷି ଋଣ ଦୁର୍ନୀତିର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ନେଇ ବି କେତେକ ମହଲରେ ଆଶଙ୍କା ପ୍ରକାଶ ପାଇଛି। ସମବାୟ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ସମବାୟ ଋଣ ଦୁର୍ନୀତି ଘଟଣା‌ରେ ୯ ଜଣ ନିଲମ୍ବିତ ହୋଇଥିବାବେଳେ ଜଣେ ସଂପାଦକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ପୁଲିସ ମଧ୍ୟ ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ହେବ ମାମଲା ରୁଜୁ କରିଛି। କିନ୍ତୁ କାହାରିକୁ ଗିରଫ କରି ନାହିଁ। ଏଭଳି ସ୍ଥିତିରେ ଏଭଳି ନୂଆ ନିର୍ଦ୍ଦେଶର ଉଦ୍ଦେଶ୍ୟକୁ ନେଇ ତର୍ଜମା ଚାଲିଛି।

ସୂଚନା ଅନୁସାରେ, ୨୦୧୯, ସେପ୍ଟେମ୍ବର ୩୦ ତାରିଖରେ (ଚିଠି ନଂ ୨୧୪୪୬ରେ) ରେଜିଷ୍ଟ୍ରାର ରାଜ୍ୟର ସମସ୍ତ ଡିଆରସିଏସ୍‌, ଏଆରସିଏସ୍‌ଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ ବିଭିନ୍ନ ସେବା ସମବାୟ ସମିତି, ବ୍ୟାଙ୍କ, ଲ୍ୟାମ୍ପସ୍‌ରେ ସଦସ୍ୟ ଥିବା ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ସଂପାଦକଙ୍କ ନାମରେ ଆର୍ଥିକ ଅନିୟମିତତା, ଅର୍ଥ ତୋଷାରପାତ ଭଳି ଅଭିଯୋଗ ମଧ୍ୟ ଆସୁଛି। ଯାହାଫଳରେ ସରକାର ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ତେଣୁ ଯଦି କୌଣସି ସେବା ସମବାୟ ସମିତି, ଲ୍ୟାମ୍ପସ୍‌ର କର୍ମଚାରୀଙ୍କ ବିରୋଧରେ କିଛି ଅଭିଯୋଗ ଆସିଲା, ତେବେ ପରିଚାଳନା କମିଟି(ମ୍ୟାନେଜମେଣ୍ଟ) କୌଣସି କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ରେଜିଷ୍ଟ୍ରାରଙ୍କ ବିନା ଅନୁମୋଦନରେ ଛଟେଇ ଓ ବହିଷ୍କାର କରିପାରିବେ ନାହିଁ। ରେଜିଷ୍ଟ୍ରାର ଏହାକୁ ତଦନ୍ତ ଓ ଯାଂଚ କରିବା ପରେ ଏହାକୁ ଗ୍ରହଣ ଓ ଖାରଜ କରିବେ। କେବଳ ସେତିକି ନୁହେଁ, ରେଜିଷ୍ଟ୍ରାର ନିଜେ ଆର୍ଥିକ ଅନିୟମିତତା, ଅର୍ଥତୋଷାରପାତ ତଥା ବିଭିନ୍ନ ଅଭିଯୋଗ ଥିବା ସଂପାଦକଙ୍କ ବିରୋଧରେ ନିଜ ପକ୍ଷରୁ ବହିଷ୍କାର କରିପାରିବେ ଓ ଅପରାଧିକ ମାମଲା ପାଇଁ ମଧ୍ୟ ସୁପାରିଶ କରିପାରିବେ ବୋଲି ଚିଠି କରିଥିଲେ।

ଏବେ ୨୦୨୧, ଜାନୁଆରି ୧୫ରେ ପୁଣି ରେଜିଷ୍ଟ୍ରାର ଚିଠି କରିଛନ୍ତି ଯେ, ପୂର୍ବର ଯେଉଁ ଚିଠି ଯାଇଥିଲା ତାକୁ ସାମୟିଭାବେ ସ୍ଥଗିତ ରଖାଗଲା। ଅର୍ଥାତ୍‌ ‌ରେଜିଷ୍ଟ୍ରାର ନିଜେ ବା ନିଜ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ସିଧାସଳଖ ନେଇପାରିବେନାହିଁ। ସର୍ଭିସ ରୁଲ ଅନୁସାରେ ପୂର୍ବରୁ ଯେଉଁଭଳି ଭାବେ ପରିଚାଳନା କମିଟି ସୁପାରିଶ ନକରି ନିଜେ ହିଁ ନିଷ୍ପତ୍ତି ନେଉଥିଲା, ନିଜେ ବହିଷ୍କାର ଓ ନିଲମ୍ବନ କରୁଥିଲା ସେହି ପ୍ରକ୍ରିୟା ଜାରି ରହିବ। ଏଭଳି ନିଷ୍ପତ୍ତି ପରେ ଆଠଗଡ଼ ସମବାୟ କୃଷି ଋଣ ଦୁର୍ନୀତି ତଦନ୍ତ ପ୍ରକ୍ରିୟା ବାଟବଣା ହେବାର ଆଶଙ୍କା ଅଭିଯୋଗ କରିଛନ୍ତି ବିରୋଧୀ। ଆଠଗଡ଼ ସମବାୟ କୃଷି ଋଣ ଦୁର୍ନୀତି ଘଟଣାରେ ୯ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଗଲା କିନ୍ତୁ କେବଳ ଗୁରୁଡିଝାଟିଆ ସେବା ସମବାୟ ସମିତି ସଂପାଦକଙ୍କୁ ବହିଷ୍କାର କରାଗଲା। କିନ୍ତୁ ଅନ୍ୟ ୮ଜଣଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି। ପୁଲିସ ମଧ୍ୟ ଏହି ଜାଲିଆତି ଘଟଣାର ତଦନ୍ତ କରୁଥିବା ୧୦ଜଣିଆ କମିଟି ସଦସ୍ୟଙ୍କୁ ଡକାଇ ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଛି। ବାରମ୍ବାର ତଥ୍ୟ ମାଗୁଛି ପୁଲିସ, ହେଲେ ମାସେ ପରେ ବି ମାମଲା ରୁଜୁ ହୋଇଥିବା ନିଲମ୍ବିତ କର୍ମଚାରୀଙ୍କୁ ଗିରଫ କରିପାରୁନି। ଏପଟେ ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଥିବାବେଳେ ଏହାର ସୁଯୋଗ ନେଇ ଓ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ୯ କର୍ମଚାରୀ।

ସମ୍ବନ୍ଧିତ ଖବର