ରକ୍ତ ଅଭାବରୁ ଝିଅର ମୃତ୍ୟୁ, ଟଙ୍କା  ନଥିବାରୁ ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ଘରକୁ ନେଲେ ଶବ 

ମାଲକାନଗିରି: ମାଲକାନଗିରି ଜିଲ୍ଲା ହସପିଟାଲରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ରକ୍ତ ଅଭାବରୁ ଜଣେ ଚାରି ବର୍ଷର ଝିଅର ମୃତ୍ୟୁ ହେବା ପରେ ପାଖରେ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇ ମଟର ସାଇକେଲରେ ଶବକୁ ଘରକୁ ନେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକର ସିନ୍ଧ୍ରିମାଳ ପଞ୍ଚାୟତର ତୋଙ୍ଗଗୁଡା ଗ୍ରାମର ଇର୍ମା ମାଢିଙ୍କ ୪ ବର୍ଷର ଝିଅ ରଶ୍ମି ମାଢି ରକ୍ତହୀନତା ନେଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିଲା। ଝିଅକୁ ରକ୍ତ ଦରକାର ପଡୁଥିବା ବେଳେ ବାପା ଇର୍ମା ରକ୍ତ ଯୋଗାଡ କରିବାକୁ ଲାଗି ପଡିଲା।

ତେବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଯୋଗୁଁ ସେ ଅନ୍ୟ ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ରକ୍ତ ଯୋଗାଡ କରିବାରେ ବାପା ଇର୍ମା ବିଳମ୍ବ କରିବାରୁ ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଝିଅର ମୃତ୍ୟୁ ପରେ ପାଖରେ ଟଙ୍କା ନଥିବାରୁ ଶବକୁ ଆମ୍ବୁଲେନସ ବଦଳରେ ମଟର ସାଇକେଲରେ ଘରକୁ ନେଇଥିଲେ। ଡାକ୍ତରଖାନା କର୍ତ୍ତପକ୍ଷଙ୍କ କହିବା ଅନୁଯାୟୀ ସେ ନିଜେ ଲେଖିକି ଦେଇଥିଲେ ଯେ ସେ ନିଜ ଝିଅର ଶବକୁ ମଟର ସାଇକେଲରେ ନେଇଯିବେ। ତେଣୁ ତାଂକୁ ଛଡାଯାଇଥିଲା ବୋଲି କୁହାଯାଇଛି। ତେବେ ଜିଲ୍ଲାରେ ରକ୍ତର ଘୋର ଅଭାବ ଯୋଗୁଁ ଜଣେ ଚାରି ବର୍ଷର ଝିଅର ମୃତ୍ୟୁକୁ ନେଇ ଏବେ ଆଲୋଚନା ଜୋର ଧରିଛି।

ତେବେ ଆଗକୁ ଯେମିତି କେହି ରକ୍ତ ଅଭାବରୁ ନମରନ୍ତି ସେଥିପ୍ରତି ବିଭିନ୍ନ ସଂଗଠନକୁ ସହଯୋଗ କରାଯିବା ନେଇ ଅନୁରୋଧ କରାଯାଇଛି। ଜିଲ୍ଲାରେ ରକ୍ତ ସଂଗ୍ରହ ହୋଇପାରୁନଥିବା ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି। ଏବେ ପୁଣି ଗ୍ରୀଷ୍ମର ପ୍ରଭାବ ଜିଲ୍ଲାରେ ଜୋର ରହିଥିବାରୁ ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ହେବା ସମ୍ଭାବନା କମ୍ ରହିଛି। ତୋଙ୍ଗଗୁଡାରେ ରଶ୍ମୀର ମୃତ୍ୟୁ ଖବର ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା।

ସମ୍ବନ୍ଧିତ ଖବର