ଚିକେନ, ଅଣ୍ଡାରୁ ହେଉନି କରୋନା : ନିରାପଦରେ ଚିକେନ ଖାଇପାରିବା ନେଇ ପରାମର୍ଶ ଦେଲେ ସରକାର, ମାଂସ ଖାଇଲେ କରୋନା ହେବା ଏକ ଗୁଜବ
ଭୁବନେଶ୍ୱର : ‘ଚିକେନ, ଅଣ୍ଡାରୁ ହେଉନି କରୋନା’ । ନିରାପଦରେ ଅଣ୍ଡା, ମାଂସ ଖାଇବାକୁ ସରକାରଙ୍କ ପରାମର୍ଶ । କୁକୁଡା ଅଣ୍ଡା ଖାଇଲେ ହେବନି କରୋନା । ଭୟଭୀତ ନହୋଇ ବିନା ଆଶଙ୍କାରେ ଆରାମରେ ଖାଆନ୍ତୁ ଚିକେନ ଓ ଅଣ୍ଡା । କୁକୁଡା ମାଂସ ଖାଇଲେ କରୋନା ହେବାର ଯେଉଁ ଖବର ପ୍ରସାରଣ ହେଉଛି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଘୁରି ବୁଲୁଥିବା ଗୁଜବ । ତେଣୁ କରୋନା କାଳରେ ବି ଲୋକେ ବିନା ଦ୍ୱିଧାରେ ଅଣ୍ଡା ଓ କୁକୁଡା ଖାଇପାରିବେ ବୋଲି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କୁକୁଡା ମାଂସ କିମ୍ବା ଅଣ୍ଡା ଖାଇବା ଦ୍ୱାରା କରୋନା ବା ତା ଠାରୁ ଭୟଙ୍କର ଭୂତାଣୁ ବ୍ୟାପିବାର ଏଯାବତ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ କିମ୍ବା ବିଶ୍ୱ ପ୍ରାଣୀସ୍ୱସ୍ଥ୍ୟ ସଙ୍ଗଠନ ତରଫରୁ ବି କୌଣସି ତଥ୍ୟ ଜାରି କରାଯାଇନାହିଁ । ତେଣୁ କରୋନା କୁକୁଡା କିମ୍ବା ଅଣ୍ଡା ଦ୍ୱାରା ବ୍ୟାପି ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି ।
କୁକୁଡା ମାଂସ, ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁଥିବା ନେଇ ଗୁଜବ ପ୍ରଚାର ହେବା ପରେ ଏହା ନିରାପଦ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେବେ କୁକୁଡା ଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିବା ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଦରକାର । ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା, ଆଲକୋହଲଯୁକ୍ତ ଦ୍ରବଣ ହାତରେ ଘଷିବା, କୁକୁଡା ମାଂସ ଓ ଅଣ୍ଡା ରହିବା ସ୍ଥାନକୁ ସଫା ସୁତୁରା ରଖିବା । କଞ୍ଚା କୁକୁଡା ମାଂସକୁ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଠାରୁ ଦୂରେଇ ରଖିବା ଏବଂ ଏସବୁକୁ ଭଲଭାବେ ସିଝାଇ ଖାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି ।