କରୋନାକୁ ନେଇ ଯାଜପୁର ଜିଲ୍ଲାରେ ଜରୁରି ପରିସ୍ଥିତି : ଯାଜପୁର ରୋଡ୍‌ ଓ ଯାଜପୁର ଟାଉନ୍‌ ୭ ଦିନ ଲକ ଡାଉନ୍

୨ ଜଣଙ୍କ ରକ୍ତ ନମୁନା ନେଗେଟିଭ୍‌, ଆଇନ ଅମାନ୍ୟ କରି ୫ ଗିରଫ, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନରେ ଭିଡ଼

ଯାଜପୁର/ଟାଉନ/ସଦର : କରୋନା ଆତଙ୍କ ସମଗ୍ର ବିଶ୍ବକୁ କବଳିତ କରିଥିବା ବେଳେ ଯାଜପୁର ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡ଼ିଛି। ବିଦେଶ ଓ ଅନ୍ୟ ରାଜ୍ୟରୁ ଶତାଧିକ ଲୋକ ଏବେ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଗାଁରୁ ସହର ସବୁଠି ଆତଙ୍କ ଖେଳିଯାଇଛି। ବିଶେଷ କରି ଇସ୍ପାତ ରାଜଧାନୀ କଳିଙ୍ଗନଗର ମୁଖଶାଳା ବ୍ୟାସନଗର(ଯାଜପୁରରୋଡ଼)ରେ ଦେଶବିଦେଶର ଲୋକ ଅବସ୍ଥାନ କରୁଥିବା ବେଳେ ସରକାର ଆସନ୍ତା ୨୨ ରୁ ୨୯ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି। ଯାଜପୁରରୋଡ଼ ସହିତ ଯାଜପୁରଟାଉନକୁ ମଧ୍ୟ ୭ଦିନ ପାଇଁ ଲକ ଡାଉନ୍ ଘୋଷଣା କରାଯାଇଛି। କରୋନାର ଭୟର ବାତାବରଣ ଦିନକୁ ଦିନ ବଢ଼ୁଛି। ତେବେ ଭୟ ନକରି ସତର୍କତା ଅବଲମ୍ବନ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରଚାର ପ୍ରସାର କରୁଛନ୍ତି।

ଆଜି ପବିତ୍ର ବାରୁଣି ବୁଡ଼ କାର୍ଯ୍ୟକ୍ରମକୁ ପ୍ରଶାସନ ଏଡ଼ାଇ ଦେଇଛି। ବ୍ୟାସନଗର ମହଲଗୁଡ଼ିକ ବନ୍ଦ ରହିଥିବା ବେଳେ ସଭାସମିତି ଓ ସମାବେଶକୁ ସମଗ୍ର ଜିଲ୍ଲାରେ ରୋକାଯାଇପାରିଛି। ବିଶେଷ କରି ଆଜି ଯାଜପୁର ଟାଉନ ଓ ଯାଜପୁରରୋଡ଼ରେ ୭ ଦିନ ପାଇଁ ଲକ୍‌ ଡାଉନ ଘୋଷଣା ପରେ ଜନସାଧାରଣ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନଗୁଡ଼ିକରେ ପ୍ରବଳ ଭିଡ ଲଗାଇଥିବାର ଦେଖିବାକୁ ମିଳିଛି। ଏହାର ସୁଯୋଗ ନେବା ପାଇଁ କଳାବଜାରୀ ଚାହିଁ ବସିଛନ୍ତି। ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

କରୋନା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକ ସୂଚାରୁ ରୂପେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ପରିଷଦମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଡାକି  ସଚେତନ କରାଇଛନ୍ତି। ଏଥି ମଧ୍ୟରେ ଜିଲ୍ଲାକୁ ୬୧୨ଜଣ ବାହାର ରାଜ୍ୟ ଓ ବିଦେଶରୁ ଆସିଛନ୍ତି। ସେମାନଙ୍କ ଜରିଆରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ସେଥିମଧ୍ୟରୁ ବଡ଼ଚଣା‌କୁ ୨୦ଜଣ,  ବିଂଝାରପୁରକୁ ୩୧ଜଣ, ଦଶରଥପୁରକୁ ୧୩୮ଜଣ, ଧର୍ମଶାଳାକୁ ୩୩ଜଣ, କୋରେଇକୁ ୯ଜଣ,  ରସୁଲପୁରକୁ ୨୮ଜଣ, ଯାଜପୁର‌କୁ ୧୪୮ଜଣ, ସୁକିନ୍ଦାକୁ ୧୮ଜଣ, ବରୀକୁ ୧୧୭, ଦାନଗଦୀକୁ ଜଣେ, ବ୍ୟାସନଗରକୁ ୩୦ଜଣ ଓ ଯାଜପୁରଟାଉନକୁ ୩୯ଜଣ ମୋଟ ୬୧୨ଜଣ ଲୋକ ଜିଲ୍ଲାକୁ ଆସିଥିବାର ସରକାରୀ ତଥ୍ୟରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫୭୭ ଜଣ ନିଜର ନାମ ପଞ୍ଜୀକରଣ କରି ଚିକିତ୍ସିତ ହେଉଥିବା ବେଳେ ୩୫ ଜଣ ପଞ୍ଜୀକରଣ କରିନାହାନ୍ତି। ୭୨ ଜଣ ବିଦେଶରୁ ବିଶେଷ କରି ଆରବ ଦେଶରୁ ଆସିଥିବା ସୂଚନା ମିଳିଛି।

ସରକାର ସାମାଜିକ ଦୂରତାକୁ ଗୁରୁତ୍ବ ଦେଉଥିବା ବେଳେ ଯେଉଁ ବ୍ୟକ୍ତି ଜାଣିଶୁଣି ଆଇନ ନମାନିବେ ସେମାନଙ୍କୁ ୧୮୮  ଓ ୨୬୯ ଆଇପିସିରେ ଗିରଫ କରାଯିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଚେତାବନୀ ଦେଇଛନ୍ତି। ଗତକାଲି  କରୋନା ଗାଇଡ ଲାଇନ ଉଲ୍ଲଂଘନ କରିଥିବା ୫ ଜଣଙ୍କୁ ଗିରଫ କରଯାଇଛି।

କେବଳ ଅତ୍ୟାବଶ୍ୟକ ଜିନିଷ ବ୍ୟତୀତ ଗୁପ୍‌ଚୁପ୍‌, ଫାଷ୍ଟ୍‌ଫୁଡ୍ ଷ୍ଟଲ୍ ଆଦି ବନ୍ଦ କରାଯିବା ସହ ହୋଟେଲଗୁଡ଼ିକୁ କେବଳ ପ୍ୟାକେଟରେ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ଥିବା ବେଳେ ଗତକାଲି କେତେକ ମସଜିଦରେ ସମୂହ ନମାଜ ପାଠ ହୋଇଥିଲା। ଯାହାକୁ ଜିଲ୍ଲାପାଳ ଗୁରୁତ୍ବର ସହ ନେଇଥିବା ବେଳେ ପୁନର୍ବାର ତ୍ରୁଟି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପଟେ ବାହାରୁ ଆସି ଘରେ ସଙ୍ଗରୋଧ ମାଧ୍ୟମରେ ଚିକିତ୍ସିତ ହେଉଥିବା କିଛି ଲୋକ ନିୟମ ନମାନି ଖୋଲାମେଲାରେ ବୁଲୁଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ଏଥିପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୨୩ ଓ ୨୪ ତାରିଖ ଭତ୍ତା ବଣ୍ଟନ ପାଇଁ ସ୍ଥିର ହୋଇଥିବା ବେଳେ ୨୬ ତାରିଖ ପୂର୍ବରୁ ସବୁ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ୍‌ ତଥା ହଷ୍ଟେଲର ପିଲାଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ସେମାନଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରାଯାଇଛି। ସେମାନଙ୍କ ପାଇଁ ଆସୁଥିବା ଅର୍ଥ ରାଶି ଏକା ସଙ୍ଗେ ୩ ମାସର ପ୍ରଦାନ କରାଯିବ। ଖୁବ ଶୀଘ୍ର ଡିଲରଙ୍କ ଜରିଆରେ ୩ ମାସର ରାସନ ସାମଗ୍ରୀ ବାଣ୍ଟିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର କରୋନା ସେଲ୍‌ ‌ରହିଥିବା ବେଳେ ୨ ସନ୍ଦିଗ୍ଧଙ୍କ ରକ୍ତ ନମୁନା ନେଗେଟିଭ୍ ଆସିଥିବା ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜାରି କରିଥିବା ଜନତା କର୍ଫ୍ୟୁକୁ ଆସନ୍ତାକାଲି ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସିଡିଏମଓ ଅରୁଣ କୁମାର ପାତ୍ର, ଏଡିଏମଓ ଡ‌. ସୁଧାଂଶୁ ଶେଖର ବଳ ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଭିନ୍ନ ବ୍ଲକ୍‌ର ବିଡିଓମାନେ ଯୋଗ‌ଦେଇ କରୋନା ମୁକାବିଲା ପାଇଁ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର