ସବୁଥିରେ ରେକର୍ଡ କଲା କରୋନା : ଦୈନିକ ସଂକ୍ରମଣ ୩୦୦୦ ନିକଟତର, ମୃତ୍ୟୁ ସଂଖ୍ୟା ୪୦୦ ଡେଇଁଲା

ଖୋର୍ଧାରେ ଦିନକରେ ୬୦୬ ପଜିଟିଭ୍‌, ସୁସ୍ଥରେ ବି ରେକର୍ଡ, ଫେରିଲେ ୨୧୨୯

ଭୁବନେଶ୍ୱର : ଓଡ଼ିଶାରେ କରୋନା ଆଜି ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ରଚନା କରିଛି। ସଂକ୍ରମଣ ଠାରୁ ଆରମ୍ଭ କରି ନମୁନା ପରୀକ୍ଷା, ସୁସ୍ଥତାରେ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ରାଜ୍ୟ‌ରେ କରୋନାର ଦୈନିକ ସଂକ୍ରମଣ ୩ ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୯୯୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଆଜି ପର୍ଯ୍ୟନ୍ତ ସର୍ବାଧିକ। ଏଥିରେ ଖୋର୍ଧା ଜିଲ୍ଲାରୁ ୬୦୬ଜଣ ରୋଗୀ ରହିଛନ୍ତି। ଯାହାକି ଜିଲ୍ଲା ପାଇଁ ମଧ୍ୟ ସର୍ବାଧିକ। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଏବେ ଉପରମୁହାଁ ହୋଇଛି। ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ହେଉଛି ଜିଲ୍ଲାରେ। ଖୋର୍ଧାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯୪ରେ ପହଞ୍ଚି ଗଲାଣି। ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା ‌ହୋଇଛି। ୬୧ହଜାର ୧୬୬ ରାପିଡ୍‌ ଆଣ୍ଟିଜେନ୍ ଓ ୭୫୮୫ ଆରଟି-ପିସିଆର ନମୁନାକୁ ମିଶାଇ ୬୮୯୦୬ ନମୁନା ପରୀକ୍ଷା କରାଯାଇଛି। ଏଥିରେ ଗଞ୍ଜାମରେ ସର୍ବାଧିକ ୮୫୫୯ ନମୁନା ପରୀକ୍ଷା ହୋଇଛି। ଯାହାଫଳରେ ଗତ ୨୪ଘଣ୍ଟାରେ ରାଜ୍ୟରେ ‌ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୪.୩୪ ପ୍ରତିଶତକୁ ଖସି ଆସିଛି।

ରାଜ୍ୟରେ ସର୍ବାଧିକ ସକ୍ରିୟ ରୋଗୀ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ ହଜାରରୁ ଅଧିକ ରହିଛି। ଗଞ୍ଜାମରେ କରୋନା ରୋଗୀ ସୁସ୍ଥ ହାର ୮୫ ପ୍ରତିଶତ ଥିବା ବେଳେ କଟକରେ ଏହା ୬୦ ପ୍ରତିଶତରୁ ଅଧିକ ରହିଛି। ହେଲେ ଖୋର୍ଧା ଜିଲ୍ଲାରେ ଏହାର ୫୬ ପ୍ରତିଶତ ରହିଛି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ରାଜ୍ୟରେ ଆଜି ଆଉ ୧୦ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୯ରେ ପହଞ୍ଚିଛି। ଆଜି ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩ଜଣ ରହିଛନ୍ତି। ଗଞ୍ଜାମର ୬୦, ୬୧ ଓ ୭୦ବର୍ଷର ପୁରୁଷ, ରାୟଗଡ଼ାର ୪୫ ଓ ୫୬ବର୍ଷର ପୁରୁଷ, କଟକର ୮୭ବର୍ଷର ବୃଦ୍ଧା ଓ ୭୫ବର୍ଷର ପୁରୁଷ, ଗଜପତିର ୪୫ବର୍ଷର ପୁରୁଷ, ବଲାଙ୍ଗୀରର ୪୭ବର୍ଷର ପୁରୁଷ ଓ ନୟାଗଡ଼ର ୫୮ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ଗଞ୍ଜାମରେ ଏ ପର୍ଯ୍ୟନ୍ତ ସର୍ବାଧିକ ୧୭୪ଜଣଙ୍କ ପ୍ରାଣହାନୀ ଘଟିଲାଣି। ଏହ ପଛରେ ଖୋର୍ଧାରୁ ୫୪, ସୁନ୍ଦରଗଡ଼ ୨୬, କଟକ ୨୪, ରାୟଗଡ଼ା ୨୦, ଗଜପତି ୧୭, ନୟାଗଡ଼ ୧୧ ଓ ପୁରୀରୁ ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏହାବାଦ୍ ୫୩ଜଣ କରୋନା ସଂକ୍ରମିତ ଥାଇ ମଧ୍ୟ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

ଗତ ୨୪ଘଣ୍ଟାରେ ଖୋର୍ଧାରେ ୬୦୬ଜଣଙ୍କୁ ବାଦ୍ ଦେଲେ ଗଞ୍ଜାମରେ ୨୭୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ୧୫୮, ପୁରୀ ୧୫୬, ନୟାଗଡ଼ ୧୫୩, ରାୟଗଡ଼ା ୧୩୭, ଯାଜପୁର ୧୨୧, ମୟୂରଭଞ୍ଜ ୧୨୦, ବାଲେଶ୍ବର ୧୧୫, ସମ୍ବଲପୁର ୧୦୪, ବରଗଡ଼ ୯୮, କୋରାପୁଟ ୯୫, ଭଦ୍ରକ ୯୨, ମାଲକାନଗିରି ୮୫, ସୁନ୍ଦରଗଡ଼ ୭୦, ନବରଙ୍ଗପୁର ୬୮, କେନ୍ଦୁଝର ୬୩, ବଲାଙ୍ଗୀର ୬୨, ଢେଙ୍କାନାଳ ୬୦, କନ୍ଧମାଳ ୫୮, ଜଗତସିଂହପୁର ୪୬, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ା ୪୩ ଲେଖାଏଁ, କଳାହାଣ୍ଡି ୩୬, ଅନୁଗୁଳ ୨୧, ନୂଆପଡ଼ା ୧୧ ଓ ଦେବଗଡ଼ ଓ ବୌଦ୍ଧରୁ ୯ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୨୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ସଙ୍ଗରୋଧରୁ ଓ ୧୧୧୪ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି।

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ୨୧୨୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୨୭୬, ଗଞ୍ଜାମ ୨୬୫, ସୁନ୍ଦରଗଡ଼ ୧୭୮, କଟକ ୧୭୨, କୋରାପୁଟ ୧୫୩, ଭଦ୍ରକ ୧୪୪, ନୟାଗଡ଼ ୧୩୦, କନ୍ଧମାଳ ୧୨୨, ବାଲେଶ୍ବର ୯୦, ପୁରୀ ୮୪, ମାଲକାନଗିରି ୮୦, ସମ୍ବଲପୁର ଓ ରାୟଗଡ଼ାରୁ ୬୮ ଲେଖାଏଁ, ମୟୂରଭଞ୍ଜ ୫୬, ଗଜପତି ୫୦, ଜଗତସିଂହପୁର ୨୭, ଯାଜପୁର ୨୪, ଢେଙ୍କାନାଳ ଓ କେନ୍ଦୁଝର ୨୩ ଲେଖାଏଁ, କଳାହାଣ୍ଡି ୧୯, ଅନୁଗୁଳ ୧୮, କେନ୍ଦ୍ରାପଡ଼ା ୧୬, ବଲାଙ୍ଗୀର ୧୪, ଝାରସୁଗୁଡ଼ା ୧୩, ନବରଙ୍ଗପୁର ୯, ବୌଦ୍ଧ ୬ ଓ ସୋନପୁରରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୨୩୬୬୨ କରୋନା‌ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର