ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଯୁଯୁମୁରା/ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକସ୍ଥିତ ସିଆର୍‌ପିଏଫ୍‌ ଦ୍ବାଦଶ ବାଟାଲିୟନର ଏଫ୍‌ କ୍ୟାମ୍ପ୍‌ରେ ମଙ୍ଗଳବାର ଦିନ ୧ଟା ୪୫ ମିନିଟରେ ଜଣେ କନେଷ୍ଟବଳ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ୍‌ଙ୍କ ନାମ ବୁଟା ସିଂହ(୨୮) ଓ ସେ ପଞ୍ଜାବର ମାନ୍‌ସା ଜିଲ୍ଲା ସ‌ାଦୁର୍ଳଗଡ଼ ତହସିଲ ଆଲୁପୁର ଗ୍ରାମର କର୍ଣ୍ଣଲ ସିଂହଙ୍କ ପୁଅ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଯୁଯୁମୁରା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲରେ ଅପରାହ୍ନ ୪ଟା ବେଳେ ଡା.ଏସ୍‌.କେ.ମାଝୀ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଯୁଯୁମୁରା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ନିଜକୁ ଗୁଳି କରିବା ସମୟରେ ଯବାନ୍‌ ବୁଟା ସିଂହ ଚିନ୍ତିତ ଥିଲେ ଓ କାହା ସହିତ ଫୋନ୍‌ରେ କଥା ହେଉଥିଲେ ବୋଲି ସୂଚନା ମିଳିଛି।

ସିଆରପିଏଫରେ କାର୍ଯ୍ୟରତ କିଛି ଯବାନଙ୍କ କହିବା ମୁତାବକ, ୨୦୧୮ ଅଗଷ୍ଟ ମାସରେ ବୁଟା ସିଂହ ଏହି ବାଟାଲିୟନରେ ଜଣେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ। ନିର୍ବାଚନ ପାଇଁ ସେ ଗତମାସରେ ପଞ୍ଜାବ ଯାଇ ସେଠାରୁ ଫେରିଥିଲେ। ତେବେ ସବୁଥର ଭଳି ଆଜି ମଧ୍ୟ କ୍ୟାମ୍ପର ଯବାନମାନେ ମାସିକିଆ ଫାୟାରିଂ ପ୍ରାକ୍ଟିସ୍‌ ପାଇଁ ସକାଳୁ ବୁର୍ଲା ଆସି ଦିନ ୧ଟାରେ କ୍ୟାମ୍ପ୍‌କୁ ଫେରିଥିଲେ। ସମସ୍ତେ ଖାଇବାକୁ ଯାଇଥିବା ବେଳେ ଯବାନ୍‌ ବୁଟା ସିଂହ ଚିନ୍ତାଗ୍ରସ୍ତ ଅବସ୍ଥା‌ରେ ଫୋନ୍‌ରେ କାହା ସହିତ କଥା ହେଉଥିଲେ। ଏହି ସମୟରେ ହଠାତ୍‌ ଗୁଳି ଫୁଟିବାର ଶବ୍ଦ ଶୁଣି ସମସ୍ତେ କ୍ୟାମ୍ପ୍‌ କରିଡରକୁ ଧାଇଁଥିଲେ। ତେବେ ସେତେବେଳକୁ କାନରେ ଇୟର ଫୋନ୍‌ ଲଗାଇ ରକ୍ତାକ୍ତ ଅବସ୍ଥାରେ ବୁଟା ସିଂହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହାସହ ଘଟଣାସ୍ଥଳରେ ତାଙ୍କ ମୋବାଇଲ ଓ ୩ ଟି ଗୁଳି ଖୋଖା ପଡ଼ିଥିବା ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ସେମାନେ ବୁଟା ସିଂହଙ୍କୁ ଯୁଯୁମୁରା ମେଡିକାଲ ନେଇଥିଲେ।

ସମ୍ବନ୍ଧିତ ଖବର