ସୌର ଶକ୍ତିଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ: ଜଳ ବୁନ୍ଦାଏ ପାଇଁ ଜାମବଣୀ ଗ୍ରାମବାସୀ ବାସିନ୍ଦା ହନ୍ତସନ୍ତ

୪ ସୌର ଶକ୍ତିଚାଳିତ ପାନୀୟ ଜଳ ପ୍ରକଳ୍ପରୁ ୨ ଅଚଳ, ପାନୀୟ ଜଳ ନମିଳିଲେ ଭୋଟ୍ ବର୍ଜନ ଚେତାବନୀ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ସୁଦର୍ଶନପୁର ଗ୍ରାମପଂଚାୟତ ଜାମବଣୀ ଗ୍ରାମରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଏହି ଗ୍ରାମରେ ତିନି ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମବାସୀ ନଳକୂପ ଓ ନଈରେ ଚୁଆ କରି ସେଥିରୁ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ବର୍ଷେ ପୂର୍ବରୁ ଉକ୍ତ ଗ୍ରାମରେ ୪ଟି ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଥିଲା। ଉକ୍ତ ୪ଟି ପ୍ରକଳ୍ପ ମଧ୍ୟରୁ ୨ ଟି ପ୍ରକଳ୍ପ ଦୀର୍ଘ ୩ ମାସରୁ ଅଧିକ ହେଲା ଅଚଳ ହୋଇ ପୋଡିଥିବାରୁ ଗ୍ରାମବାସୀ ନାହିଁନଥିବା ଜଳକଷ୍ଟ ପାଉଛନ୍ତି। ଦୁଃଖର ବିଷୟ ଯେ ସୁଦର୍ଶନପୁର ପଂଚାୟତ କାର୍ଯ୍ୟଳୟଠାରୁ ମାତ୍ର ୨ କି.ମି ଥିଲେ ମଧ୍ୟ ପ୍ରଶାଶନର ନଜରରେ ପଡୁନି। ଏନେଇ ପଂଚାୟତର ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକର ବିଡିଓ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ସୂଚନାଯୋଗ୍ୟ ଯେ ଉକ୍ତ ପ୍ରକଳ୍ପ ଗୁଡ଼ିକ ଓରେଡା ସଂସ୍ଥା ଦ୍ୱାରା କରାଯାଇଥିଲା ଏବଂ ସେ ଗୁଡିକ ମରାମତି ନିମନ୍ତେ ବାରମ୍ବାର ଉକ୍ତ ସଂସ୍ଥା ନିକଟରେ ଦାବି କଲେ ମଧ୍ୟ କୌଣସି ସୂଫଳ ମିଳୁନଥିବା ଜଣାପଡିଛି। ଏ ସମ୍ବନ୍ଧରେ ସୁଦର୍ଶନପୁର ସରପଂଚ କରବୀ ମୁଣ୍ଡାରୀଙ୍କ ସହିତ ଯୋଗାଯୋଗ କରିବାରୁ ମରାମତି ନିମନ୍ତେ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଲିଖିତ ଓ ମୌଖିକ ଆକାରରେ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନାହିଁ । ତେବେ ମରାମତି ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି। ଏଣୁ ଯଥାଶୀଘ୍ର ଉକ୍ତ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପକୁ ଯଥାଶିଘ୍ର ମରାମତି କରାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି।

ତେବେ ଦ୍ୱିପତଳ ଅନ୍ଧାର ପରି ପଂଚାୟତ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରତାରେ ଥିବା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କେମିତି ମରାମତି ହୋଇପାରୁନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଉକ୍ତ ପ୍ରକଳ୍ପ ଅଚଳ ଥିବାରୁ ଗ୍ରାମର ଜଣେ ଗ୍ରାମବାସୀଙ୍କ କୁଅରୁ ପାଣି ଆଣିବା ପାଇଁ ଯିବାକୁ ପଡୁଛି। ସେଥିରେ ମଧ୍ୟ କମ ପରିମାଣର ପାଣି ବାହାରୁ ଥିବାରୁ ମହିଳା ମାନଙ୍କୁ ବହୁ ସମୟ ଧରି ଧାଡିରେ ଛିଡା ହେବାକୁ ପଡୁଛି। ଯଦି ପାନୀୟ ଜଳ ସମସ୍ୟା ଦୂର ନହେଲେ ତାହେଲେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ତେବେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପରେ ସଂଯୋଗ ହୋଇଥିବା ନଳକୂପରୁ ବିଭାଗୀୟ କର୍ମଚାରୀମାନେ ପାଇପ୍ ଗୁଡିକ ବାହାର କରିନେଇଥିବାରୁ ସେଥିରୁ ମଧ୍ୟ ପାଣି ବାହାରୁ ନାହିଁ। ଏ ସମ୍ବନ୍ଧରେ ରାଇରଙ୍ଗପୁର ବ୍ଲକ୍ ଆରଡବ୍ଲୁଏସ୍ଏଦ୍‌ର କନିଷ୍ଠଯନ୍ତ୍ରୀ ଦେବବ୍ରତ ଦାସଙ୍କ ସହିତ ଯୋଗାଯୋଗ କରିବାରୁ ସୋଲାର୍ ସଂସ୍ଥା ଓରେଡାକୁ ଅନଲାଇନ୍ ଯୋଗେ ଅଭିଯୋଗ କରାଯାଇଛି। ଖୁବଶୀଘ୍ର ମରାମତି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର