ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେଲେ ସୂର୍ଯ୍ୟନଗରର କରୋନା ଆକ୍ରାନ୍ତ, ରାଜ୍ୟରେ ୬୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ସୂର୍ଯ୍ୟନଗରର କରୋନା ଆକ୍ରାନ୍ତ ନମ୍ବର ୫ (୬୦ବର୍ଷୀୟ ବୃଦ୍ଧ) ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି | ଏ ନେଇ ଭୁବନେଶ୍ବର ଏମସ୍ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି।

ଏମସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆକ୍ରାନ୍ତଜଣଙ୍କ ମାର୍ଚ୍ଚ ୩୧ରେ କରୋନାର ଲକ୍ଷଣ ଥିବାରୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ | ଏପ୍ରିଲ ୧ରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା | ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ପରେ ପୀଡିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସୋଲେସନ ୱାର୍ଡରେ ଭେଣ୍ଟିଲେଟରରେ ରଖାଯାଇଥିଲା | ଏପ୍ରିଲ ୧୮ପର୍ଯ୍ୟନ୍ତ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାଙ୍କ ଅବସ୍ଥା ସୁଧୁରିବା ପରେ ତାଙ୍କୁ କୋଭିଡ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା | କିଛି ଦିନର ଚିକିତ୍ସା ପରେ ଏପ୍ରିଲ ୬ ଏବଂ ୮ରେ ଦୁଇଥର ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା | ପରେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ସେ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି।

ସୂଚନା ମୁତାବକ, ଭୁବନେଶ୍ବରରେ ଏଯାବତ୍ ସମୁଦାୟ ୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୪ ଜଣ ସକ୍ରିୟ ସଂକ୍ରମିତ ଥିବା ସମୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି।  ଅନ୍ୟ ପକ୍ଷରେ ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି।  ଏଯାଏଁ ଗ୍ରୀନ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲା ଆଜି କରୋନା ମାନଚିତ୍ରରେ ଯୋଡ଼ି ହୋଇଛି । ଏକକାଳୀନ ୪ ଜଣ କରୋନା ପଜିଟିଭ ଜଗତସିଂହପୁରରୁ ଏବଂ କେନ୍ଦ୍ରାପଡ଼ା ଜିଲ୍ଲରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧ଜଣ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର