ଧୀରେ ଧୀରେ କମୁଛି ଅଣ୍ଡା ଦର

ଓଡ଼ିଶାରେ ଟ.୬କୁ କମିଲା, ଆହୁରି କମିବା ସମ୍ଭାବନା

ଅଣ୍ଡା ପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର । ବେଶ କିଛି ଦିନ ମହଙ୍ଗା ରହିବା ପରେ ଦେଶରେ ଅଣ୍ଡା ଦର ଧୀରେ ଧୀରେ କମିବା ଆରମ୍ଭ କରିଛି । କିଛିଦିନ ତଳେ ଓଡ଼ିଶା ଓ ଅନ୍ୟ ରାଜ୍ୟଗୁଡିକରେ ଅଣ୍ଡାର ଖୁଚୁରା ମୂଲ୍ୟ ୭ ଟଙ୍କା ଟପିଯାଇଥିବାବେଳେ ଏବେ ତାହା କମିଛି । ଓଡ଼ିଶା ସମେତ ଉତ୍ତର ଭାରତରେ ଅଣ୍ଡା ଦର ଏବେ ୬ଟଙ୍କାକୁ ଖସିଥିବାବେଳେ ଦକ୍ଷିଣ ଭାରତରେ ଏହା ୫ଟଙ୍କାକୁ ଖସିଆସିଛି । ଏହା ଫଳରେ ସାଧାରଣ ଖାଉଟି ଆଶ୍ୱସ୍ତ ହୋଇଛନ୍ତି ।

କୁକୁଡ଼ା ଫାର୍ମରେ ଅଣ୍ଡା ଦର ଗତ କିଛି ସପ୍ତାହ ହେଲା ଗୋଟା ପିଛା ୫.୫୦ ଟଙ୍କା କୁ ବୃଦ୍ଧି ପାଇଥିବାବେଳେ ଏବେ ତାହା ୪.୧୫ ଟଙ୍କାକୁ ହ୍ରାସ ପାଇଛି ।

ଭାରତରେ ଦିନକୁ ପ୍ରାୟ ୨୫ କୋଟି ଅଣ୍ଡା ଉତ୍ପାଦନ ହୁଏ । ଏହାର ପ୍ରମୁଖ ଭାଗ ଦକ୍ଷିଣ ଭାରତରୁ ଆସିଥାଏ । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଦେଶର ପ୍ରମୁଖ ଅଣ୍ଡା ଉତ୍ପାଦନକାରୀ ରାଜ୍ୟ । ଅଣ୍ଡା ପାଇଁ ଓଡ଼ିଶା ପଡୋଶୀ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରେ । ତେବେ ତାମିଲନାଡୁର ନମକ୍କଲ ସାରା ଦେଶରେ ଅଣ୍ଡା ବ୍ୟବସାୟର କେନ୍ଦ୍ରସ୍ଥଳୀ । ଏଠାରେ ଏବେ ଦିନକୁ ପ୍ରାୟ ୩ କୋଟି ଅଣ୍ଡା ଉତ୍ପାଦନ ହେଉଛି । ତେବେ ଗତ ଆର୍ଥିକ ବର୍ଷରେ ବାର୍ଡଫ୍ଲୁ ଓ ଆଉ କେତେକ କାରଣ ଯୋଗୁଁ କୁକୁଡା ଚାଷୀମାନେ ବିପୁଳ କ୍ଷତି ସହିଥିଲେ । ଏହା ଯୋଗୁଁ ଦେଶରେ ଅଣ୍ଡା ଉତ୍ପାଦନ ହ୍ରାସ ପାଇଥିଲା ।

ଏହା ଫଳରେ ଦେଶରେ ଅଣ୍ଡାଦର ଚଢା ରହୁଛି । କିନ୍ତୁ ଏବେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଉଥିବାରୁ ଦର କମିବା ଆରମ୍ଭ କରିଛି । ତେବେ ନିକଟ ଅତୀତରେ ଅଣ୍ଡା ମହଙ୍ଗା ହେବା ଯୋଗୁଁ ଅଣ୍ଡା ଚାହିଦା ହ୍ରାସ ପାଇଥିଲା । କିନ୍ତୁ ଆଗକୁ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ଥିବାରୁ ଚାହିଦା ବି ବଢିବ ବୋଲି ଭାରତୀୟ ପୋଲଟ୍ରି ଫେଡେରେସନର ସଭାପତି ରମେଶ କ୍ଷତ୍ରି କହିଛନ୍ତି ।  ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଥିବାରୁ ସରକାର ମଧ୍ୟ ଅଣ୍ଡା ଉପରେ ଲାଗୁ କରିଥିବା ରପ୍ତାନି କଟକଣା ହଟାଇ ନେଇଛନ୍ତି । ଉପସାଗରୀୟ ଦେଶ ବିଶେଷକରି ଓମାନକୁ ଭାରତ ବିପୁଳ ଅଣ୍ଡା ରପ୍ତାନି କରେ ।

ସମ୍ବନ୍ଧିତ ଖବର