କୋଭିଡ ହସ୍‌ପିଟାଲ୍‌ରୁ ଡିୟୁଟି ସାରି ଫେରିଥିବା ଡାକ୍ତରଙ୍କୁ ରହିବାକୁ ମିଳିଲାନି ହୋଟେଲ୍, ଟାଣ ଖରାରେ ରାସ୍ତାରେ ଅପେକ୍ଷା କରିବାକୁ ପଡ଼ିଲା

ଭୁବନେଶ୍ୱର: କୋରାନା ଯୁଦ୍ଧରେ ସାମିଲ ହୋଇଥିବା ଡାକ୍ତର ଓ ନର୍ସଙ୍କୁ ନିଜ ଡିୟୁଟି ସରିବା ପରେ ଘରକୁ ନ ଫେରି ୧୪ଦିନ ବାଧ୍ୟତାମୂଳକ ଭାବେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ କୁହାଯାଇଥିଲା। ତେବେ ଆଜି ଏହାକୁ ନେଇ ଏକ ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଛି। ବିସ୍ମୟର ବିଷୟ ହେଉଛି, ଡାକ୍ତରମାନଙ୍କୁ ହୋଟେଲରେ ରଖାଯିବା ଲାଗି ବ୍ୟବସ୍ତା ହୋଇଥିଲେ ମଧ୍ୟ ହୋଟେଲଗୁଡ଼ିକ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଏହି କରୋନା ଯୋଦ୍ଧାଙ୍କୁ ରଖିବାକୁ ରାଜି ହେଉନାହାନ୍ତି।

ଟାଟା ମେଡିକାଲ୍‌ର କୋଭିଡ ହସ୍‌ପିଟାଲ୍‌ରେ କରୋନା ରୋଗୀ ଭର୍ତ୍ତି ହେବା ଦିନଠାରୁ ପାଖାପାଖି ୪ରୁ ୫ଦିନ କାମ କରିବା ପରେ ଆଜି କିଛି ଡାକ୍ତରମାନଙ୍କର ଡିୟୁଟି ଶେଷ ହୋଇଥିଲା। ଡିୟୁଟି ଶେଷ ପରେ ଉକ୍ତ ଡାକ୍ତରମାନଙ୍କ ଛୁଟି ଆରମ୍ଭ ହୋଇଥିଲା।

ଛୁଟି ପାଇଥିବା ଡାକ୍ତରମାନେ ଅଭିଯୋଗ କରି କହିଛନ୍ତି, ନିୟମ ଅନୁସାରେ ଡିୟୁଟି ଶେଷ ହେବା ପରେ ଡାକ୍ତରମାନଙ୍କୁ ୧୪ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା। ତେଣୁ ସେମାନେ ନୋଡାଲ ଅଫିସରଙ୍କୁ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବା ପରେ ଡାକ୍ତରମାନଙ୍କ ପାଇଁ ରହିବାର ବ୍ୟବସ୍ଥା ବ୍ରହ୍ମପୁରର ବାଲାଜୀ ହୋଟେଲରେ ହୋଇଥିବା ନୋଡାଲ ଅଫିସର କହିଥିଲେ।

ତେବେ ବାଲାଜୀ ହୋଟେଲକୁ ଯିବା ବାଟରେ ସେମାନଙ୍କୁ ବାଲାଜୀ ହୋଟେଲରେ ନୁହେଁ ବରଂ ନନ୍ଦନ ଇଣ୍ଟରନାସ୍‌ନାଲ୍‌ରେ ରଖାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏକ ଘଣ୍ଟା ଧରି ଗାଡ଼ି ଭିତରେ ବସି ରହିବା ପରେ ବି ଡାକ୍ତରମାନଙ୍କୁ କେଉଁଠାରେ ରଖାଯିବ ସେ ନେଇ ସେମାନଙ୍କୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲା। ପରେ ସେମାନଙ୍କୁ  ବ୍ରହ୍ମପୁର ଟାଉନ୍‌ର କୌଣସି ହୋଟେଲ୍‌ରେ ରଖିବାକୁ ହୋଟେଲ ମାଲିକ ରାଜି ହେଉ ନ ଥିବା ସେମାନେ ଜାଣିବାକୁ ପାଇଥିଲେ। ତେବେ ଡିୟୁଟି ସାରି ସଙ୍ଗରୋଧ ସମୟ ଆରମ୍ଭ ହୋଇଥିବା ବେଳେ ପୁଣି ଥରେ ଡାକ୍ତରଖାନାକୁ ଫେରିବା ସମ୍ଭବପର ହୋଇ ନ ଥିବାରୁ ସେମାନେ ଟାଣ ଖରାରେ ରାସ୍ତାପାର୍ଶ୍ୱରେ ପ୍ରଶାସନର ବ୍ୟବସ୍ଥାକୁ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର