ସୀମାରୁ ମାଡ଼ି ଆସୁଛି ବିପଦ; ବା‌ଲେଶ୍ବର, ପୁରୀ, କଟକ ‌ୟେଲୋ ଜୋନ୍‌ ଏବଂ ରେଡ୍‌-ଜୋନ୍‌ରେ ଖୋର୍ଧା

ବିସ୍ଫୋରକ ସ୍ଥିତି: ଦିନକରେ ୩୧୦୮ ପଜିଟିଭ୍, ୩ ମୃତ, ଟେଷ୍ଟ ପଜିଟିଭ୍ ରେଟ୍‌ ୧୦ ଛୁଇଁବ

ଭୁବନେଶ୍ବର : ଗତ ୯ଦିନ ହେବ ଛତିଶଗଡ଼ରେ ଦୈନିକ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେଉଛନ୍ତି। ଆଜି ଏହି ସଂଖ୍ୟା ୧୫ ହଜାର ଟପି ଯାଇଛି। ସେହିପରି ଗୋଟିଏ ଦିନରେ ୧୩୫ଜଣଙ୍କ ମୃତ୍ୟୁ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଶବ ସତ୍କାର କରିବା ଲାଗି ଜାଗାର ଅଭାବ ଦେଖାଦେଲାଣି। ସତ୍କାର ପାଇଁ ଲୋକଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି।

ଝାଡ଼ଖଣ୍ଡରେ ମଧ୍ୟ କରୋନାର ୟୁକେ ‌ଓ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଆତଙ୍କ ସୃଷ୍ଟି କରିଛି। ଦୈନିକ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ରୁ ଅଧିକ ରହିଛି। ଅନ୍ୟପଟେ ପଶ୍ଚିମବଙ୍ଗର ସ୍ଥିତି ମଧ୍ୟ ବେହାଲ। ବଙ୍ଗରେ ଦୈନିକ କମ୍ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା ସତ୍ତ୍ବେ ଗୋଟିଏ ଦିନରେ ୬ହଜାର ଆକ୍ରାନ୍ତ ବାହାରିଛନ୍ତି। ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ି ୨୦ ଟପି ଗଲାଣି। ରାଜ୍ୟରେ ଅଧିକ ସଂଖ୍ୟାରେ କୋଭିଡ୍‌ ନମୁନା ପରୀକ୍ଷା କରିବା ଲାଗି ଡାକ୍ତରମାନେ ଦାବି କରୁଛନ୍ତି। ଦକ୍ଷିଣ ପଟେ ଆନ୍ଧ୍ରରେ ମଧ୍ୟ ଦୈନିକ ୪ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ପରିସ୍ଥିତି ବିଗିଡ଼ୁଥିବା ଦେଖି ତୁରନ୍ତ ୬୦ଲକ୍ଷ ଡୋଜ୍‌ର କରୋନା ଟିକା ପଠାଇବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ଏଭଳି ପରିସ୍ଥିତିରେ ଓଡ଼ିଶାର ଚାରିପଟୁ କରୋନା ଭୟ ମାଡ଼ି ଆସିଲାଣି। ସବୁ ସୀମାବର୍ତ୍ତୀ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ କରୋନା ସ୍ଥିତି ଆହୁରି ବିଗିଡ଼ି ଯାଇପାରେ ବୋଲି ଆଶଙ୍କା ଦେଖାଦେଲାଣି। କିଛିଦିନ ହେବ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଥିଲା। ‌ହେଲେ ଏବେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆକ୍ରାନ୍ତ ବଢ଼ିଲେଣି। ଚାହୁଁ ଚାହୁଁ ବା‌ଲେଶ୍ବର, ପୁରୀ, କଟକ ଜିଲ୍ଲା‌ ‌ୟେଲୋ ଜୋନ୍‌ ଓ ଖୋର୍ଧା ରେଡ୍‌-ଜୋନ୍‌‌ରେ ସାମିଲ ହୋଇଗଲାଣି। ମାସକରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୦ ଗୁଣା ବଢ଼ିଛି। କରୋନା ସଂକ୍ରମଣର ଦ୍ବିତୀୟ ଲହର କିଛିଦିନ ଭିତରେ ଏଭଳି ଭୟଙ୍କର ଚିତ୍ର ସୃଷ୍ଟି କଲାଣି।

ଏକାଧିକ ରାଜ୍ୟ ସରକାର ନିଜନିଜ ରାଜ୍ୟରେ ଲକ୍‌ଡାଉନ୍ ଭଳି କଟକଣା ଜାରି କରିବାପରେ ସେସବୁ ରାଜ୍ୟରୁ ଧୀରେଧୀରେ ପ୍ରବାସୀ ଓଡ଼ିଶାମୁହାଁ ହୋଇଛନ୍ତି। ତେଣୁ ସେମାନଙ୍କ ଜରିଆରେ ସଂକ୍ରମଣ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ଦେଖାଦେଲାଣି। ଯଦିଓ ଷ୍ଟେସନ୍, ବିମାନବନ୍ଦରରେ ନମୁନା ପରୀକ୍ଷା କରାଯାଉଛି, ତାହା ଯଥେଷ୍ଟ ନୁହେଁ। ରାଜ୍ୟ ସରକାର ଓ ବିଶେଷଜ୍ଞମାନେ ବାରମ୍ବାର କରୋନାର ଦ୍ବିତୀୟ ଲହର ନେଇ ଲୋକଙ୍କୁ ସତର୍କ କରୁଥିଲେ ହେଁ କେହି ଏହାକୁ ମାନିବା ସ୍ଥିତିରେ ନାହାନ୍ତି। ହାଟ, ବଜାର ଚାରିଆଡ଼େ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଏହାର ଗୋଟିଏ ଝଲକ ଟେଷ୍ଟ ପଜିଟିଭ୍ ରେଟ୍‌ରୁ ଦେଖିବାକୁ ମିଳିଲାଣି। ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ପ୍ରାୟ ୧୦ ପ୍ରତିଶତ ଛୁଇଁବାକୁ ବସିଲାଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ଟିପିଆର୍‌ ୯.୭ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ର ଗାଇଡଲାଇନ୍ କହୁଛି, ଯଦି ଟିପିଆର୍‌ ୫ପ୍ରତିଶତରୁ ଅଧିକ ରହେ, ତାହାଲେ ଅଧିକରୁ ଅଧିକ ସଂଖ୍ୟାରେ ପରୀକ୍ଷା କରାଯିବା ଜରୁରୀ। ମାତ୍ର ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷାରେ ସେଭଳି ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ। ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ହେଲେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

ଆଇସିଏମ୍‌ଆର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା. ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ରାଜ୍ୟରେ ବୋଧ ହୁଏ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଯୁବପିଢ଼ି ସଂକ୍ରମିତ ହେବା ପରେ ସେମାନଙ୍କର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ସେମାନେ ଅନ୍ୟମାନଙ୍କ ସହିତ ମିଶୁଛନ୍ତି, ଫଳରେ ସଂକ୍ରମଣ ବଢ଼ୁଛି। ଆର୍‌ଟି-ପିସିଆର ନେଗେଟିଭ୍ ଥାଇ ମଧ୍ୟ ଅନେକ କୋଭିଡ୍‌ରେ ସଂକ୍ରମିତ ହେଉଥିବା ନଜରକୁ ଆସୁଛି। ସିଟି-ସ୍କାନ୍‌ରୁ ଏସବୁ ଚିହ୍ନଟ ହେଉଛନ୍ତି। ଏସବୁ ଧୀରେଧୀରେ ଭୟଙ୍କର ସ୍ଥିତି ସୃଷ୍ଟି କଲାଣି। ତେଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ ଲୋକମାନେ ମନଇଚ୍ଛା ବାହାରେ ବୁଲିବା ଉଚିତ ନୁହେଁ। ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଧର୍ମାନୁଷ୍ଠାନ ଓ ରାଜନୈତିକ କାର୍ଯ୍ୟକ୍ରମରେ ଭିଡ଼କୁ ବନ୍ଦ କରିବାକୁ ହେବ। ଏହାସହ ଟିକାକରଣ ଜାରି ରଖିବା ଦରକାର। ଟିକା ନେଉଥିବା ଲୋକଙ୍କଠାରେ କମ୍ ସଂକ୍ରମଣ ଦେଖିବାକୁ ମିଳୁଛି। ଫଳରେ ହସ୍ପିଟାଲ ଉପରୁ ରୋଗୀଙ୍କ ଚାପ କମିବ ବୋଲି ଡା. ମହାପାତ୍ର କହିଛନ୍ତି।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୧ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି। ଖୋର୍ଧାରେ ସର୍ବାଧିକ ୫୩୪, ସୁନ୍ଦରଗଡ଼ରେ ୫୨୩, କଟକ ୧୬୩, ନବରଙ୍ଗପୁର ୧୫୬, ସମ୍ବଲପୁର ୧୫୩, ବାଲେଶ୍ବର ୧୫୧, ନୂଆପଡ଼ା ୧୪୦, ବଲାଙ୍ଗୀର ୧୩୩, ବରଗଡ଼ ୧୩୨, ପୁରୀ ୧୧୪ ଓ କେନ୍ଦୁଝରରେ ୧୦୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୧ହଜାର ୪୫୦କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ନଜରକୁ ଆସିଛି। ଗୋଟିଏ ଦିନରେ ୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବଲାଙ୍ଗୀର, ଗଞ୍ଜାମ ଓ ସମ୍ବଲପୁରର ଆକ୍ରାନ୍ତ ଅଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୯୫୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୫,୯୨୭ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର