ବିଏମ୍‌ଡବ୍ଲ୍ୟୁ ବିକ୍ରି ନେଇ ଦୂତିଙ୍କ ଫେସବୁକ୍ ପୋଷ୍ଟ ପରେ ସରକାର ଦେଲେ ଆର୍ଥିକ ସହାୟତାର ତାଲିକା; ୫ ବର୍ଷରେ ମିଳିଛି ୪.୦୯ କୋଟି

ସରକାରଙ୍କ ତଥ୍ୟରେ ସତ୍ୟତା ନାହିଁ: ଦୂତି

ଭୁବନେ‌ଶ୍ୱର : ନିଜ ବିଏମ୍‌ଡବ୍ଲ୍ୟୁ କାର୍‌ ବିକ୍ରି କରି ଟୋକିଓ ଅଲିମ୍ପିକ୍ସ ତାଲିମ ବାବଦରେ ଖର୍ଚ କରିବା ଲାଗି ସାମାଜିକ ଗଣମାଧ୍ୟମରେ ଦୂତି ଚାନ୍ଦ କରିଥିବା ପୋଷ୍ଟିଂ ତାଙ୍କ ପାଇଁ ବୁମେରାଂ ହୋଇଛି। ପ୍ରଶଂସକମାନଙ୍କ ବିଭିନ୍ନ ପ୍ରଶ୍ନ ପରେ ଗଣମାଧ୍ୟମର ଏକାଧିକ‌ ଖୋଳତାଡ଼ କାରଣରୁ ଓଡ଼ିଶା ସରକାର ବିଗତ ୫ ବର୍ଷ ମଧ୍ୟରେ ଦୂତି ଚାନ୍ଦଙ୍କୁ ପ୍ରଦାନ କରିଥିବା ବିଭିନ୍ନ ଆର୍ଥିକ ସହାୟତାର ତାଲିକା ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ପ୍ରଦାନ କରାଯାଇଥିବା ତାଲିକାରେ ଦୂତିଙ୍କୁ ୨୦୧୫ ମସିହା ପରେ ମୋଟ ୪.୦୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସରକାର ସ୍ପଷ୍ଟ କରିଛନ୍ତି।‌ ସେହିଭଳି ରାଜ୍ୟ ସରକାର ଦୂତିଙ୍କୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ରେ ଗ୍ରେଡ୍‌-୧ ସ୍ତରର ଅଧିକାରୀ ପଦ ପ୍ରଦାନ କରିଛନ୍ତି ଯେଉଁଠୁ ସେ ଗତ ଜୁନ୍‌ ମାସରେ ୮୪,୬୦୪ ଟଙ୍କା ଦରମା ପାଇଛନ୍ତି। ଓଏମ୍‌ସିରେ କୌଣସି ଅଫିସିଆଲ୍‌ କାର୍ଯ୍ୟ ତାଙ୍କୁ ପ୍ରଦାନ କରାଯାଇନାହିଁ। ନିଜ ତାଲିମ ଉପରେ ଏକାଗ୍ରତା ରଖିବା ଲାଗି କାର୍ଯ୍ୟାଳୟ ନ ଆସିବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଭାରତୀୟ ଦୌଡ଼କୁଦ ସଂଘ (ଏଏଫଆଇ), କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଭାରତ ସରକାର ମଧ୍ୟ ବିଭିନ୍ନ ପୁରସ୍କାର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିଥାଇ ପାରନ୍ତି ବୋଲି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ପ୍ରୋତ୍ସାହନ ଓ ତାଲିମ ପାଇଁ ପାଇଛନ୍ତି ୪.୦୯ କୋଟି
ଓଏମ୍‌ସିରେ ମାସିକ ଦରମା ୮୪,୬୦୪ ଟଙ୍କା

ଦୂତିଙ୍କୁ ପ୍ରଦତ୍ତ ୪.୦୯ କୋଟିର ବିଭିନ୍ନ ଉଦ୍ଦେଶ୍ୟକୁ ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି। ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ୩୦ ଲକ୍ଷ ଟଙ୍କା ତାଲିମ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି, ସମାନ କାରଣ ପାଇଁ ଓଏମ୍‌ସି ପକ୍ଷରୁ ଅତିରିକ୍ତ ୨୯ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ୨୦୧୮ ଜାକର୍ତା ଏସୀୟ କ୍ରୀଡ଼ାରେ ୨ ରୌପ୍ୟ ପଦକ ଜିତି ଇତିହାସ ରଚିବା ପରେ ସରକାର ନିଜ‌ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୩‌ କୋଟି ଟଙ୍କା ପ୍ରଦାନ କରିଥିଲେ। ସେହିଭଳି ଗତବର୍ଷ ଅଗଷ୍ଟ ୨ ଓ ଡିସେମ୍ବର ୨୭ ତାରିଖରେ ଦୁଇଟି କିସ୍ତିରେ ମୋଟ ୫୦ ଲକ୍ଷ ଟଙ୍କା ଟୋକିଓ ଅଲିମ୍ପିକ୍ସ ତାଲିମ ପାଇଁ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଦୂତି ନିଜ ବିଏମ୍‌ଡବ୍ଲ୍ୟୁ କାର୍‌କୁ ବିକ୍ରି କରିବେ ବୋଲି ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିଥିଲେ। କିନ୍ତୁ ଏହାକୁ ପରେ ହଟାଇ ଦେଇଥିଲେ। ତେବେ ଅର୍ଥାଭାବରୁ ଏଭଳି କରୁଥିବା କଥା ସେ ଦର୍ଶାଇନଥିଲେ କି ସରକାରଙ୍କୁ ସମାଲୋଚନା କରିନଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ହସ୍ତକ୍ଷେପ କରିବା ପରେ ଏହାକୁ ଅବଶ୍ୟ ବିକ୍ରି କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଗୁରୁବାର ସରକାରଙ୍କ ଆର୍ଥିକ ସହାୟତା ତାଲିକାର ପ୍ରେସ୍ ବିଜ୍ଞପ୍ତି ପରେ ଦୂତି ପ୍ରତିକ୍ରିୟା ରଖିଛନ୍ତି। ‘ମୁଁ ମୋ କାର୍‌ ବିକ୍ରି କରିବାକୁ ସୋସିଆଲ୍ ମିଡିଆକୁ ବ୍ୟବହାର କରିଥିଲି। ଏକ ବିଳାସପୂର୍ଣ୍ଣ କାର୍‌କୁ ରଖି ଏହାର ରକ୍ଷଣାବେକ୍ଷଣ କରିବା ପାଇଁ ମୋ ପାଖରେ ସାଧନ ନାହିଁ। ମୁଁ କିନ୍ତୁ ଏସବୁକୁ ଭଲ ପାଏ, ଅର୍ଥାଭାବରୁ ଏହାକୁ ବିକ୍ରି କରୁଥିବା କଥା ମୁଁ ‌ ଆଦୌ କହିନାହିଁ’ ବୋଲି ଦୂତି ନିଜ ଟ୍ବିଟର୍‌ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ସରକାର ଓ କିଟ୍‌ ବିଶ୍ବବିଦ୍ୟାଳୟ ସବୁବେଳେ ମୋତେ ସମର୍ଥନ କରିଆସିଛନ୍ତି। ମୋ ତାଲିମ ନିଶ୍ଚିତ ବ୍ୟୟବହୁଳ ଏଥିରେ ଦ୍ବିମତ ହେବାରେ ନାହିଁ। ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚି ଯାଇଥିବାରୁ ସରକାରଙ୍କୁ ଅନୁଦାନ ଆସିବା ପୂର୍ବରୁ ମୁଁ କାର ବିକି ତାଲିମ ଜାରି ରଖିବାକୁ ଆଗ୍ରହୀ। ସମସ୍ତଙ୍କୁ ବିନମ୍ର ଅନୁରୋଧ କରୁଛି କି ମୁଁ ଅଭିଯୋଗ କରିନାହିଁ କି ଆର୍ଥିକ ଅଭାବରେ ‌ଥିବାର ନାଟକ କରୁନାହିଁ। ମୁଁ ଦେଶର କନ୍ୟା, ମୋତେ ସମସ୍ତେ ଆଶୀର୍ବାଦ ଦିଅନ୍ତୁ ଯେଭଳି ଦେଶ ପାଇଁ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବାର ସ୍ବପ୍ନକୁ ସାକାର କରିବି’ ବୋଲି ୨୪ ବର୍ଷୀୟା ଦୂତି ପ୍ରକାଶ କରିଥିଲେ।

ସରକାରଙ୍କ ତଥ୍ୟରେ ସତ୍ୟତା ନାହିଁ: ଦୂତି
ଭୁବନେଶ୍ୱର : ସରକାରଙ୍କ ପକ୍ଷରୁ ପ୍ରଦତ୍ତ ତାଲିମ ଆର୍ଥିକ ସହାୟତା, ପ୍ରୋତ୍ସାହନ ରାଶି ତଥ୍ୟକୁ ଗୋଟି ଗୋଟି କରି ଖଣ୍ଡନ କରିଛନ୍ତି ଏସିଆଡ୍‌ ଯୁଗଳ ରୌପ୍ୟ ପଦକ ବିଜୟିନୀ ଦୂତି ଚାନ୍ଦ। ‘‘ସରକାରଙ୍କ ନିକଟରେ ମୁଁ ଋଣି। କିନ୍ତୁ ମୋତେ ୨୦୧୮ରେ ପ୍ରଦାନ କରାଯାଇଥିବା ୩ କୋଟି ଟଙ୍କା ପ୍ରୋତ୍ସାହନ ନୁହେଁ, ପୁରସ୍କାର ରାଶି ଥିଲା। ଯାହାକି ମୁଁ ୨ ଏସିଆଡ୍‌ ରୌପ୍ୟ ପଦକ ଜିତିଥିବାରୁ ପାଇଥିଲି। ସେହିଭଳି ୨୯ ଲକ୍ଷ ଟଙ୍କାର ଓଏମ୍‌ସି ରାଶି ଆର୍ଥିକ ସହାୟତା ନୁହେଁ ଏହା ମୋ ଦରମାର ଅଂଶବିଶେଷ। ଏପରିକି‌ ମୋ ଦରମା ବାବଦରେ ଦେଖାଯାଉଥିବା ୮୪,୬୦୪ ଟଙ୍କା ବଦଳରେ ମୁଁ ମାସିକ ୬୦,୦୦୦ ଟଙ୍କା ପାଉଛି। ଓଏମ୍‌ସି ଅଫିସ ନଯିବା ଲାଗି ଥିବା ବ୍ୟବସ୍ଥା‌କୁ ମଧ୍ୟ ଦୂତି ବିରୋଧ କରିଥିଲେ। ‘‘ମୁଁ ଘ‌ରେ ବେକାର ବସିନାହିଁ। କାର୍ଯ୍ୟାଳୟରେ କାଗଜ କଲମ କାମ ବଦଳରେ ପଡିଆରେ ଝାଳ ବୁହାଉଛି। ଦେଶ ପାଇଁ ପଦକ ଜିତୁଥିବାବେଳେ ନିଯୁକ୍ତି ଦାତାଙ୍କୁ ମଧ୍ୟ ଗର୍ବିତ କରୁଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଆର୍ଥିକ ସହାୟତା ଦେବାକୁ କହିବା ପରେ ବିଏମ୍‌ଡବଲ୍ୟୁ ବିକ୍ରି ନିଷ୍ପତ୍ତିରୁ ଓହରିଯାଇଛି ବୋଲି ଦୂତି ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ମୋତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସହାୟତାର ହାତ ବଢ଼ାଇଥିଲେ। କିନ୍ତୁ ମୁଁ ସେମାନଙ୍କୁ ଆବଶ୍ୟକ ହେଲେ ଅନୁରୋଧ କରିବି କହି ଏଡ଼ାଇଯାଇଛି ବୋଲି ମଧ୍ୟ ଦୂତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର