ଏସ୍‌ସିବିରେ ଖୁବ୍‌ଶୀଘ୍ର କରୋନା ପରୀକ୍ଷା : ଆଜିଠାରୁ ଖୋଲିବ ସ୍ୱତନ୍ତ୍ର ଆଉଟ୍‌ଡୋର୍‌

ସବୁ ଜୈବ ପର୍ଯ୍ୟଟନସ୍ଥଳୀ ବନ୍ଦ

କଟକ : କଟକ ବଡ଼ ଡାକ୍ତରଖାନା(ଏସ୍‌ସିବି)ରେ ଖୁବ୍‌ଶୀଘ୍ର ଆରମ୍ଭ ହେବ କରୋନା ପରୀକ୍ଷା। ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଯୋଗାଣ ପାଇଁ ଏସସିବି କର୍ତ୍ତୃପକ୍ଷ ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱରକୁ ଅନୁରୋଧ କରିବେ। ଏସ୍‌ସିବିରେ ସ୍ଵାବ ପରୀକ୍ଷା ପାଇଁ ଭିତ୍ତିଭୂମି ରହିଛି। କିନ୍ତୁ କିଟ୍‌ ମିଳିଲେ ଏହି ପରୀକ୍ଷା ଖୁବଶୀଘ୍ର ଆରମ୍ଭ କରାଯିବ। ଅନ୍ୟପଟେ ଆସନ୍ତାକାଲି ଠାରୁ ସ୍ୱତନ୍ତ୍ର କରୋନା ଆଉଟ୍‌ଡୋର ଖୋଲିବ । ଏହି ଆଉଟ୍‌ଡୋର କେଉଁଠି ଖୋଲାଯିବ, ସେ ସମ୍ପର୍କରେ ଏସ୍ ସିବି କର୍ତ୍ତୃପକ୍ଷ ସୂଚନା ଦେଇ ନଥିବା ବେଳେ ତମ୍ବୁ ପକାଯାଇ ଏହି ଆଉଟଡୋର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ, ପଲମ୍ୟୁନାରି ମେଡ଼ିସିନ ବିଭାଗ ପାଖରେ ଖୋଲିବାକୁ ଥିବା ଏହି ସ୍ୱତନ୍ତ୍ର ଆଉଟଡୋରରେ ବେଡ୍ ବ୍ୟବସ୍ଥା ମଧ୍ୟ କରାଯାଉଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

ସବୁ ଜୈବ ପର୍ଯ୍ୟଟନସ୍ଥଳୀ ବନ୍ଦ
ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ସମସ୍ତ ଜୈବ ପର୍ଯ୍ୟଟନସ୍ଥଳୀ ଓ ପ୍ରାଣୀ ଉଦ୍ୟାନ ବନ୍ଦ ରଖିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦେଶନାମା ଜାରି କରିଛି। ଭିତରକନିକା ଅଭୟାରଣ୍ୟ ସମେତ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ସମସ୍ତ ଜୈବ ପର୍ଯ୍ୟଟନସ୍ଥଳୀରେ ରାତ୍ରି ରହଣି ବ୍ୟବସ୍ଥାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଜୈବ ପର୍ଯ୍ୟଟନସ୍ଥଳୀରେ ଦିନରେ ବୁଲାବୁଲି ବ୍ୟବସ୍ଥାକୁ ସୀମିତ କରାଯାଇଛି। ଏହି ସମୟ ମଧ୍ୟରେ ବୁକିଂ କରିଥିବା ସମସ୍ତ ଅଗ୍ରୀମ ଶତ ପ୍ରତିଶତ ଫେରସ୍ତ ଦିଆଯିବ। ଜୟଦେବ ବଟିକା ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରସ୍ଥିତ ବଟାନିକାଲ ଗାର୍ଡେନ ସର୍ବସାଧାରଣଙ୍କ ପାଇଁ ଦିନ ୨ଟା ପରେ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର