ଝାରସୁଗୁଡା: ଶ୍ରାବଣରେ ମୁଣ୍ଡଫଟା ଖରା। ଘରୁ ପଦାକୁ ବାହାରିବା କଷ୍ଟକର ହୋଇ ପଡ଼ିଛି। ପ୍ରଚଣ୍ଡ ତାତି ବେଳେ ଆକାଶ ମେଘମୁକ୍ତ ରହିଛି। ଗରମ ଓ ଗୁଳୁଗୁଳିରେ ଲୋକେ ତ୍ରାହି ଡାକିଲେଣି। ଆଗାମୀ ସପ୍ତାହକ ମଧ୍ୟରେ ଭଲ ବର୍ଷା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଗତ ଗ୍ରୀଷ୍ମରେ ଶୁଖି ଯାଇଥିବା ନଦୀ, ନାଳ, ବନ୍ଧ, କଟାଗୁଡ଼ିକ ଏହି ମାସରେ ବର୍ଷାଜଳରେ ଭରିଯିବା କଥା, ମାତ୍ର ବର୍ଷା ହେଉ ନଥିବାରୁ ସବୁ ଶୁଖିଲା ପଡ଼ିଛି। ବନ୍ଧ, କଟା ଉପରେ ନିର୍ଭର କରୁଥିବା ଲୋକେ ଏବେ ମଧ୍ୟ ଗ୍ରୀଷ୍ମର ସମସ୍ୟା ଭୋଗୁଛନ୍ତି। ଜିଲ୍ଲାରେ ବର୍ଷାଭାବ ସବୁଠାରୁ ବେଶି କ୍ଷତି କରିଛି ଚାଷ କାର୍ଯ୍ୟକୁ। ଜିଲ୍ଲାରେ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀ ବର୍ଷା ପାଣି ଉପରେ ସଂପୂର୍ଣ୍ଣ ନିର୍ଭର କରି ଚାଷ କରିଥାଏ। ଚଳିତ ବର୍ଷ ବର୍ଷାଭାବ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି। ଜିଲ୍ଲାରେ ଅଗଷ୍ଟ ମାସରେ ଯଥେଷ୍ଟ ମାତ୍ରାରେ ବର୍ଷା ହେଉଥିବାରୁ ଏହି ସମୟରେ ଚାଷବାସ ଠିକ ଭାବରେ କରାଯାଇଥାଏ। ମାତ୍ର ଚଳିତ ବର୍ଷ ଜିଲ୍ଲାରେ ହାରାହାରି ବୃଷ୍ଟିପାତଠାରୁ ଅତିକମ୍ ମାତ୍ରାରେ ବର୍ଷା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜୁନ୍ ଓ ଜୁଲାଇ ମାସରେ ହାରାହାରି ବୃଷ୍ଟିାପାତଠାରୁ କମ୍ ରେକର୍ଡ କରାଯାଇଛି। ଜୁନ୍ ମାସରେ ହାରାହାରି ୨୧୮.୮ମିମି ହେବା ଯାଗାରେ ୨୧୫. ୮୪ ମିମି ବୃଷ୍ଟିପାତ ହୋଇଥିଲା। ଜୁଲାଇ ମାସରେ ହାରାହାରି ୩୮୫.୮ ମିମି ସ୍ଥାନରେ ହୋଇଛି ୨୨୭.୬୦ ମିମି। ଜିଲ୍ଲାରେ ଅଗଷ୍ଟ ମାସରେ ହାରାହାରି ବୃଷ୍ଟିପାତ ମାତ୍ରା ୩୮୨.୯ ମିମି ଥିବା ବେଳେ ଅଗଷ୍ଟ ୨୪ ତାରିଖ ସୁଦ୍ଧା ମାତ୍ର ୯୧.୭୬ ମିମି ବର୍ଷା ରେକର୍ଡ କରାଯାଇଛି। ମାସ ପୁରିବାକୁ ଆଉ ଏକ ସପ୍ତାହ ଥିବା ବେଳେ ଆସନ୍ତା ସପ୍ତାହରେ ଆଉ ବର୍ଷା ନଥିବା ବିଶେଷଜ୍ଞ ମାନେ ସୂଚନା ଦେଇ ସାରିଲେଣି। ଫଳରେ ଅଗଷ୍ଟ ମାସରେ ଆଉ ଅଧିକ ବୃଷ୍ଟିପାତ ହେବା ନେଇ ସଂଦେହ ସୃଷ୍ଟି ହୋଇଛି। ବର୍ଷାଭାବ ଯୋଗୁଁ ଜିଲ୍ଲାର ବହୁ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ ଅକାମୀ ହୋଇ ପଡ଼ିଛି। ଅନେକ ସ୍ଥାନରେ ଥିବା ଉଠା ଜଳସେଚନ ପଏଣ୍ଟ ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଯୋଗୁଁ ଚାଷୀ ଏହାର ସୁବିଧା ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଥିବା ଉଠା ଜଳସେଚନନ ପ୍ରକଳ୍ପଗୁଡ଼ିକ ମଧ୍ୟ ଚାଷୀଙ୍କ କାମରେ ଆସୁ ନଥିବା ଅଭିଯୋଗ ହୋଇଛି। ପାଣି ଯୋଗୁଁ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ଅନେକ ସ୍ଥାନରେ ଜମି ଶୁଖି ଯାଇ ମାଟି ଫାଟିବା ଆରମ୍ଭ କଲାଣି। ଚାଷୀ ଏବେ ଧାନଗଛ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। ଜିଲ୍ଲାର ୫ଟି ବ୍ଲକରେ ଥିବା ବୃଷ୍ଟିପାତ ମାପ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ଅଗଷ୍ଟ ମାସରେ ଝାରସୁଗୁଡ଼ାରେ ୧୧୯ ମିମି, କୋଲାବିରାରେ ୪୯ ମିମି, ଲଇକେରାରେ ୮୨. ୨୦ ମିମି, କର୍ମିରାରେ ୮୪.୯୦ ମିମି ଓ ଲଖନପୁରରେ ୧୨୩. ୭୦ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ଏଯାଏଁ ପ୍ରବଳ ବର୍ଷା ହୋଇ ନାହିଁ। ଚଳିତ ମାସର ବୃ୍ଷ୍ଟିପାତ ସଂଖ୍ୟାକୁ ଆକଳନ କଲେ ଏଭଳି ନିଅଣ୍ଟିଆ ବୃଷ୍ଟିପାତ ଆଗରୁ କେବେ ହୋଇ ନଥିଲା। ଗତ ୧୩ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ମଧ୍ୟ ଏତେ ଅଳ୍ପ ବୃଷ୍ଟିପାତ ପୂର୍ବରୁ କେବେ ହୋଇ ନଥିଲା।
ଅଗଷ୍ଟ ମାସରେ ଜିଲ୍ଲାରେ ହେଉଥିବା ବୃଷ୍ଟିପାତ
୨୦୦୮ – ୪୮୯.୮୦ ମିମି
୨୦୦୯ – ୨୬୯.୪୦ ମିମି
୨୦୧୦ – ୩୩୬.୯୩ ମିମି
୨୦୧୧ – ୨୯୬.୫୪ ମିମି
୨୦୧୨ – ୮୦୩.୬୮ ମିମି
୨୦୧୩ – ୨୪୯.୭୬ ମିମି
୨୦୧୪ – ୪୩୩.୯୮ ମିମି
୨୦୧୫ – ୪୪୧. ୯୦ ମିମି
୨୦୧୬ – ୪୦୬.୦୬ ମିମି
୨୦୧୭ – ୩୦୦.୫୨ ମିମି
୨୦୧୮ – ୩୯୯.୫୨ ମିମି
୨୦୧୯ – ୭୨୩.୧୨ ମିମି
୨୦୨୦ – ୫୮୬.୮୬ ମିମି
୨୦୨୧ – ୯୧. ୭୬ ( ୨୪.୮.୨୧ ପର୍ଯ୍ୟନ୍ତ)