ଶିକ୍ଷାବର୍ଷ ପ୍ରସ୍ତୁତ କଲାନି ଉଚ୍ଚଶିକ୍ଷା ବିଭାଗ

ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜର ମନମାନି
ଅନ୍‌ଲାଇନ୍‌ରେ ପାଠପଢ଼ା, ଅଫ୍‌ଲାଇନ୍‌ରେ ପରୀକ୍ଷା
ବିନା ପରୀକ୍ଷାରେ ଉଚ୍ଚ ଶ୍ରେଣୀରେ ପୁନଃ-ନାମଲେଖା

ଭୁବନେଶ୍ବର : କରୋନା ସଂକ୍ରମଣ ଦୃଷ୍ଟିରୁ ୮ ମାସ ହେଲା ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଯାଉଛି। କେଉଁ ଦିନ କ୍ଲାସ ହେଉଛି ତ ଆଉ କେଉଁଦିନ ହେଉନି। ଏମିତିରେ ଗୋଟିଏ ଶିକ୍ଷାବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଥମ ସେମିଷ୍ଟର ପରୀକ୍ଷା ହୋଇପାରି ନାହିଁ। କେବେ ହେବ ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇନି। ବରଂ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜ ସ୍ତରରେ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ମୋଡ୍‌ରେ ସେମିଷ୍ଟର ପରୀକ୍ଷା କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଉ ଏହାକୁ ଆଧାର କରି କେତେକ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଆଗୁଆ ନିଷ୍ପତ୍ତି ନେଇଯାଇଛନ୍ତି। ଏପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲି ନ ଥିଲେ ମଧ୍ୟ ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ଆଉ କେତେକ ଶିକ୍ଷାନୁଷ୍ଠାନ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କରୋନା କାଳରେ କେତେକ ସ୍ବୟଂଶାସିତ ମହାବିଦ୍ୟାଳୟ ପିଲାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ୟୁଜି ତଥା ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ କି ଦ୍ବିତୀୟ ସେମିଷ୍ଟର ପରୀକ୍ଷା ଏପର୍ଯ୍ୟନ୍ତ ହୋଇନି। ଏମିତିକି କେତେକ କଲେଜରେ ଇଣ୍ଟରନାଲ ପରୀକ୍ଷା ବି କରାଯାଇ ନାହିଁ। ତା’ପରେ ବି ଦ୍ବିତୀୟ ବର୍ଷରେ ତଥା ତୃତୀୟ ସେମିଷ୍ଟରରେ ନାମ‌ଲେଖ‌ା ପାଇଁ ପିଲାଙ୍କୁ କୁହାଯାଇଛି। ନିର୍ଧାରିତ ସମୟ ସୁଦ୍ଧା ନାମ ଲେଖାଇବାକୁ ବିଜ୍ଞପ୍ତି ବି ପ୍ରକାଶ ପାଇଛି। ବିନା ପରୀକ୍ଷାରେ ସ୍ବୟଂଶାସିତ ମହାବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କିଭଳି ପଦୋନ୍ନତି ଦେଲେ ତାହାକୁ ନେଇ ସ୍ବୟଂଶାସିତ କଲେଜର ଛାତ୍ରଛାତ୍ରୀ ସ୍ବର ଉଠାଇଛନ୍ତି।

ସେମାନଙ୍କ କହିବା କଥା ହେଉଛି ଯେ କରୋନା ସମୟରେ ଆମ ଭବିଷ୍ୟତ ସହ ଖେଳାଯାଉଛି। ପରୀକ୍ଷା କିମ୍ବା ଶିକ୍ଷାବର୍ଷ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବିଜ୍ଞପ୍ତି ଜାରି କଲାନି। ଯେଉଁଥିପାଇଁ ଏବର୍ଷ ଗୋଟିଏ ବି ପରୀକ୍ଷା ହୋଇ ନ ଥିଲେ ମଧ୍ୟ ଦ୍ବିତୀୟ ବର୍ଷ ପାଇଁ ଏବେଠାରୁ ପୁନଃ-ନାମଲେଖା ଫି’ ଆଦାୟ କରାଯାଉଛି। ଏଥିସହ ଆଗକୁ ଯଦି ସେମିଷ୍ଟର ପରୀକ୍ଷା ହୁଏ ‌ତେବେ ସେଥିପାଇଁ ମଧ୍ୟ ଫି’ ଦେବାକୁ ପଡ଼ିବ। ଗୋଟିଏ ପଟେ ନାମଲେଖା ଓ ଆରପଟେ ପରୀକ୍ଷା ଫି’ ଏହାଦ୍ବାରା ଚାପ ସୃଷ୍ଟି କରାଯାଉଛି। ଏକାଥରେ ଏତେ ଟଙ୍କା କେଉଁଠୁ ଆଣିବୁ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି।

ଅଗଷ୍ଟ ମାସ ଅଧା ହୋଇଥିଲେ ମଧ୍ୟ ୟୁଜି ଓ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ନେଇ କଲେଜଗୁଡ଼ିକ ପକ୍ଷରୁ ସ୍ପଷ୍ଟ ଚିତ୍ର ବି ଦିଆଯାଉ ନାହିଁ। ଯେତେବେଳେ କି କେତେକ କଲେଜ ଓ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ ସେମିଷ୍ଟର ପାଠପଢ଼ା ଆରମ୍ଭ ହୋଇଛି। ଯଦି ସେପ୍ଟେମ୍ବରରେ ସେମିଷ୍ଟର ପରୀକ୍ଷା କରାଯାଏ ‌ତେବେ ବହୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ପାଠପଢ଼ିବେ ନା ପରୀକ୍ଷା ଦେବେ। ପରୀକ୍ଷା ନିଷ୍ପତ୍ତି ବିଶ୍ବବିଦ୍ୟାଳୟ ଉପରେ ଛାଡ଼ି ଉଚ୍ଚଶିକ୍ଷା ବିଭାଗ ଚୁପ୍‌ ବସିପଡ଼ିଥିବାରୁ ଛାତ୍ରଛାତ୍ରୀ ମାନସିକ ଚିନ୍ତାରେ ପଡ଼ିଛନ୍ତି। ୟୁଜି ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ନେଇ ଉତ୍କଳ ସମେତ ଅଧିକାଂଶ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର