ଉତ୍କଳରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ଖୋଲିବାକୁ ଦାବି

ଭୁବନେଶ୍ବର : ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ଖୋଲିବାକୁ ଯୁବ ଛାତ୍ର ସଂଗଠନ ‘ମାସା ଆର୍ମୀ’ ପକ୍ଷରୁ ଦାବି କରାଯାଇଛି। ସଂଗଠନର ସଦସ୍ୟମାନେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା‌ ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି, ୨୦୦୩ ଡିସେମ୍ବର ୨୨ରେ ସାନ୍ତାଳୀ ଭାଷା ସମ୍ବିଧାନର ସ୍ବୀକୃ୍ତିପ୍ରାପ୍ତ ହୋଇଛି। ଭାଷାକୁ ସ୍ବୀକୃତି ମିଳିବା ପରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ଭାଷାରେ ଯୁକ୍ତ୩ ସମ୍ମାନ ବିଭାଗ, ପିଜି, ଏମ୍‌ ଫିଲ୍‌ ଓ ପିଏଚ୍‌ଡି ଭଳି ପାଠ୍ୟକ୍ରମ ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବି ସାନ୍ତାଳୀ ଭାଷାରେ ଶିକ୍ଷା ପାଇଁ ଆଗ୍ରହ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ବବିଦ୍ୟାଳୟରେ ମଧ୍ୟ ଯୁକ୍ତ୩ ଅନର୍ସ, ଇଲେକ୍ଟିଭ୍‌ ସହ ପିଜି, ଏମ୍‌ ଫିଲ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମ ଖୋଲାଗଲେ ସାନ୍ତାଳୀ ଭା‌ଷାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ସେମାନେ କହିଛନ୍ତି। ଦାବିପତ୍ର ପାଇବା ପରେ କୁଳପତି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ଯେ ବିଶ୍ବବିଦ୍ୟାଳୟରେ ବିଭାଗ ଖୋଲିବା ସହ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ।

ସମ୍ବନ୍ଧିତ ଖବର