ଡିଭିଏଫ୍‌ ଯବାନ-ମାଓବାଦୀ ଗୁଳି ବିନିମୟ: ଘଟଣାସ୍ଥଳରୁ ଏସ୍‌ଏଲ୍‌ଆର୍‌ ବନ୍ଧୁକ ଜବତ

ବଲାଙ୍ଗୀର: ଖପ୍ରାଖୋଲ ଥାନା ଅନ୍ତର୍ଗତ ତେଲେନପାଲିଠାରେ ଡିଭିଏଫ୍‌ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ଏହି ଅପରେସନକୁ ନେଇ କୌଣସି ସୂଚନା ଦେଇନଥିବା ବେଳେ ତେଲେନପାଲି ନିକଟ ଜଙ୍ଗଲ ଭିତରେ ଉଭୟ ପଟରୁ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଏକ ଏସ୍‌ଏଲ୍‌ଆର୍‌ ବନ୍ଧୁକ ଜବତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ କେକେବିଏନ୍‌ର ଟପ୍‌ କ୍ୟାଡର୍‌ ମାଓବାଦୀ ଆଇତୁ କୋରସା ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲା। ଏହାପରେ ମାଓବାଦୀ ଦମନ ଅଭିଯାନକୁ ପୁଲିସ ଜୋରଦାର କରାଯିବ ବୋଲି କହିଥିଲା। କିଛି ମାସ ପରେ ଏବେ ପୁଣି ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଛି ବଲାଙ୍ଗୀର ପୁଲିସ। ଅପରେସନରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଛି। ଏ ନେଇ ବଲାଙ୍ଗୀର ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଅନ୍ୟପଟେ ପୁଲିସ ଜଙ୍ଗଲରେ ଅପରେସନକୁ ଆହୁରି ଜୋରଦାର କରିଛି।

ସମ୍ବନ୍ଧିତ ଖବର