ସ୍କୁଲ୍‌ ଭାଙ୍ଗି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲା ହାତୀ

ଧମା (ସମ୍ବଲପୁର): ମାନେଶ୍ୱର ବ୍ଲକ୍‌ ଲରାସରା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗି ସୋମବାର ରାତିରେ ଏକ ହାତୀ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଖାଇଯାଇଛି। ଏହା ଗୋଟିଏ ବା ଏକାଧିକ ହାତୀର କାମ ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହା ଉକ୍ତ ଅଞ୍ଚଳରେ ବୁଲୁଥିବା ଏକ ଦନ୍ତାର କାମ ବୋଲି ବନ ବିଭାଗର କର୍ମଚାରୀମାନେ କହୁଛନ୍ତି।

ସୋମବାର ବିଳମ୍ବିତ ରାତିରେ ଏହି ହାତୀଟି ସ୍କୁଲ ପାଚେରି ଭାଙ୍ଗି ପ୍ରଥମେ ସ୍କୁଲ ପରିସରରେ ପଶିଥିଲା। ଏହାପରେ ବାସ୍ନା ଶୁଂଘି ବିଦ୍ୟାଳୟ ଭିତରେ ଚାଉଳ ରଖା ଯାଇଥିବା କୋଠରୀ ପାଖରେ ପହଞ୍ଚିଥିଲା। କବାଟ ଭାଙ୍ଗି କୋଠରି ଭିତରେ ପଶି ରଖା ଯାଇଥିବା ଚାଉଳ ଖାଇ ଯାଇଥିଲା। ସେଠାରେ ଥିବା ୯ଟି ଚାଉଳ ବସ୍ତାରୁ ୭ ବସ୍ତା ଫଟାଇ ଖାଇବା ସହ ଏଣେତେଣେ ବିଛାଇ ଦେଇଥିଲା। ଉକ୍ତ କୋଠରିରେ ଏଣେ ତେଣେ ଝାଡ଼ା ଫେରି ଦେଇଥିଲା ଓ ଛାତରେ ଲାଗିଥିବା ଫ୍ୟାନ୍‌କୁ ମଧ୍ୟ ମୋଡ଼ି ଦେଇଥିଲା। ସକାଳେ ଗାଁ ଲୋକେ ପାଚେରି ଭାଙ୍ଗିଥିବା ଦେଖି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୁଣନିଧି ମହାଲିଙ୍ଗଙ୍କୁ ଖବର ଦେଇଥିଲେ। ପ୍ରଧାନ ଶିକ୍ଷକ ବନ ବିଭାଗକୁ ଏ ସଂପର୍କରେ ସୂଚନା ଦେଇଥିଲେ। ଧମା ରେଂଜର ଆଲୋକ ଷଡ଼ଙ୍ଗୀ, ଦେଗାଁ ସରପଞ୍ଚ ମନବୋଧ ଭୋଇ ପ୍ରମୁଖ ସ୍କୁଲକୁ ଯାଇ ଦେଖିଥିଲେ।

ସମ୍ବନ୍ଧିତ ଖବର